ନ୍ୟାୟପାଳିକାରେ ପ୍ରବଳ ଗୋଷ୍ଠୀ କନ୍ଦଳ
କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ
ନୂଆଦିଲ୍ଲୀ, ୧୮ା୧୦: କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ନ୍ୟାୟପାଳିକା ଉପରେ ବିସ୍ଫୋରକ ବୟାନ ଦେଇଛନ୍ତି । ନ୍ୟାୟପାଳିକାର ପାରଦର୍ଶିତା ନାହିଁ ବୋଲି ସେ କହିଛନ୍ତି । ତାଙ୍କ ମତରେ ନ୍ୟାୟପାଳିକାରେ ଖୁବ୍ ରାଜନୀତି ହେଉଛି । ସୁପ୍ରିମ୍କୋର୍ଟ କଲେଜିଏମ୍ ବ୍ୟବସ୍ଥା ମଧ୍ୟ ରାଜନୀତିରୁ ବାଦ୍ ପଡି ନାହିଁ । ତାହା ବାହାରକୁ ଯଦିଓ ଦେଖାଯାଉ ନାହିଁ, ଜଜ୍ମାନଙ୍କ ଭିତରେ ବହୁ ମତଭେଦ ରହିଛି । ଅନେକ ସମୟରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି । ଜଜ୍ମାନେ ଯଦି ନ୍ୟାୟ ଦେବାର କର୍ତ୍ତବ୍ୟରୁ ଓହରି କାର୍ଯ୍ୟପାଳିକା କାମ କରିବେ, ଆମକୁ ସମଗ୍ର ବ୍ୟବସ୍ଥାର ପୁନଃ ଆକଳନ କରିବାକୁ ହେବ ଏବଂ ଜଜ୍ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ହେବ ।
ଅହମଦାବାଦଠାରେ ଆର୍ଏସ୍ଏସ୍ର ପତ୍ରିକା ପାଞ୍ଚଜନ୍ୟ ପକ୍ଷରୁ ଆୟୋଜିତ ‘ସାବରମତୀ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ ଏପରି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ସମ୍ବିଧାନ ଅନୁଯାୟୀ ଜଜ୍ ନିଯୁକ୍ତି ରାଷ୍ଟ୍ରପତି ବା ସରକାରଙ୍କ କାର୍ଯ୍ୟ । ୧୯୯୩ ପର୍ଯ୍ୟନ୍ତ ସରକାର ଜଜ୍ ନିଯୁକ୍ତ କରି ଆସୁଥିଲେ । ଏଥିରେ ପ୍ରଧାନବିଚାରପତିଙ୍କ ପରାମର୍ଶ ନିଆଯାଉଥିଲା । ୧୯୯୩ ପରେ ସୁପ୍ରିମ୍କୋର୍ଟଙ୍କଠାରୁ ପରାମର୍ଶ ନେବା ନ୍ୟାୟପାଳିକାରେ ହସ୍ତକ୍ଷେପ ବୋଲି କୁହାଗଲା ।
୧୯୯୩ ପୂର୍ବରୁ ଜଜ୍ ନିଯୁକ୍ତିରେ ଅନ୍ୟ କୌଣସି ଜଜ୍ଙ୍କ ହାତ ରହୁନଥିଲା । ଏବେ କିନ୍ତୁ ସେଭଳି ହେଉ ନାହିଁ ।
୧୯୯୮ରେ ସୁପ୍ରିମ୍କୋର୍ଟ ଜଜ୍ ନିଯୁକ୍ତି ପାଇଁ ନିଜ କଲେଜିଏମ୍ ବ୍ୟବସ୍ଥା ଆରମ୍ଭ କଲେ । ଅନ୍ୟ କୌଣସି ଦେଶରେ ଜଜ୍ମାନେ ଅନ୍ୟ ଜଜ୍ଙ୍କୁ ନିଯୁକ୍ତି ଦିଅନ୍ତି ନାହିଁ । ୨୦୧୪ରେ ଏନ୍ଡିଏ ସରକାର ନ୍ୟାସନାଲ୍ ଜୁଡିସିଆଲ୍ ଆପଏଣ୍ଟମେଣ୍ଟସ୍ କମିଶନ (ଏନ୍ଜେଏସି) ଅଧିନିୟମ ଆଣିଲେ । ସରକାର ଭାବିଥିଲେ ଏହାଦ୍ୱାରା ଜଜ୍ ନିଯୁକ୍ତି ପଦ୍ଧତିରେ ପରିବର୍ତ୍ତନ ଅଣାଯାଇପାରିବ । ଏନ୍ଜେଏସି ଏକ ପ୍ରସ୍ତାବିତ ସଂସ୍ଥା ଥିଲା । ଏହାକୁ ଜଜ୍ଙ୍କ ନିଯୁକ୍ତି ଓ ବଦଳି ଦାୟିତ୍ୱ ଦିଆଯାଇଥିଲା । ଏନ୍ଜେଏସି ଅଧିନିୟମ ଓ ସମ୍ବିଧାନ ସଂଶୋଧନ ଅଧିନିୟମ ୨୦୧୫ ଏପ୍ରିଲ୍ ୧୩ରେ ଲାଗୁ ହେଲା । କିନ୍ତୁ ସୁପ୍ରିମ୍କୋର୍ଟ ସେହି ବର୍ଷ ଅକ୍ଟୋବର ୧୬ ତାରିଖ ଦିନ ଏନ୍ଜେଏସି ଅଧିନିୟମକୁ ଅଚଳ କରିଦେଲେ । ଏହି ନିଷ୍ପତ୍ତି ପରେ ଜଜ୍ ନିଯୁକ୍ତି ସମ୍ବନ୍ଧୀୟ କଲେଜିଏମ୍ ସିଷ୍ଟମ ପୁନଃ ପ୍ରଚଳିତ ହେଲା ।
ଜଜ୍ମାନଙ୍କ ପ୍ରଧାନ କାମ ନ୍ୟାୟ ଦେବା । କିନ୍ତୁ ମୁଁ ଲକ୍ଷ୍ୟ କରିଛି ଜଜ୍ମାନେ ଅନ୍ୟ ଜଜ୍ମାନଙ୍କ ନିଯୁକ୍ତି ନେଇ ଅଧାରୁ ଅଧିକ ସମୟ ଅତିବାହିତ କରୁଛନ୍ତି ଏହାଦ୍ୱାରା ସେମାନଙ୍କ ମୁଖ୍ୟ କର୍ତ୍ତବ୍ୟ ନ୍ୟାୟ ପ୍ରଦାନ ପ୍ରଭାବିତ ହେଉଛି । ଆଇନମନ୍ତ୍ରୀ କହିଲେ ଯେ ସମ୍ବିଧାନ ସବୁଠାରୁ ପବିତ୍ର ଦସ୍ତାବିଜ୍ । ଏହାର ତିନି ସ୍ତମ୍ଭ ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ମୋ ମତରେ ବିଧାୟିକା ଓ କାର୍ଯ୍ୟପାଳିକାର କାର୍ଯ୍ୟ ସମ୍ପାଦନକୁ ଉତ୍ତମତର କରାଇବା ଦାୟିତ୍ୱ ନ୍ୟାୟପାଳିକାର । କିନ୍ତୁ ଚିନ୍ତାର ବିଷୟ ହେଉଛି ନ୍ୟାୟପାଳିକା କର୍ତ୍ତବ୍ୟଚୁ୍ୟତ ହେଉଛି ଏବଂ ତାହାକୁ ସୁଧାରିବାର କୌଣସି ବାଟ ନାହିଁ ।
ନ୍ୟାୟପାଳିକାର କାର୍ଯ୍ୟରେ ସରକାର ହସ୍ତକ୍ଷେପ କରୁନାହାନ୍ତି ବୋଲି ଦର୍ଶାଇ ରିଜିଜୁ କହିଛନ୍ତି ବିଜେପି ସରକାର ନ୍ୟାୟପାଳିକାକୁ କେବେବି ନୁ୍ୟନ ଦୃଷ୍ଟିରେ ଦେଖ ନାହିଁ, କେବେବି ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ ଉଦ୍ୟମ କରି