ହବିଷ୍ୟାଳି ଓ ଶ୍ରଦ୍ଧାଳୁ ହଇରାଣ
ଖୋଳାଯାଇଛି ଏମାରମଠ ଚକଡ଼ା ଓ ଲକ୍ଷ୍ମୀବଜାର ରାସ୍ତାପାଶ୍ୱର୍
ପୁରୀ (ବୁ୍ୟରୋ): ବର୍ତ୍ତମାନ ଜାରି ରହିଛି ମହାକାର୍ତ୍ତିକ ମାସ । ଦୀର୍ଘ ୨ବର୍ଷ ପରେ ଶ୍ରୀମନ୍ଦିରରେ କାର୍ତ୍ତିକମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ । ସେଥିଲାଗି ଚଳିତବର୍ଷ କାର୍ତ୍ତିକ ଆରମ୍ଭରୁ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ ଲାଗି ସିଂହଦ୍ୱାର ଓ ଶ୍ରୀମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହାରି ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଜାରି ରହିଛି । ଗୋଟିଏ ପଟେ କାର୍ତ୍ତିକମାସ ଯୋଗୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଥିବା ବେଳେ ସେପଟେ ପ୍ରକଳ୍ପ ଅଧୀନ ସିଂହଦ୍ୱାର ସମ୍ମୁଖ ଚକଡ଼ା ଓ ଲକ୍ଷ୍ମୀବଜାର ରାସ୍ତା ପାଶ୍ୱର୍ରେ କାର୍ଯ୍ୟ ଜାରି ରହିଛି । ଫଳରେ ରାସ୍ତା ସଙ୍କୁଚିତ ହୋଇଥିବାରୁ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଉତ୍ତରଦ୍ୱାର ବାହାରକୁ ଆସିବା ସମୟରେ ଉତ୍ତରପାଶ୍ୱର୍ ତଥା ଲକ୍ଷ୍ମୀବଜାର ରାସ୍ତା ପ୍ରବଳ ଭିଡ଼ ହେଉଛି ।
ସିଂହଦ୍ୱାର ସମ୍ମୁଖରେ କାର୍ଯ୍ୟ ଜାରି ରହିଥିବାରୁ ରାସ୍ତା ମଧ୍ୟ ସଙ୍କୁଚିତ ହୋଇପଡିଛି । ଏକ ସମୟରେ ଦୁଇଟି ପାଶ୍ୱର୍ରେ ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏପରିକି ମହାପ୍ରସାଦ ଲାଗି ଉତ୍ତରଦ୍ୱାରକୁ ଯିବା ଆସିବା କଷ୍ଟସାଧ୍ୟ ହୋଇପଡୁଛି । ଏହାକୁ ନେଇ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାରୁ ବିଶେଷ ଭାବେ ହନ୍ତସନ୍ତ ହେଉଛନ୍ତି ବୃଦ୍ଧା ତଥା ହବିଷ୍ୟାଳି । ଏନେଇ ଜଣେ ଶ୍ରଦ୍ଧାଳୁ କୁହନ୍ତି, କାର୍ତ୍ତିକ ଚାଲିଥିବାରୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ହବିଷ୍ୟାଳି ଓ ଭକ୍ତଙ୍କ ସଂଖ୍ୟା ଦୁଇରୁ ତିନିଗୁଣା ବଢ଼ିଥିବା ବେଳେ ସେପଟେ ପ୍ରକଳ୍ପ କାର୍ଯ୍ୟ ପାଇଁ ନାନା ଦହଗଞ୍ଜ ହେବାକୁ ପଡ଼ୁଛି । କେବଳ ଶ୍ରଦ୍ଧାଳୁ ନୁହନ୍ତି ରାସ୍ତା ଦେଇ ପଥଚାରୀଙ୍କ ଠାରୁ ଆରମ୍ଭ କରି ବାଇକ, ସାଇକେଲ, ମହାପ୍ରସାଦ ଲାଗି ଗାଡି ଓ ଟ୍ରଲି ଚଳାଚଳ କରୁଛି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।