ଗଣ୍ଡଗୋଳରେ ୩ ଯୁବକ ଆହତ, ବଜାର ଶୁନ୍ଶାନ
ଥମୁନି ଭସାଣି ଉତ୍ସବ ଝାମେଲା
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ସହରର ଚଳିତ ଗଜଲକ୍ଷ୍ମୀ ପୂଜାରେ ବିଭିନ୍ନ ପୂଜା କମିଟିର ବାଦାନୁବାଦର ସୂତ୍ରପାତ ଘଟି ମାଡପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ପର ମୁହୂର୍ତ୍ତରେ ପୁଲିସ ପ୍ରଶାସନ ସହାୟତାରେ ସମାଧାନ କରିବାକୁ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲା । ବୁଧବାର ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବରେ ଢେଙ୍କାନାଳ କଣ୍ଟାନାଳୀ ବାଇପାସ୍ ଓ ବନମାଳୀପ୍ରସାଦ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ କଣ୍ଟାନାଳୀ ପୂଜା କମିଟିର ୪ରୁ ଅଧିକ ଆହତ ହୋଇଥିବାବେଳେ ୨ ପୁଲିସ କର୍ମଚାରୀ ମଧ୍ୟ ବାଦ୍ ପଡି ନଥିଲେ । ଡିଜେ ମାଇକ୍ ଓ ସାଉଣ୍ଡର ବ୍ୟବସ୍ଥାର ଢେଲା ପଥର ମାଡରେ ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ସମେତ ଅଶାନ୍ତ ବାତାବରଣ ସହ ପୁଲିସର ଲାଠି ଚାର୍ଜ ମଧ୍ୟ ହୋଇଥିଲା ।
ଗୁୁରୁବାର ବନମାଳୀ ପ୍ରସାଦ ବଜାରରୁ ଗନ୍ଧର୍ବ ଦେହୁରୀ ଏବଂ ସଞ୍ଜୟ ମହାପାତ୍ର ଓ ତାଙ୍କର ଜଣେ ସହଯୋଗୀ ଏକ ବାଇକ୍ ଯୋଗେ ଆସୁଥିବାବେଳେ କଣ୍ଟାନାଳୀ ବାଇପାସ୍ରେ ପୂର୍ବରୁ ଜଗି ରହିଥିବା ୧୫ରୁ ଅଧିକ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଗଣ୍ଡଗୋଳରେ ୩ଜଣ ଆହତ ହୋଇଥିଲେ । ଆହତ ଯୁବକଙ୍କ ମଧ୍ୟରୁ ଜଣେ ଚେତା ଶୂନ୍ୟ ହରାଇଥିବାବେଳେ ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀ ସହ ପୁଲିସ ଫୋର୍ସ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସମ୍ପୃକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରିଥିଲେ । ଫୋର୍ସ ଦ୍ୱାରା ସର୍ଚ୍ଚ ଅପରେସନ ମଧ୍ୟ କରାଯାଇଥିଲା । ପୁଲିସ ବିଭାଗ ତରଫରୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଉତ୍ତେଜନା ଥିବା ସହ ଅଞ୍ଚଳବାସୀ ଭୟଭୀତ ରହିଥିବା ଜଣାଯାଇଛି ।