୧୫ ଦିନରେ ରାସ୍ତା ନ କଲେ ରେଳ ରୋକ

ଧାମରା ବନ୍ଦର ଗେଟ୍ ଆଗରେ ଧାରଣା
ଭଦ୍ରକ (ଆପ୍ର): ଧାମରା ବନ୍ଦର (ଆଦାନୀ) ମନମାନୀରେ ଶିକାର ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି ୪ ରାଜସ୍ୱ ଗ୍ରାମର ବାସିନ୍ଦା । ଆଜି ଏହାକୁ ବିରୋଧ କରି ବହୁ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । ଦୋସିଙ୍ଗା ପଞ୍ଚାୟତ ସ୍ଥତ ଚିଆଣୀପାହି, ଓରାମାଳ ନରସିଂହପ୍ରସାଦ ଏବଂ ସମିପାଟିଆ ଲୋକେ ବ୍ୟବହାର କରୁଥିବା ରାସ୍ତାଟି ସଂପୂର୍ଣ ବ୍ୟବହାର ଅନୁପୋଯୋଗୀ ହୋଇପଡ଼ିବା ପରେ ବି ଧାମରା ବନ୍ଦର ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଫଳରେ ରାସ୍ତା ଦେଇ ଯାତାୟତ କରୁଥିବା ୩ ହଜାରରୁ ଊଦ୍ଧ୍ୱର୍ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ସ୍କୁଲ ପିଲାଏ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି ।
ତେବେ ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଧାମରା ବନ୍ଦର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିବା ବେଳେ ଗତ ମାସରେ ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସି ଘଟଣାସ୍ଥଳ ବୁଲିବା ସହ ସପ୍ତାହକ ମଧ୍ୟରେ କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ମାସେ ବିତିଗଲାଣି ପଛେ ରାସ୍ତା ମରାମତିର ନାଁ ଗନ୍ଧ କିଛି ନାହିଁ । ଏହାକୁ ଭିତ୍ତି କରି ୪ ଗ୍ରାମର ଲୋକେ ଧାମରା ବନ୍ଦର ରେଳ ଫାଟକ ପାଖରେ ଧାରଣା ଦେଇଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ରାସ୍ତା ନିର୍ମାଣ କରା ନଗଲେ ସଂପୃକ୍ତ ଗ୍ରାମବାସୀ ଧାମରା ରେଳ ଚଳାଚଳ ବନ୍ଦ କରିବା ସହ ଧାମରା ବନ୍ଦର ୧ନଂ ଗେଟ ଆଗରେ ଧାରଣା ଦେବେ ବୋଲି ଚେତେଇ ଦେଇଛନ୍ତି । ଶିବୁ ଶଙ୍କର ମହାନ୍ତି, ଗୁରୁପଦ ମାନ୍ନା, ଗୌତମ କୁମାର ଦାସ, ଶୁକଦେବ ଦାସ, ଶକ୍ତି ମାନ୍ନାଙ୍କ ସମେତ ଅନ୍ୟମାନେ ଧାରଣାରେ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *