ନିବେଶର ନୂଆ ଉଡ଼ାଣ
ହାଇଦରାବାଦରେ ଓଡିଶା ନିବେଶକ ସମ୍ମିଳନୀ
ହାଇଦ୍ରାବାଦ/ଭୁବନେଶ୍ୱର, ୧୭ା୧୦ (ବୁ୍ୟରୋ): ଓଡ଼ିଶା ଏବେ ଟେକ୍-ଅଫ୍ ସ୍ତରରେ ଅଛି ଅର୍ଥାତ୍ ନିବେଶ କ୍ଷେତ୍ରରେ ଉଡ଼ାଣ ଆରମ୍ଭ କରିଛି । ଆସନ୍ତା ୧୦ ବର୍ଷରେ ଏହା ଉଚ୍ଚ ଅଭିବୃଦ୍ଧି ହାସଲ କରିବ । ପ୍ରାକୃତିକ ସମ୍ପଦ, ଦକ୍ଷ ମାନବସମ୍ବଳ ଓ ସ୍ଥିର ସରକାର ଓଡ଼ିଶାର ସାମର୍ଥ୍ୟ । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ହାଇଦରାବାଦରେ ଆୟୋଜିତ ଶେଷ ନିବେଶକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ନଭେମ୍ବରେ ହେବାକୁ ଥିବା ମେକ୍-ଇନ୍-ଓଡ଼ିଶା ସମ୍ମିଳନୀ ପୂର୍ବରୁ ହାଇଦରାବାଦରେ ରୋଡ୍ ସୋ କରିଛନ୍ତି । ଦେଶର ପ୍ରମୁଖ ଆଇଟି କମ୍ପାନି ଏବେ ଓଡ଼ିଶାରେ କାର୍ଯ୍ୟାଳୟ ଆରମ୍ଭ କରିଛନ୍ତି । ଓଡ଼ିଶା ଷ୍ଟାର୍ଟଅପ୍ ବାତାବରଣକୁ ଉନ୍ନତ କରିବାରେ ଲାଗିଛି । ଆହୁରି ମଧ୍ୟ ମାନୁଫାକ୍ଚରିଂ ଉଦ୍ୟୋଗରେ ନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଆଗୁଆ ରହିଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ରେ ଓଡ଼ିଶା ଆଚିଭର୍ସ ମାନ୍ୟତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିଳ୍ପଜଗତ ପାଇଁ ସର୍ବଶ୍ରେଷ୍ଠ ବାତାବରଣ ଓ ପ୍ରୋତ୍ସାହନ ଯୋଗାଇଦେବାରେ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ । ତାଙ୍କ ସରକାର ନିଜ କଥାକୁ କାମରେ ପରିଣତ କରେ ବାଲି ସେ କହିଛନ୍ତି ।
ଓଡ଼ିଶାର ଅଭିବୃଦ୍ଧି କାହାଣୀ ଓ ନିବେଶକଙ୍କୁ ଓଡ଼ିଶା କଣ ଦେବ ତାହାକୁ ଦର୍ଶାଇବାର ଏକ ମାଧ୍ୟମ ହେଉଛି ମେକ ଇନ ଓଡ଼ିଶା । ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ କହିଛନ୍ତି । ଆମେ ନୂତନ ସମ୍ପର୍କ ଗଢ଼ିବାକୁ ଓ ଆପଣଙ୍କ ସହ ଆମର ପୁରୁଣା ସମ୍ପର୍କକୁ ଦୃଢ଼ କରିବାକୁ ଚାହୁଁଛୁ । ଆପଣ ସମସ୍ତେ ଓଡିଶାର ଅଦ୍ଭୁତ ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହୁଅନ୍ତୁ ବୋଲି ଆମ ଆଶା ରହିଛି । ଏହି ବର୍ଷର ମେକ୍ ଇନ୍ ଓଡ଼ିଶା ଇଭେଣ୍ଟ ସଫଳ ଭାବେ ଆୟୋଜିତ ହେବା ସହ ଓଡ଼ିଶା ଆସି ନିଜ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କଠାରୁ ଆଶା ପ୍ରକାଶ କରିଛନ୍ତି ।
ସମ୍ମିଳନୀରେ ୩୫୦ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ସଚିବ ମନୋଜ ମିଶ୍ର, ଓମକାର ରାୟ, ଅରୁଣ ଚାୱଲା ପ୍ରମୁଖ ନିଜ ଅଭିଭାଷଣ ରଖିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶା ପାଇଁ ସେମାନଙ୍କ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ବିଭିନ୍ନ କ୍ଷେତ୍ରର ବହୁ ବରିଷ୍ଠ ଶିଳ୍ପପତିଙ୍କୁ ଭେଟି ବ୍ୟକ୍ତିଗତ ଭାବରେ ସେମାନଙ୍କୁ ମେକ୍ ଇନ୍ ଓଡିଶା କନକ୍ଲେଭ’କୁ ଆମନ୍ତ୍ରଣ କରିଥିଲେ । ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ତାଙ୍କ ସରକାର ନେଇଥିବା ପ୍ରମୁଖ ବ୍ୟବସାୟ-ସଂସ୍କାର ଉପରେ ଆଲୋକପାତ କରିଥିଲେ ଏବଂ ଶିଳ୍ପପତିଙ୍କୁ ସେମାନଙ୍କ ବସ୍ ପାଇଁ ଏକ ସମ୍ଭାବ୍ୟ ଗନ୍ତବ୍ୟ ସ୍ଥାନ ଭାବରେ ଓଡିଶା ଅନୁସନ୍ଧାନ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।