ଆସୁଛି ଲଘୁଚାପ: ଆଶଙ୍କାରେ ବାଣ ବେପାରୀ

ଭୁବନେଶ୍ୱର (ତଥ୍ୟ) ରାଜଧାନୀରେ ୨୮ ସ୍ଥାନରେ ବାଣ ବିକ୍ରି ହେବ । ଏଥିପାଇଁ ବାଣ ବ୍ୟବସାୟୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ହେଲେ ସମ୍ଭାବ୍ୟ ଲଘୁଚାପ ସେମାନଙ୍କୁ ଚିନ୍ତାରେ ପକାଇଛି । ଦୀପାବଳୀରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ସହିତ ବାତ୍ୟା ଆଶଙ୍କା ଥିବାରୁ ବାଣ ବେପାର ବୁଡିଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଏହାସହିତ ଦୀପ ବ୍ୟବସାୟୀମାନେ ମଧ୍ୟ ଚିନ୍ତାରେ ଅଛନ୍ତି । ଝଡ଼ବାତ୍ୟା ଆଶଙ୍କ ସହିତ ଦୀପାବଳୀ ଦିନ ସୂର୍ଯ୍ୟପରାଗ ପଡ଼ୁଥିବାରୁ ସେହିଦିନ ଦେବନୀତି ବନ୍ଦ ରହିବ । ଫଳସ୍ୱରୂପ ଦୀପ ବେପାର ଭଲ ହେବନାହିଁ ବୋଲି ସେମାନେ ଆଶଙ୍କା କରୁଛନ୍ତି ।
ଦୁଇ ବର୍ଷର କରୋନା କଟକଣା ପରେ ଚଳିତବର୍ଷ ବାଣ ବିକ୍ରିକୁ ପ୍ରଶାସନ ଅନୁମତି ଦେଇଛି । ରାଜଧାନୀରେ ପ୍ରଥମେ ବାଣ ଦୋକାନ ପାଇଁ ୨୧ସ୍ଥାନ ଚିହ୍ନଟ ହୋଇଥିଲା । ଏବେ ସ୍ଥାନ ସଂଖ୍ୟା ୨୮ରେ ପହଞ୍ଚିଛି । ସହରରେ ଅତି କମରେ ହଜାରେ ବାଣ ଦୋକାନ ଖୋଲିବ ବୋଲି ପ୍ରଶାସନ ଆକଳନ କରି ସେହି ଅନୁଯାୟୀ ଲାଇସେନ୍ସ ପ୍ରଦାନ ଓ ସୁରକ୍ଷା ଲାଗି ପ୍ରସ୍ତୁତ ହେଉଛି । ହେଲେ ଲଘୁଚାପ ପ୍ରଭାବରେ ଦୀପାବଳୀରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି । ଯଦି ଦୀପାବଳୀରେ ବର୍ଷା ଲାଗି ରହିବ ତେବେ ବାଣ ଦୋକାନ ଖୋଲିଲେ ବି ଗରାଖ ଆସିବେ ନାହିଁ । ତେଣୁ ବାଣ ବ୍ୟବସାୟୀମାନେ ହୋଲସେଲ ବଜାରରୁ ସେମାନେ ବାଣ ଉଠାଇବେ କି ନାହିଁ ଚିନ୍ତାରେ ପଡିଛନ୍ତି । ଜଣେ ବ୍ୟବସାୟୀ କହିଛନ୍ତି, ଝିପିଝିପି ବର୍ଷା ହେଲେ ବି ବାଣ ଦୋକାନକୁ କେହି ଆସିବେ ନାହିଁ । ଲକ୍ଷାଧିକ ଟଙ୍କା ପାଣିରେ ପଡିଯିବ । ଆଉ ଯଦି ଦୀପାବଳୀ ପୂର୍ବଦିନ କି ସେହିଦିନ ଜୋର ବର୍ଷା ହେବ ତେବେ ଟେଣ୍ଡହାଉସ୍ ପଇସା ବି ଉଠିବ ନାହିଁ । ଏଭଳି ସ୍ଥିତିରେ ବାଣ ଦୋକାନ ଖାଲିବୁ କି ନାହିଁ ସିଦ୍ଧାନ୍ତ କରିପାରୁନୁ ।
ଅଧିକାଂଶ ହୋଲସେଲ ବାଣ ବ୍ୟବସାୟୀମାନେ ବି ମୁଣ୍ଡରେ ହାତଦେଇ ବସିଲେଣି । ଚଳିତବର୍ଷ ଭଲ ବେପାର ଆଶାରେ ରାଜ୍ୟ ବାହାରୁ ସେମାନେ ବିଭିନ୍ନ କିସମର ଟ୍ରକ ଟ୍ରକ ବାଣ ଆସି ମହଜୁଦ ରଖିଥିଲେ । ଅଧିକ ବାଣ ପାଇଁ ଅଗ୍ରୀମ ଦେଇସାରିଛନ୍ତି । ଯଦି ବ୍ୟବସାୟ ନ ହେଲା ତେବେ ବଡ ଧରଣର କ୍ଷତି ସହିବାକୁ ପଡିବ । ଗାଁ ଗହଳରେ ତାଳ ଫୋଟକା, ଘଡ଼ି ଓ ଧପଧପି ଭଳି ବାଣ ତିଆରି କରୁଥିବା ଛୋଟ କାଟର ବ୍ୟବସାୟୀ ବି ଅନୁରୂପ ଚିନ୍ତାରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *