୬ ଜଣଙ୍କୁ କାବୁ କଲା ଛଦ୍ମବେଶଧାରୀ ପୁଲିସ୍ ଟିମ୍
ଏମ୍କେସିଜିରେ ଦଲାଲଗିରି
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ରୋଗୀ ଦଲାଲ୍ମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଉଥିବା ନେଇ ବାବମ୍ବାର ଅଭିଯୋଗ ଆସୁଥିଲା । ଦଲାଲଙ୍କୁ କାବୁ କରିବା ପାଇଁ ବହୁବାର ଉଦ୍ୟମ କରି ବିଫଳ ହେବା ପରେ ଏସ୍ପି ଡ.ଶ୍ରବଣା ବିବେକ ଏମ୍ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଛଦ୍ମବେଶଧାରୀ ୧୫ ଜଣିଆ ପୁଲିସ୍ ଟିମ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ୬ ଦଲାଲଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ଏସ୍ପି କହିଛନ୍ତି ।
ବିଏସ୍କେୱାଇ କୋଠରୀ ସମ୍ମୁଖରେ ଚିକିତ୍ସା ବାହାନାରେ ଉକ୍ତ ଟିମ୍ ଦଲାଲଙ୍କୁ ଛକି ରହିଥିଲେ । ପୁଲିସ୍ କର୍ମଚାରୀମାନେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଜୈନିକ ପୁଲିସ୍ କର୍ମଚାରୀଙ୍କୁ ଅଲ୍ଟ୍ରା ସାଉଣ୍ଡ କରିବାକୁୂ ପରାମର୍ଶ ଦେଇଥିଲେ । ବଡ଼ ଡାକ୍ତରଖାନାରେ ଅଲଟ୍ରା ସାଉଣ୍ଡ ପାଇଁ ବିଳମ୍ବ ହେବ, ବାହାରକୁ ଯାଇ କଲେ ଜଲ୍ଦି ହୋଇଯିବ ବୋଲି ପୂର୍ବରୁ ଜଗିଥିବା ଜଣେ ଦଲାଲ୍ ଛଦ୍ମବେଶଧାରୀ ପୁଲିସ କର୍ମଚାରୀଙ୍କୁ କହିଥିଲେ । ଚତୁରତାର ସହ ସଂପୃକ୍ତ ଦଲାଲ୍କୁ ସେଠାରୁ କାବୁ କରିବା ପରେ ନୁ୍ୟରୋଲୋଜି ବିଭାଗ ଓ ଔଷଧ ଦୋକାନ ସମ୍ମୁଖ, ଓପିଡି ବିଭାଗ ସମ୍ମୁଖରୁ କିଛି ଦଲାଲଙ୍କୁ ଧରାଯାଇଥିଲା । ୬ ଦଲାଲ୍ଙ୍କୁ କାବୁ କରିବାରେ ୧୫ଜଣିଆ ଛଦ୍ମବେଶଧାରୀ ପୁଲିସ ସକ୍ଷମ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି । କିଛି ଦଲାଲ ଆଉଟସୋର୍ସିଂ ଜରିଆରେ ଏମ୍କେସିଜିର ବିଭିନ୍ନ ବିଭାଗରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଜଣେ ନର୍ସିଂ କର୍ମଚାରୀଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ବିଳମ୍ବ ହେଲେ ମଧ୍ୟ ଦଲାଲଙ୍କୁ କାବୁ କରିଥିବାରୁ ସହରର ବିଭିନ୍ନ ସଙ୍ଗଠନ ଓ ଦଳମତ ନିର୍ବିଶେଷରେ ବ୍ରହ୍ମପୁର ପୁଲିସ୍କୁ ସାଧୁବାଦ ଜଣାଯାଇଛି ।
ମେଡିକାଲ୍ ଫାଣ୍ଡିରେ ଅଟକ ଥିବା ୬ ଦଲାଲ୍ଙ୍କୁ ଏସ୍ପି ପଚରା ଉଚୁରା କରିଥିଲେ । ଚଢ଼ଉର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିଲେ ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନାଧିକାରୀ ରାମ କୁମାର ମୁର୍ମୁଙ୍କ ସହ ମେଡିକାଲ୍ ଫାଣ୍ଡି ଅଧିକାରୀ । ଅଭିଯୁକ୍ତମାନେ ହେଲେ ମନୋରଞ୍ଜନ ପଣ୍ଡା (୪୯), ବସନ୍ତ କୁମାର ସାହୁ (୩୭), ବିସିକେଶନ ନାୟକ (୩୨), ନିରଞ୍ଜନ ବରାଡ (୨୭), ଭାବଗ୍ରାହୀ ଶ୍ରୀଚନ୍ଦନ ରଏ (୩୮) ଓ କୈଳାଶ ନାୟକ(୨୪) । ସମସ୍ତଙ୍କୁ ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଏକ ଅଟୋରିକ୍ସା, ଡ୍ରାଇଭିଂ ଲାଇସେନ୍ସ, ୫ଟି ମୋବାଇଲ, ୨୫୦ ଟଙ୍କା ସହ ପରିଚୟ ପତ୍ର ଜବତ କରାଯାଇଛି ।