ନାହିଁ । ଯଦି ଆମେ ନ୍ୟାୟପାଳିକାକୁ ନିୟନ୍ତ୍ରିତ କରିବା ଲାଗି ପଦକ୍ଷେପ ନେବୁ ଲୋକେ କହିବେ ସରକାର ନ୍ୟାୟପାଳିକାକୁ ପ୍ରଭାବିତ ବା ନିୟନ୍ତ୍ରିତ କରିବାକୁ ଏବଂ ଜଜ୍ ନିଯୁକ୍ତିରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ କାର୍ଯ୍ୟକାଳରେ ୩ଜଣ ବରିଷ୍ଠ ବିଚାରପତିଙ୍କୁ ହଟାଇ ଅନ୍ୟ ଜଣେ ଜଜ୍ଙ୍କୁ ଦେଶର ପ୍ରଧାନ ବିଚାରପତି କରାଯାଇଥିଲା । ମୋଦି ସରକାର ସେଭଳି କରୁନାହାନ୍ତି ।
କେନ୍ଦ୍ର ଆଇନମନ୍ତ୍ରୀ ନ୍ୟାୟପାଳିକା ମଧ୍ୟରେ ଏକ ସେଲ୍ଫ-ରେଗୁଲେଟରୀ ମେକାନିଜମ୍ ଦାବି କରିଛନ୍ତି ଯାହାଦ୍ୱାରା ଜଜ୍ମାନଙ୍କ କାର୍ଯ୍ୟଶୈଳୀ ନିୟନ୍ତ୍ରଣରେ ରହିପାରିବ । ‘ବିଭିନ୍ନ ସମୟରେ ମୁଁ ଦେଖିଛି ଅନେକ ଜଜ୍ ବାସ୍ତବ ବିଷୟ ନଜାଣି ନିଜ ସୀମା ବାହାରକୁ ଯାଇ କାର୍ଯ୍ୟପାଳିକାର କର୍ତ୍ତବ୍ୟ ସମ୍ପାଦନ ଉଦ୍ୟମ କରୁଛନ୍ତି । ନ୍ୟାୟପାଳିକା ଲକ୍ଷ୍ମଣ ରେଖା ଟପିବା ଅନୁଚିତ୍ । ସାଂସଦ ହୁଅନ୍ତୁ ବା ଜଜ୍, ସମସ୍ତଙ୍କର ବିଶେଷ ଅଧିକାର ଅଛି । ସଂସଦରେ କୋଡ୍ ଅଫ୍ ଏଥିକ୍ସ ରହିଛି, କିନ୍ତୁ ନ୍ୟାୟପାଳିକାରେ ସେପରି ବ୍ୟବସ୍ଥା ନାହିଁ । ଆଜିର ସୋସାଲ୍ ମିଡିଆ ଯୁଗରେ କୋର୍ଟର ଲାଇଭ୍ ଷ୍ଟ୍ରିମିଙ୍ଗ୍ ଦ୍ୱାରା ଲୋକେ ଜଜ୍ଙ୍କୁ ଜଜ୍ କରିବେ । ମୁଁ ନ୍ୟାୟପାଳିକାକୁ ଅର୍ଡର ଦେଉନାହିଁ, ଚେତାବନୀ ଦେବାକୁ ଚାହୁଁଛି ନ୍ୟାୟପାଳିକା ମଧ୍ୟ ଗଣତନ୍ତ୍ରର ଅଂଶବିଶେଷ । ଲୋକେ ସେମାନଙ୍କୁ ଦେଖୁଛନ୍ତି । ତେଣୁ ସେମାନଙ୍କ ବ୍ୟବହାର ଯଥୋଚିତ ହେବା ଆବଶ୍ୟକ ।
ରିଜିଜୁଙ୍କ ମତରେ ଭାରତର ନ୍ୟାୟପାଳିକା ଆଜି ବି ୨୦୦ବର୍ଷର ବ୍ରିଟିଶ୍ ରାଜ ପ୍ରଭାବରୁ ବାହାରି ଆସିପାରି ନାହିଁ । ବ୍ରିଟିଶ୍ ଡ୍ରେସ୍ କୋର୍ଡକୁ ଅନୁସରଣ କରାଯାଉଛି । ନିଜ ଦେଶର ପାଣିପାଗ ଓ ସଂସ୍କୃତି ଅନୁସାରେ ଜଜ୍ମାନଙ୍କ ବେଶ ପୋଷାକରେ ପରିବର୍ତ୍ତନ ସମ୍ପର୍କରେ ମୁଁ ପ୍ରଧାନବିଚାରପତିଙ୍କ ସହ ଆଲୋଚନା କରିବି ।