ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇରେ ଓଡ଼ିଶା ଭବନର ହେବ ସମ୍ପ୍ରସାରଣ
ଭୁବନେଶ୍ୱର, ୧୯ା୧୦ (ବୁ୍ୟରୋ): ମୁମ୍ବାଇରେ ଓଡ଼ିଶା ଭବନର ହେବ ସମ୍ପ୍ରସାରଣ । ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମୁମ୍ବାଇ ଗସ୍ତ କରି ଏ ନିମିତ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ କହିଛନ୍ତି, ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣ ହେବ । ମୁମ୍ବାଇକୁ ଓଡ଼ିଆ ମାନେ ବିଭିନ୍ନ କାର୍ଯ୍ୟ ସହ କ୍ୟାନସରର ଚିକିତ୍ସା ପାଇଁ ଯାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଭବନକୁ ସମ୍ପ୍ରସାରଣ କରିବାର ଲକ୍ଷ୍ୟ ରଖାଯାଇଛି । ନୂଆ କୋଠା ମୁଖ୍ୟତଃ କ୍ୟାନସର ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କ ପରିବାର ପାଇଁ ସହାୟକ ହେବ ବୋଲି କୁହାଯାଇଛି ।
ଏହାର ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି । ହାଇଦ୍ରାବାଦରେ ଓଡ଼ିଶା ନିବଶେକ ସମ୍ମିଳନୀର ଦିନକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ପହଞ୍ଚô ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦେ୍ଦଶ୍ୟରେ ମୁମ୍ବାଇ ଓଡିଶା ଭବନ କାର୍ଯ୍ୟକରୁଛି । ଏହି ଭବନରେ ୨୮ ଏସି ରୁମ ଓ ୪ ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ ହୋଇଆସୁଛନ୍ତି ।
ମୁମ୍ବାଇ ଓଡିଶା ଭବନରେ ରୋଗୀଙ୍କ ପାଇଁ ଅଧିକ ରୁମ୍ର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଙ୍ଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବିକୁ ସମ୍ମାନ ଜଣାଇ ମୁୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ମୁମ୍ବାଇ ଓଡିଶା ଭବନର ଏହି ସମ୍ପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦିଆଯାଇ ପାରିବ । ଏଥି ନିମନ୍ତେ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *