ବିନ୍ନି ୩୬ତମ ବିସିସିଆଇ ସଭାପତି
ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ୍ ମୁଖିଆ; ଧୂମଲ ଆଇପିଏଲ୍ ଅଧ୍ୟକ୍ଷ
ମୁମ୍ବାଇ, ୧୮ା୧୦ (ଏଜେନ୍ସି): ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ର ହିରୋ ତଥା ପୂର୍ବତନ ଅଲ୍ରାଉଣ୍ଡର୍ ରୋଜର ବିନ୍ନି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ୩୬ତମ ସଭାପତି ହୋଇଛନ୍ତି । ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ମଙ୍ଗଳବାର ବିନ୍ନିଙ୍କୁ ସଭାପତି ନିର୍ବାଚିତ କରାଯାଇଛି । ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ।
ଏତଦ୍ଭିନ୍ନ, ଜୟ ଶାହା କ୍ରମାଗତ ଦ୍ୱିତୀୟ ଥର ସମ୍ପାଦକ ଏବଂ ଆଶିଷ ଶେଲାର କୋଷାଧ୍ୟକ୍ଷ, ରାଜୀବ ଶୁକ୍ଳା ଉପ-ସଭାପତି ଓ ଦେବଜିତ୍ ସାଇକିଆ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।
ପୂର୍ବରୁ କୋଷାଧ୍ୟକ୍ଷ ଥିବା ଅରୁଣ ଧୂମଲ ଆଇପିଏଲ୍ ଗଭର୍ଣ୍ଣି କାଉନ୍ସିଲ୍ର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ଏବଂ ସେ ବ୍ରିଜେଶ ପଟେଲ୍ଙ୍କ ସ୍ଥାନ ନେଇଛନ୍ତି । କାଉନ୍ସିଲ୍କୁ ଅଭିଷେକ ଡାଲ୍ମିୟା ବି ନିର୍ବାଚିତ ହୋଇଥିଲେ । ସେହିପରି ଏମ୍କେଜେ ମଜୁମଦାର ବିସିସିଆଇ ଆପେକ୍ସ କାଉନ୍ସିଲ୍କୁ ନିର୍ବାଚିତ ହୋଇଥିଲେ । ବିସିସିଆଇର ଏଜିଏମ୍ ତାଜ୍ ହୋଟେଲ୍ରେ ଅନୁଷ୍ଠିତ ହୋଇଥିଲା ।
ତେବେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଅଧ୍ୟକ୍ଷ ପଦବୀ ନେଇ ଏଜିଏମ୍ରେ କୌଣସି ଆଲୋଚନା ହୋଇ ନ ଥିଲା । ଆସନ୍ତା ମାସରେ ମେଲ୍ବର୍ଣ୍ଣ ଠାରେ ପରବର୍ତ୍ତୀ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେବେ ।
ଏକମାତ୍ର ସଭାପତି ପ୍ରାର୍ଥୀ ଥିଲେ ବିନ୍ନି
୬୭ବର୍ଷୀୟ ବିନ୍ନି ବିସିସିଆଇ ସଭାପତି ପାଇଁ ନାମାଙ୍କନ ଦାଖଲ କରିବାରେ ଏକମାତ୍ର ପ୍ରାର୍ଥୀ ଥିଲେ । ସେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ । ବିନ୍ନି ନିଜ ସଦ୍ୟ କାର୍ଯ୍ୟକାଳରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ସଭାପତି ଥିଲେ ଏବଂ ଏବେ ବିସିସିଆଇ ସଭାପତି ହେବା ପରେ ସେ ରାଜ୍ୟ ୟୁନିଟ୍ରେ ନିଜ ପଦବୀ ଛାଡ଼ିବେ ।
ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ୍
ବିନ୍ନି ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଖେଳାଳି । ସେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ କ୍ରିକେଟ୍ ଟିମ୍ରେ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ୍ ଖେଳାଳି ଥିଲେ ।
ସେ ୧୯୭୭ରେ କର୍ଣ୍ଣାଟକ ଟିମ୍ ପକ୍ଷରୁ କେରଳ ବିପକ୍ଷରେ ୨୧୧ ରନ୍ର ଇନିଂସ୍ ଖେଳିଥିଲେ । ଏହାପରେ ଘରୋଇ କ୍ରିକେଟ୍ରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା । ଅଲ୍ରାଉଣ୍ଡର୍ ବିନ୍ନି ୧୯୭୯ରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ପାକିସ୍ତାନ ବିପକ୍ଷରେ ଜାତୀୟ ଟିମ୍ ପାଇଁ ଡେବୁ୍ୟ କରିଥିଲେ । ସେ ଭାରତ ପକ୍ଷରୁ ମୋଟ୍ ୨୭ ଟେଷ୍ଟ ଓ ୭୨ ଦିନିକିଆ ଆନ୍ତର୍ଜାତିକ ଖେଳିଛନ୍ତି । ସେ ତାଙ୍କ ଶେଷ ମ୍ୟାଚ୍ ୧୯୮୭ ଅକ୍ଟୋବର ୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ।
୧୯୮୩ ବିଶ୍ୱ ବିଜେତା ଟିମ୍ର ସଫଳ ବୋଲର୍
ବିନ୍ନି ୧୯୮୩ ବିଶ୍ୱକପ୍ରେ ଭାରତୀୟ ଟିମ୍ର ସଦସ୍ୟ ଥିଲେ । ସେ ଟିମ୍ର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୮ ୱିକେଟ୍ ନେଇଥିଲେ ।
ଏତଦ୍ଭିନ୍ନ, ବିନ୍ନି ପାକିସ୍ତାନ ବିପକ୍ଷ ନିଜ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ମାଜିଦ ଖାଁ, ଜାହିର ଆବ୍ବାସ୍ ଓ ଜାଭେଦ ମିଆଁଦାଦଙ୍କୁ ପ୍ରାରମ୍ଭିକ ଓଭର୍ଗୁଡ଼ିକରେ ଆଉଟ୍ କରିଥିଲେ । ତାଙ୍କ ଚମକ୍ପ୍ରଦ ବୋଲିଂ ବଳରେ ଭାରତ ୧୩୧ ରନ୍ରେ ବିଜୟୀ ହୋଇଥିଲା ।
କୋଚ୍, ଚୟନକାରୀ ଭୂମିକା ବି ତୁଲାଇଛନ୍ତି
ବିନ୍ନି ଭାରତୀୟ କ୍ରିକେଟ୍ରେ ଅନେକ ପଦବୀ ସମ୍ଭାଳିଥିଲେ । ସେ ୨୦୦୦ରେ ଭାରତର ୧୯ ବର୍ଷରୁ କମ୍ ଟିମ୍କୁ କୋଚ୍ ଭାବେ ବିଶ୍ୱକପ୍ ଜିତାଇଥିଲେ । ଏହାପରେ ୨୦୦୭ରେ ସେ ବଙ୍ଗଳା ଟିମ୍ର ମୁଖ୍ୟ କୋଚ୍ ହୋଇଥିଲେ । ସେ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ର ଟିମ୍ ମ୍ୟାନେଜ୍ମେଣ୍ଟର ଅଂଶବିଶେଷ ହେବା ପରେ ୨୦୧୨ରେ ଭାରତୀୟ କ୍ରିକେଟ୍ ଟିମ୍ର ଚୟନକାରୀ ଦାୟିତ୍ୱ ହୋଇଥିଲେ ।