ପ୍ରଚାରରେ ପ୍ରାର୍ଥୀ-ନେତା
ଭୁବନେଶ୍ୱର/ଧାମନଗର (ବୁ୍ୟରୋ/ଆପ୍ର): ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି । ନିର୍ବାଚନ ମୈଦାନରେ ମୋଟ ୫ ଜଣ ପ୍ରାର୍ଥୀ, ବିଜେଡି, ବିଜେପି, କଂଗ୍ରେସ ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ୫ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କଣ ହେବ ରାଜୁଙ୍କ ରଣନୀତି? ବିଜେଡି ଭୋଟରଙ୍କୁ ସେ ନିଜ ଆଡ଼କୁ କରି ପାରିବେ ତ? ନା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବେ? ଏମିତି ଏକାଧିକ ପ୍ରଶ୍ନ ଉଠିଛି ।
ପ୍ରଚାର ଜୋରଦାର ହୋଇଥିବାବେଳେ, ଏହା ମଧ୍ୟ ପ୍ରଶ୍ନ ଉଠୁଛି, ରାଜୁ ଦାସଙ୍କୁ ଟିକେଟ ନଦେଇ ଭୁଲ କରିଦେଇନାହିଁ ତ ବିଜେଡି? ବିଜେଡି ସାଙ୍ଗଠନିକ ସ୍ତରରେ ଏହା ଏକ ତୃଟିପୂର୍ଣ୍ଣ ନିଷ୍ପତ୍ତି କି? କାରଣ ରାଜୁଙ୍କ ହାତରେ ବିଜେଡି ଭୋଟ ବ୍ୟାଙ୍କ ରହିଛି । ରାଜୁ ବିଜେଡିର ଜଣେ ସକ୍ରିୟ ସଦସ୍ୟ ତଥା ସଙ୍ଗଠକ ଥିଲେ । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ଭୋଟ ବ୍ୟାଙ୍କ ୨ ଫାଳ ହେବ । ଏହାର ସିଧା ଫାଇଦା ବିଜେପିକୁ ଯିବ । କାରଣ ବିଜେପି ପାଖରେ ଅନୁକମ୍ପା ଭୋଟ ରହିଛି । ଆଉ ବିଜେଡି ପାଖରେ ଏକ ମାତ୍ର ବିକଳ୍ପ ହେଲା, ନିଜେ ନବୀନ ମୈଦାନକୁ ଓହ୍ଲାଇବା । ତେବେ ଯାଇ ବିଜେଡି ଆଡଭାନଟେଜ ସ୍ଥିତିକୁ ଆସିବ ବୋଲି ପ୍ରକାଶ ପାଇଛି ।
ସେପଟେ ବିଜେପି କହିଛି ରାଜୁ ଦାସ ବିଦ୍ରୋହୀ ହୁଅନ୍ତୁ କି ନ ହୁଅନ୍ତୁ ତାଙ୍କୁ କିଛି ଫରକ ପଡେ ନାହିଁ । କାରଣ ଦିବଗଂତ ନେତା ବିଷ୍ଣୁ ସେଠୀଙ୍କ ପୁଅ ବାପା ବଞ୍ଚିଥିବା ସମୟରୁ ଲୋକଙ୍କ ସହ ଅଛନ୍ତି । ସେ ଲୋକଙ୍କ ସହ ମିଶିଛନ୍ତି ଧାମନଗରବାସୀଙ୍କ ଅଭାବ ଅସୁବିଧା କଥା ବୁଝିଛନ୍ତି । ଏବେ ଅନୁକମ୍ପାମୂଳକ ଭୋଟ ତାଙ୍କ ପାଖକୁ ଯିବ ହିଁ ଯିବ । ତେଣୁ ବିଜେଡି ଭୋଟବ୍ୟାଙ୍କ ଯାହା ହେଉନା କାହିଁକି ବିଜେପି ଧାମନଗର ଉପନିର୍ବାଚନ ଜିତିବ ବୋଲି କହିଛନ୍ତି ବିଜେପି ମିଡିଆ ସେଲ ମୁଖ୍ୟ ଦିଲୀପ ମଲ୍ଲିକ । ସେହିଭଳି ଧାମନଗର ବାଜି ଜିତିବାକୁ କଂଗ୍ରେସ ବି ଆଶାୟୀ । ଦଳର ବରିଷ୍ଠ ବିଧାୟକ ତାରା ବିହାନୀପତି କହିଛନ୍ତି, ଧାମନଗରରେ ଦଳ ଭଲ ପ୍ରଦର୍ଶନ କରିବ ଦଳ । ଜିତିବା ହାରିବା ପ୍ରସଙ୍ଗକୁ ଆମେ ଯାଉନାହୁଁ । ଦଳ ଭଲ କରିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ମହିଳା କାର୍ଡ ଖେଳି ବିଜୁ ଜନତା ଦଳ ବାର୍ତ୍ତା ଦେବାକୁ ଚାହୁଁଥିବା ଦଳ ମହିଳାଙ୍କୁ କେତେ ଗୁରୁତ୍ୱ ଦିଏ । ଆଉ ଏହି ଆଧାରରେ ଦଳ ସହଜରେ ନିର୍ବାଚନ ଜିତିବାକୁ ଯୋଜନା କରିଥିଲା । ହେଲେ ଭଦ୍ରକରେ ଯାଜପୁରର ରାଜୁତି ଚଳିବ ନାହିଁ ବୋଲି ବିଜେଡି ସମର୍ଥକ ମାନେ ପରୋକ୍ଷରେ ରାଜୁ ଦାସଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରି ପ୍ରମାଣ କରିଦେଇଛନ୍ତି । ଏହାସହ ସଙ୍ଗଠନ ଦାୟିତ୍ୱରେ ଥିବା ଯାଜପୁର ନେତାଙ୍କୁ ସିଧା ·ଲେଞ୍ଜ ଦେଇଛନ୍ତି ବୋଲି ତାରା କହିଛନ୍ତି ।
ଏହି ସ୍ଥିତିରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଠ ସେଠୀ ମଙ୍ଗଳବାର ଧାମନଗରରେ ନିଜ ପ୍ରଚାର କରିଥିବାବେଳ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ତିହିଡିରେ ପ୍ରଚାର ଆରମ୍ଭ କରିଛନ୍ତି ।