ତ୍ୱରାନ୍ୱିତ ହେଉ ରେଡ୍ କର୍ଣ୍ଣର ନୋଟିସ୍
ନୂଆଦିଲ୍ଲୀରେ ୯ଠତମ ଇଣ୍ଟରପୋଲ୍ ଅଧିବେଶନ
ନୂଆଦିଲ୍ଲୀ(ଏଜେନ୍ସି): ଇଣ୍ଟରନ୍ୟାସନାଲ କ୍ରିମିନାଲ ପୁଲିସ୍ ଅର୍ଗାନାଇଜେସନ୍ (ଇଣ୍ଟରପୋଲ୍)ର ୯ଠତମ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ୨୧ ଅକ୍ଟୋବର ପର୍ଯ୍ୟନ୍ତ ଏହା ଜାରି ରହିବ । ଚଳିତ ବର୍ଷ ଭାରତ ଏହି ଅଧିବେଶନର ଆୟୋଜକ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୋଦି ଉପସ୍ଥିତ ଇଣ୍ଟରପୋଲ୍ ସମସ୍ତ ବଡ଼ ପଦାଧିକାରୀ ତଥା କର୍ମଚାରୀଙ୍କୁ ସମ୍ବୋଧିତ କରି ବେଶ୍ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।
ନିଜ ୧୪ ମିନିଟର ଭାଷଣରେ ମୋଦି କହିଛନ୍ତି, ୯୯ ବର୍ଷ ଧରି ଇଣ୍ଟରପୋଲ୍ ବିଶ୍ୱସ୍ତରରେ ପ୍ରାୟ ୧୯୫ଟି ଦେଶର ପୁଲିସ୍ ବ୍ୟବସ୍ଥାକୁ ଏକ ଅଦୃଶ୍ୟ ସୂତା ଖିଅରେ ସଂଯୋଗ କରିବା ସହ ସମନ୍ୱୟ ରକ୍ଷା କରିଆସିଛି । ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ୍ ତଥା ପୁଲିସ୍ ବ୍ୟବସ୍ଥାଗତ ଢ଼ାଞ୍ଚା ରହିଥିବାରୁ ଏପ୍ରକାର ସମନ୍ୱୟତାର ଆବଶ୍ୟକତା ରହିଛି । ସ୍ୱାଧୀନତା ଲାଭ କରିବା ପୂର୍ବରୁ ଆରମ୍ଭ କରି ଆଜି ଯାଏ ବିଶ୍ୱ ଶାନ୍ତି ରକ୍ଷା ଦିଗରେ ଭାରତ ନିଜ ସର୍ବୋତ୍ତମ ବଳିଦାନ ଦେଇଆସିଛି । ମୋଦି ଏହି ଅବସରରେ ଇଣ୍ଟରପୋଲ୍କୁ ପଳାତକଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା ପ୍ରକ୍ରିୟାକୁ ତ୍ୱରିତ କରିବାକୁ ପରାମର୍ଶ ଦେଇଛନ୍ତି । ଇଣ୍ଟରପୋଲ୍ ନିଜ କାମକୁ ବେଶ୍ ପ୍ରଭାବୀ ଢ଼ଙ୍ଗରେ କରୁଥିବା ବେଳେ ଏଥିରେ ସାମାନ୍ୟ କ୍ଷୀପ୍ରତାର ଆବଶ୍ୟକତା ରହିଥିବା ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ପ୍ରତ୍ୟେକ ଦେଶରେ କାର୍ଯ୍ୟରତ ପୁଲିସ୍ ବାହିନୀର କର୍ତ୍ତବ୍ୟନିଷ୍ଠାକୁୂ ପ୍ରଂଶସା କରିଛନ୍ତି । ସେହିପରି ଭାରତୀୟ ପୁଲିସ୍ ପ୍ରଶାସନକୁ ପ୍ରଶଂସା କରିବାକୁ ଯାଇ ମୋଦି କହିଛନ୍ତି, ଭାରତୀୟ ପୁଲିସ୍ କେବଳ ଜନତାଙ୍କ ସୁରକ୍ଷା ନୁହେଁ, ସାମାଜିକ କଲ୍ୟାଣରେ ମଧ୍ୟ ସଦାସର୍ବଦା ସମର୍ପିତ । ମୋଦି କହିଛନ୍ତି, ବର୍ତ୍ତମାନ ସମୟରେ ଆଞ୍ଚଳିକସ୍ତରରେ ଜନକଲ୍ୟାଣ ପାଇଁ ବିଶ୍ୱସ୍ତରରେ ସହଯୋଗ’ ହିଁ ଭାରତର ଆହ୍ୱାନ । ଯେତେବେଳେ ବିପଦ ହିଁ ବିଶ୍ୱସ୍ତରୀୟ ହେବ ସେତେବେଳେ ଏହାର ଜବାବ ସ୍ଥାନୀୟ ବା ଆଞ୍ଚଳିକ ସ୍ତରର ହେବା ଉଚିତ୍ ନୁହେଁ । ଏଭଳି ବିପଦର ମୁକାବିଲା କରିବାକୁ ବିଶ୍ୱ ସମୁଦାୟକୁ ଏକଜୁଟ୍ ହେବାକୁ ପଡିବ । ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ବିଶ୍ୱ ଏକତାର ଆବଶ୍ୟକତା ରହିଛି । ଅପରାଧ, ଦୁର୍ନୀତି ଏବଂ ଆତଙ୍କବାଦକୁ ହରାଇବା ପାଇଁ ବିଶ୍ୱସ୍ତରରେ ଯୋଗାଯୋଗ, ସମନ୍ୱୟତା ଏବଂ ସହଯୋଗ ହିଁ ମୂଳମନ୍ତ୍ର ।