ନନ୍ଦନକାନନ ପଛପଟେ ୧୬ ହାତୀ
ବାରଙ୍ଗ (ଆପ୍ର) : ନନ୍ଦନକାନନକୁ ପୁଣି ଜଙ୍ଗଲୀ ହାତୀଙ୍କ ଭୟ । କିଛି ମାସ ପରେ ନନ୍ଦନକାନନ ସଲଗ୍ନ ପାଚେରୀ ନିକଟକୁ ଚାଲି ଆସିଛନ୍ତି ୧୬ ହାତୀ । ଚଳିତବର୍ଷ ଜାନୁଆରୀ ମାସରେ ଚନ୍ଦକା-ଡମପଡା ଜଙ୍ଗଲରୁ ଦୁଇଟି ହାତୀ ନନ୍ଦନକାନନ ପ୍ରାଣୀଉଦ୍ୟାନର ପାଚେରୀ ଭାଙ୍ଗି ପରିସରକୁ ଚାଲିଆସି ବ୍ୟାପକ କ୍ଷୟକ୍ଷତି କରିଥିଲେ । ଗୋଟିଏ ଦିନ ନନ୍ଦନକାନନ ଭିତରେ ହାତୀ ରହିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବନ୍ଦ କରାଯାଇଥିଲା । ବୁଧବାର ପୁଣି ନନ୍ଦନକାନନ ପାଇଁ ସମାନ ଅବସ୍ଥାକୁ ଚାଲି ଆସିଥିବା କୁହାଯାଇଛି ।
ଚନ୍ଦକା- ଡମପଡା ଜଙ୍ଗଲରୁ ଏକ ୧୬ ଟିକିଆ ହାତୀ ପଲ ଦାରୁଠେଙ୍ଗ ଅଞ୍ଚଳକୁ ଆସି ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି । ଏପଟେ ହାତୀପଲ ନନ୍ଦନକାନନ ସନ୍ନିକଟ ହମିରାଟାଙ୍ଗି ଜଙ୍ଗଲ କୁଦରେ ରହିଥିବା ବେଳେ ଦାରୁଠେଙ୍ଗ ଗ୍ରାମବାସୀ ଓ ନନ୍ଦନକାନନ କର୍ମଚାରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଚନ୍ଦକା ବନ ବିଭାଗ ଓ ନନ୍ଦନକାନନ ବନ ବିଭାଗ ହାତୀ ଘଉଡାଇବା ଉଦ୍ୟମ ଜାରି ରଖିଛନ୍ତି । ବାରଙ୍ଗ-ଚନ୍ଦକା ମୁଖ୍ୟ ରାସ୍ତାକୁ ଯାତାୟାତ ପାଇଁ ବିପଦ ଥିବାରୁ କିଛି ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ହାତୀଙ୍କ ବିଷୟରେ ବନ ବିଭାଗକୁ ଖବର ଦେବା ପରେ ଡ୍ରୋନ କ୍ୟାମେରା ମାଧ୍ୟମରେ ହାତୀ ପଲ ଆସିଥିବା ଜଣାପଡିବା ସହ ଏହାର ଗତିବିଧି ଉପରେ ନଜର ରଖାଯାଇଛି ।