ନ୍ୟାୟ ଦାବିରେ ଶାଶୂଘର କବାଟ ଭାଙ୍ଗିଲା ବୋହୂ
ଗାଁ ଦାଣ୍ଡରେ ଶାଶୂ, ଶଶୁର, ନଣନ୍ଦ-ବୋହୂ ହାତାହାତି
ପୁରୀ (ବୁ୍ୟରୋ): ନ୍ୟାୟ ଦାବିରେ ଶାଶୂଘର କବାଟ ଭାଙ୍ଗିଲା ବୋହୂ ଶୁଭଲକ୍ଷ୍ମୀ । ଦୀର୍ଘ ଦେଢ଼ ମାସ ଧରି ଶାଶୂ ଘରକୁ ଯିବାକୁ ଚେଷ୍ଟା କରି ବିଫଳ ହେବା ପରେ ବୁଧବାର ଏମିତି ଢଙ୍ଗରେ ନ୍ୟାୟ ପାଇଁ କବାଟ ଭାଙ୍ଗିବାକୁ ଉଦ୍ୟମ କରିଛି ବୋହୂ । ଅନ୍ୟପଟେ ଶାଶୂ, ଶଶୁର ଓ ନଣନ୍ଦ କାଠଫାଳିଆରେ ବୋହୂ ଶୁଭଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ । ଏଥିରୁ ବର୍ତ୍ତିବା ପାଇଁ ଶୁଭଲକ୍ଷ୍ମୀ ସେମାନଙ୍କ ଉପରକୁ ପଥର ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ତେବେ ଶାଶୂଘର ଲୋକେ ଘଟଣାସ୍ଥଳରୁ ଯିବା ସମୟରେ ଲଙ୍କାଗୁଣ୍ଡା ଉଡ଼ାଇ ଦେବାରୁ ଶୁଭଲକ୍ଷ୍ମୀଙ୍କ ୫ ବର୍ଷର ପୁଅ ଆଖିରେ ଲଙ୍କାଗୁଣ୍ଡା ପଡ଼ି କଲବଲ ହୋଇଥିଲା । ପରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଶୁଭଲକ୍ଷ୍ମୀ କୁହନ୍ତି, ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ପ୍ରଧାନ ଏବଂ ତାଙ୍କ ପରିବାର ସଦସ୍ୟ ମିଶି ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । ହେଲେ ସେ ପୁଲିସରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅନ୍ୟପକ୍ଷରେ ଉଭୟ ଶୁଭଲକ୍ଷ୍ମୀ ଓ ପ୍ରହଲ୍ଲାଦଙ୍କ ମଧ୍ୟରେ ଛାଡପତ୍ର ମାମଲା ପରେ ଏହି ବିବାଦ ଲୋକଲୋଚନକୁ ଆସିଥିଲା ।
ସୂଳଚନାଯୋଗ୍ୟ ଶୁଭଲକ୍ଷ୍ମୀଙ୍କ ବାପଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଜିରାଗ୍ରାମରେ ହୋଇଥିବା ବେେ ଗତ ୨୦୧୫ରେ ପୁରୀ ସହରର ସମୁଦ୍ରକୂଳ ଥାନା ବାଙ୍କିମୁହାଣ ଅଞ୍ଚଳର ପ୍ରହଲ୍ଲାଦ ପ୍ରଧାନଙ୍କୁ ବିବାହ କରିଥିଲେ । ବିବାହ ପରେ ବାପଘରୁ ଅଧିକ ଯୌତୁକ ଆଣିବା ଦାବିରେ ଶୁଭଲକ୍ଷ୍ମୀଙ୍କୁ ତାଙ୍କ ଶାଶୂ ଓ ନଣନ୍ଦ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏହାର କିଛିଦିନ ପରେ ସେ ତାଙ୍କ ବାପଘରକୁ ଚାଲି ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ଶାଶୂଘରକୁ ଆସିଥିଲେ । ହେଲେ ନିର୍ଯାତନା କମିବା ପରିବର୍ତ୍ତେ ବଢ଼ିଥିଲା । ତେବେ ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କୁ ଶାଶୂଘର ଲୋକେ ନାନା ନିର୍ଯାତନା ଦେଇଥିବା କହିଛନ୍ତି । ତେବେ ଶାଶୂ ମହିଳା କମିଶନଙ୍କ ନିକଟରେ ମିଥ୍ୟା ଅଭିଯୋଗ କରି ବିଫଳ ହେବା ପରେ ସ୍ୱାମୀ ପ୍ରହଲ୍ଲାଦ ଜିଲ୍ଲା ଫ୍ୟାମିଲ୍ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । କିନ୍ତୁ କୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ଧାର୍ଯ୍ୟ ତାରିଖରେ ପ୍ରହଲ୍ଲାଦ ଅନୁପସ୍ଥିତ ରହିବାରୁ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ । ପରେ ଶୁଭଲକ୍ଷ୍ମୀ ନିଜ ପୁଅକୁ ଧରି ଶାଶୂ ଘରେ ରହିବାକୁ ଆସିଥିଲେ ମଧ୍ୟ ଶାଶୂଘର ଲୋକ ଘରର ବାହାରପଟୁ ତାଲା ପକାଇ ଦେଇଥିଲେ । ବାଧ୍ୟ ହୋଇ ଶୁଭଲକ୍ଷ୍ମୀ ନିଜ ପୁଅକୁ ଧରି ନ୍ୟାୟ ପାଇଁ ଦୀର୍ଘ ଦେଢ ମାସ ହେବ ଶାଶୂଘର ବାରଣ୍ଡାରେ ଧାରଣା ଦେଇଥିଲେ ।