ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ବନ୍ଦ ପାଇଁ ଆହ୍ୱାନ
ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ
ପୁରୀ (ବୁ୍ୟରୋ): ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲା ପ୍ରଦୀପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ଅଧ୍ୟକ୍ଷ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା, ଚାଇଲ୍ଡ ଲାଇନ୍ର ନିଦେ୍ର୍ଦଶକ ଦେବାଶିଷ ରଥ, ଆକ୍ସନଏଡ୍ର ବାଲ୍ୟବିବାହ ନିରୋଧ ପରାମର୍ଶଦାତ୍ରୀ ପ୍ରମୁଖ ଯୋଗଦେଇ ସମ୍ପୃକ୍ତ ବିଭାଗର କାର୍ଯ୍ୟ ଓ ସଫଳତା ବର୍ଣ୍ଣନା କରିଥିଲେ ।
ଜିଲ୍ଲାରେ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଅନେକ ଯୁଗୋପୋଯୋଗୀ ଓ ଅଭିନବ ପଦକ୍ଷେପ ସମ୍ବନ୍ଧରେ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ସେବା ଓ ଆଶୀର୍ବାଦ, ଶିଶୁ ସୁରକ୍ଷା ଯୋଜନା, ଗ୍ରୀନ୍ ପ୍ୟାସେଜ୍ ମାଧ୍ୟମରେ ଦିଆଯାଇଥିବା ସେବା ଓ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷାର ମନିଟରିଂ ପଦ୍ଧତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସ୍ୱାଇଁ ଜିଲ୍ଲାରେ ବାଲ୍ୟ ବିବାହ, ଚାଲାଣ, ଶିଶୁ ଶ୍ରମିକ ନିଷେଧ କରିବାକୁ ସମସ୍ତେ ପୁଲିସ ସମେତ ସମସ୍ତ ଅଧିକାରୀ, ସ୍ଥାନୀୟ ଲୋକ ସହଯୋଗ କରିବାକୁ ନିବେଦନ କରିଥିଲେ । ଜିଲ୍ଲା ପରିବହନ ଅଧିକାରୀ ବିଦ୍ୟାଳୟସ୍ତରୀୟ ପରିବହନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଜିଲ୍ଲାର ପ୍ରତ୍ୟେକ ଥାନାକୁ ଶିଶୁ ଅନୁକୂଳ ଥାନା ଘୋଷଣା କରିବାକୁ ପୁଲିସ୍ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।
ବୈଠକରେ ମହାବୀର ରୁଦ୍ରନାରାୟଣ ସାହୁ, ଦେବାଶିଷ ରଥ, ଅସ୍ମିତା ପାରମିତା, ଡ. ବିରଜା ଶଙ୍କର ରଥ, ସରୋଜ କୁମାର ସ୍ୱାଇଁ, ଅଞ୍ଜଳୀ ନାୟକ, ପୁଷ୍ପାଞ୍ଜଳୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଶୁଭ ନାରାୟଣ ଶତପଥି ଧନ୍ୟବାଦ ଦେଇଥିଲେ ।