ଅନୁକରଣ ନକରି ନିଜ ଗୁଣରେ ଅନନ୍ୟ ହୁଅ

ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀରେ ରାଜ୍ୟପାଳ
କେନ୍ଦୁଝର(ଆପ୍ର): କାହାକୁ ଅନୁକରଣ କରନି, ନିଜସ୍ୱ ଗୁଣରେ ଅନନ୍ୟ ହୁଅ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍ତି ।
ସୋମବାର ରାଜ୍ୟପାଳ ପ୍ରଫେସର ଲାଲ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ସଦର ବ୍ଲକ୍ ଡିମ୍ବୋ ଗ୍ରାମସ୍ଥିତ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ କହିଛନ୍ତି, ନିଜସ୍ୱ ଗୁଣରେ ପୃଥିବୀକୁ ଆସିଛ, କାହାରିକୁ ଅନୁକରଣ ନ କରି ନିଜ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ପ୍ରତିଭାକୁ ଉପଯୋଗ କରି ନିଜକୁ ପ୍ରତିଷ୍ଠିତ କର । ପିତାମାତା / ଅଭିଭାବକ ଏବଂ ଶିକ୍ଷକ ସମାଜକୁ ରାଜ୍ୟପାଳ କହିଥିଲେ ଯେ ଶିଶୁମାନଙ୍କ ଉପରେ ବୋଝ ଲଦି ଦିଅ ନାହିଁ । ପିଲାମାନଙ୍କୁ ମୁକ୍ତ, ସ୍ୱାଭାବିକ ଢଙ୍ଗରେ ବିକଶିତ ହେବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କର । ଭାରତୀୟ ଧର୍ମ ଓ ସଂସ୍କୃତିର ପରମ୍ପରା ହେଲା – ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କୁ ସ୍ୱୀକାର କରିବା ଏବଂ ସମସ୍ତଙ୍କୁ ସମ୍ମାନ ଦେବା । ପ୍ରକୃତି ହେଉଛି ସବୁଠୁ ବଡ ଗୁରୁ-ଭଗବାନ ସଦୃଶ । ପିଲାମାନେ ପ୍ରକୃତି ସହିତ ସଂଲଗ୍ନ ରହିଲେ ନିଜର ମାନସିକ ଓ ବୌଦ୍ଧିକ ବିକାଶ ସୁଗମ ହୋଇପାରିବ । ଜୟନ୍ତୀ ସମାରୋହ ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀ, ଶିକ୍ଷକ, ଓ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏକ ସ୍ମରଣିକା ‘ସ୍ୱର୍ଣ୍ଣକାନ୍ତି’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ସମ୍ମାନିତ ଅତିଥି ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଉକ୍ତ ସମାରୋହ ସାମଗ୍ରିକ ବିକାଶ ପାଇଁ ପ୍ରେରଣା ଯୋଗାଇବ । ପୁରାତନ ଛାତ୍ରସଂଘର ସଭାପତି ଦୁର୍ଯେ୍ୟାଧନ ସାହୁ ସ୍ୱାଗତ ଭାଷଣ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷକ ଦୀନବନ୍ଧୁ ମହାନ୍ତ ଏହି ସମାରୋହରେ ଉପସ୍ଥିତ ଥିଲେ । ରାଜ୍ୟପାଳ ଫ୍ରଫେସର ଲାଲ ଓ ବିଧାୟକ ମାଝୀଙ୍କୁ ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସଂବର୍ଦ୍ଧିତ କରାଯାଇଥିଲା । ୫ ଜଣ ପ୍ରାକ୍ତନ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ସଂଘର ସଂପାଦକ କଳ୍ପତରୁ ସାହୁ ସଂବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ, ସୁବର୍ଣ୍ଣଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏବଂ ଏହା ଅକ୍ଟୋବର ୧୮ ତାରିଖ ଦିନ ଉଦ୍ୟାପିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *