ମିଳିଲାନି ଆମ୍ବୁଲାନ୍ସ: ଡିକିରେ ବୁହାହେଲା ନବଜାତକ ଶବ
ସିଙ୍ଗ୍ରୌଲୀ (ଏଜେନ୍ସି): ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବାପା ତା’ କୁନି ପୁଅର ମୃତ ଶରୀରକୁ ଏକ ବାଇକ୍ ଡିକିରେ ରଖି ନେଉଥିବାର ଦୃଶ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି । ହସ୍ପିଟାଲରୁ ଆମ୍ବୁଲାନ୍ସ ନମିଳିବାରୁ ବ୍ୟକ୍ତି ଜଣକ ନିଜ ପୁଅକୁ ଡିକିରେ ନେଇ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ ବୋଲି ସୂଚନା ରହିଛି । ତାଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ସେ ବାଧ୍ୟ ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା କହିବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେକ୍ଟର ତାଙ୍କୁ ଆଶ୍ୱାସନା ଦେଇଛନ୍ତି ।
ସୂଚନାରୁ ଜାଣିବାକୁ ମିଳିଛି ଯେ, ଅକ୍ଟୋବର ୧୭ ତାରିଖରେ ଦିନେଶ ଭାରତୀ ତାଙ୍କ ପତ୍ନୀ ମିନା ଭାରତୀଙ୍କର ପ୍ରସବ କରାଇବାକୁ ସିଙ୍ଗ୍ରୌଲୀ ଜିଲ୍ଲାର ଏକ ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲରେ ଡାକ୍ତରାଣୀ ସରିତା ଶାହା ସେଠାରେ ପ୍ରସବ କରାଇବା ବଦଳରେ ପ୍ରସୂତୀଙ୍କୁ ନିଜ କ୍ଲିନିକ୍କୁ ପଠାଇଦେଲେ । ତାଙ୍କଠାରୁ ୫ ହଜାର ଟଙ୍କା ବି ଡାକ୍ତରାଣୀ ଜଣକ ନେଇଥିବା ଅଭିଯୋଗ ହୋଇଛି ।
ମାତ୍ର ଯେତେବେଳେ ତାଙ୍କୁ ଜଣାପଡ଼ିଲା କି ପିଲାଟି ପେଟରେ ହିଁ ମରିଯାଇଛି ତ ସେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ପଠାଇ ଦେଇଥିଲେ । ସେଠାରେ ତାଙ୍କର ପ୍ରସବ କରାଯିବାରୁ ମୃତ ପିଲା ଜନ୍ମ ନେଇଥିଲା । ପିଲାଟିକୁ ମୃତ ଅବସ୍ଥାରେ ଦେଖି ମାଆର ବି ଅବସ୍ଥା ଖରାପ ହୋଇ ଯାଇଥିଲା । ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହାପରେ ପରିବାର ଲୋକେ ମୃତପିଲାଟିକୁ ନେବାକୁ ଅମ୍ବୁଲାନ୍ସ ଚାହିଁଥିଲେ । ମାତ୍ର ଆମ୍ବୁଲାନ୍ସ ନମିଳିବାରୁ ମୃତ ନବଜାତକର ବାପା ତାକୁ ବାଧ୍ୟ ହୋଇ ନିଜ ଗାଡ଼ି ଡିକିରେ ପୂରାଇ ନେଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି ।