ଟଳିଲା ସିତ୍ରାଙ୍ଗ ବିପଦ
ଭୁବନେଶ୍ୱର, ୨୦ା୧୦ (ବୁ୍ୟରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ଅଥବା ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଏହି ସ୍ଥିତିରେ ବିଭିନ୍ନ ପାଣିପାଗ ମଡେଲ୍ରେ ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଥିଲେ ହେଁ ଏହା ଓଡିଶାରେ ସ୍ଥଳଭାଗ ନ ଛୁଇଁ ଉପକୂଳ ଦେଇ ଚାଲିଯିବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍ଡି) ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଲାଂଦେଶ ମୁହାଁ ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଥିବା ଡିଜି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ୨୨ ଓ ୨୩ରେ ଲଘୁଚାପ ସୃଷ୍ଟି ହେବାପରେ ସମୁଦ୍ରରେ ପବନର ବେଗର ୪୫ରୁ ୫୫ କିମି ରହିବ । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ୬୫ କିମି ମଧ୍ୟ ଛୁଇଁପାରେ । ଏଥିପାଇଁ ଏହି ଦୁଇଦିନ ଓଡ଼ିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ୨୩ରୁ ଓଡିଶା ଉପକୂଳର ଆଖାପାଖ ସମୁଦ୍ରକୁ ବାରଣ କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି ହୋଇଛି ।
ସାମ୍ଭାବ୍ୟ ବାତ୍ୟା ମୁକାବିଲା ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ୭ ଉପକୂଳବର୍ତ୍ତୀ ଜିଲ୍ଲାର ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ମୁଖ୍ୟାଳୟ ନ ଛାଡିବାକୁ ପରାମର୍ଶ ଦିଆଯାଇଛି ।
ଗୁରୁବାର ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇଛନ୍ତି । ଏଥିଲାଗି ସଜାଗ ରହିବାକୁ ରାଜ୍ୟ ସରକାର ୩୦ ଜିଲ୍ଲାକୁ ନିଦେ୍ର୍ଦଶ ଦେଇଛନ୍ତି ।
ସମସ୍ତ ଜିଲ୍ଲାପାଳ ଏହି ସମୟରେ ଉପସ୍ଥିତ ରହିବେ । ଜିଲ୍ଲାଗୁଡ଼ିକରେ ଔଷଧ, ପିଇବା ପାଣି ଓ ଡ଼ଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ୭ ଜିଲ୍ଲା ଉପରେ ନଜର ରଖାଯାଇଛି । ମାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ବାତ୍ୟା ଅବପାତ ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ । ଏହାପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀମତି ମଲ୍ଲିକ କହିଛନ୍ତି । ସାମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ବୋଲି ଆଇଏମ୍ଡି ସୂଚନା ଦେବା ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି ।
ସେହିପରି ସମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଡାକ୍ତରଖାନାରେ ସାପ ବିଷ ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବା ସହ ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବଲେଟ୍, ଚୂନ ପାଉଡର ପର୍ଯ୍ୟାପ୍ତ ଷ୍ଟକ୍ ନିଶ୍ଚିତ କରାଇବା ପାଇଁ ବିଭାଗ ନିଦେ୍ର୍ଦଶ ଦେଇଛି । ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ରହିଛି । ଆଗାମୀ ୧୦ ଦିନ ମଧ୍ୟରେ ପ୍ରସବ ତାରିଖ ରହିଥିବା ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀଙ୍କ ସାହାଯ୍ୟରେ ନିକଟସ୍ଥ ସରକାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ସେହିପରି ସମସ୍ତ ଡାକ୍ତରଖାନା ଗୁଡ଼ିକରେ ପାୱାର ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରିବାକୁ ବିଭାଗ ନିଦେ୍ର୍ଦଶ ଦେଇଛି ।
ସେପଟେ ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ୨୫ ତାରିଖରେ ସାମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ନିକଟ ସମୁଦ୍ରରେ ଥିବ । ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପରେ ରହିବ । ହେଲେ ଏହା ପୂର୍ବରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ । ବାତ୍ୟା ପ୍ରଭାବରେ ୨୧ ପାଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ୭ ଊପକୂଳ ଜିଲ୍ଲାକୁ ଏନେଇ ସତର୍କ ରହିବାକୁ ଏସ୍ଆର୍ସି ଚିଠି ଲେଖି ସତର୍କ କରାଇଛନ୍ତି । ଜିଲ୍ଲା ଗୁଡିକ ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ରହିଛି ।