ଇତିହାସ ରଚିଲେ ସାଜନ
୨୩ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିଅନ୍ସିପ୍
ପୋଣ୍ଟେଭେଦ୍ରା, ୧୯ା୧୦ (ଏଜେନ୍ସି): ସାଜନ ଭାନୱାଲ ପ୍ରଥମ ଭାରତୀୟ ଗ୍ରୀକୋ ରୋମାନ୍ କୁସ୍ତିଯୋଦ୍ଧା ଭାବେ ୨୩ ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନ୍ସିପ୍ରେ ପଦକ ଜିତି ଇତିହାସ ରଚିଛନ୍ତି । ସେ ୭୭ କିଲୋଗ୍ରାମ୍ ବର୍ଗର କାଂସ୍ୟ ପଦକ ପ୍ଲେ-ଅଫ୍ରେ ୟୁକ୍ରେନ୍ର ଦିମିତ୍ରୋ ଭାସେତସ୍କିଙ୍କୁ ପରାସ୍ତ କରିଛନ୍ତି ।
ଦ୍ଭ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତୀୟ କୁସ୍ତିଯୋଦ୍ଧା
ସାଜନ ମୁକାବିଲାର ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁକ୍ରେନୀୟ ଦିମିତ୍ରୋଙ୍କ ବିପକ୍ଷରେ ୪-୧୦ରେ ପଛୁଆ ଥିଲେ । ଦ୍ୱିତୀୟ-ତୃତୀୟ ରାଉଣ୍ଡରେ ଭାରତୀୟ କୁସ୍ତିଯୋଦ୍ଧା ଜୋର୍ଦାର ପ୍ରତ୍ୟାବର୍ତ୍ତନ କରି ସ୍କୋର୍କୁ ୧୦-୧୦ରେ ବରାବର କରିଥିଲେ । ଶେଷରେ ରେଫରୀ ତାଙ୍କୁ ବିଜେତା ଘୋଷଣା କରିଥିଲେ ।
ସାଜନ ଲିଥୁଆନିଆର ଅଷ୍ଟିସ୍ ଲିଅଗ୍ମିନାସ୍ଙ୍କୁ ୩-୦ରେ ହରାଇଥିଲେ; କିନ୍ତୁ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ମାଲ୍ଡୋଭାର ଆଲେକ୍ଜାଣ୍ଡ୍ରିନ୍ ଗୁଟୁଙ୍କ ଠାରୁ ହାରି ଯାଇଥିଲେ । ଗୁଟୁ ଫାଇନାଲ୍ରେ ପ୍ରବେଶ କରିବାରୁ ସାଜନ ରେପେଚେଜ୍ ଜରିଆରେ ପଦକ ଦୌଡ଼କୁ ଫେରିଥିଲେ । ଏଥିରେ ସେ ପ୍ରଥମେ କାଜାଖସ୍ତାନର ରସୁଲ ଖୁନିସ୍ଙ୍କୁ ମାତ୍ ଦେଇଥିଲେ ।
ଦ୍ଭ ବିକାଶ ଓ ସୁମିତଙ୍କଠୁ ଆଶା
ଇତ୍ୟବସରେ ବିକାଶ ୭୨ କିଗ୍ରାରେ କାଂସ୍ୟ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ସେମିଫାଇନାଲ୍ରେ ଟେକ୍ନିକାଲ୍ ସୁପରିଅରିଟି ଆଧାରରେ କ୍ରୋଏସିଆର ପାଭେଲ୍ ପୁକଲାଭେକ୍ଙ୍କ ଠାରୁ ହାରି ଯାଇଥିଲେ । ସେ କାଂସ୍ୟ ପାଇଁ ରେପେଚେଜ୍ ବିଜେତା ଜର୍ଜିଅସ୍ ଥେଓଦୋରୋସ୍ ସୋଟିରିଆଦିସ୍ ଅଥବା ଜାପାନର ଦାଇଗୋ କୋବାୟାଶୀଙ୍କୁ ଆହ୍ୱାନର ସମ୍ମୁଖୀନ ହେବେ ।
ସେହିପରି ୬୦ କିଗ୍ରା ବର୍ଗରେ ସୁମିତ ରେପେଚେଜ୍ ଜରିଆରେ ପଦକ ଦୌଡ଼କୁ ଫେରିଛନ୍ତି । ସେ କାଜାଖସ୍ତାନର ଓଲହାସ୍ ସୁଲ୍ତାନଙ୍କୁ ଭେଟିବେ । ତେବେ ୬୭ କିଗ୍ରାରେ ଅଂଶୁ କ୍ୱାଲିଫିକେସନ୍ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଏହି ଚାମ୍ପିଅନ୍ସିପ୍ ପାଇଁ ଭାରତରୁ ଦୁଇ ଜଣ ମହିଳା ଓ ଜଣେ ଫ୍ରି ଷ୍ଟାଇଲ୍ କୁସ୍ତିଯୋଦ୍ଧାଙ୍କ ସହିତ ଛଅ ଜଣ ରୋମାନ୍ କୁସ୍ତିଯୋଦ୍ଧା ସ୍ପେନୀୟ ସହରକୁ ଆସିଛନ୍ତି ।