ଗରିବ ସଂଖ୍ୟା ୪୧.୫ କୋଟି କମିଛି

ଜାତିସଂଘ, ୧୭ା୧୦: ୨୦୦୫-୦୬ରୁ ୨୦୧୯-୨୧ ଏହି ୧୫ ବର୍ଷ ଭିତରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା ପ୍ରାୟ ୪୧ କୋଟି ୫୦ ଲକ୍ଷ କମିଛି । ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ପିଆଇ) ନାମକ ରିପୋର୍ଟରୁ ଏହା ଜଣାପଡିଛି ।
ଜାତିସଂଘ ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ ୧୫ ବର୍ଷ ଭିତରେ ଭାରତରେ ସାଢେ ୪୧ କୋଟି ଲୋକ ଦାରିଦ୍ର୍ୟ ଚକ୍ରବୂ୍ୟହରୁ ବାହାରି ଆସିବା ବାସ୍ତବିକ ଏକ ଐତିହାସିକ ପରିବର୍ତ୍ତନ । ଭାରତରେ ଆସିଥିବା ଏହି ପରିବର୍ତ୍ତନ ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେସ୍ ଷ୍ଟଡି । ଦାରିଦ୍ର୍ୟକୁ ସମୂଳେ ସମାପ୍ତ କରିବା ଓ ଦାରିଦ୍ର୍ୟ ମଧ୍ୟରେ କାଳ କାଟୁଥିବା ସବୁ ବୟସ ବର୍ଗର ପୁରୁଷ, ମହିଳା ଓ ଶିଶୁମାନଙ୍କ ଅନୁପାତକୁ ୨୦୩୦ ମସିହା ସୁଦ୍ଧା ଅତି କମ୍ରେ ଅଧା କରିବା ଲାଗି ଜାତିସଂଘ ଯେଉଁ ଲକ୍ଷ୍ୟ ରଖିଛି ତାହା ପୂରଣ ହେବା ଆଶା ଉଜ୍ଜ୍ୱଳ ହୋଇଛି ।
ରିପୋର୍ଟରେ କୁହାଯାଇଛି, ୨୦୨୦ର ଜନସଂଖ୍ୟା ଓ ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ପୃଥିବୀରେ ସବୁଠୁ ବେଶୀ ଗରିବ ଲୋକ ଭାରତରେ ଅଛନ୍ତି । ଏମାନଙ୍କ ସଂଖ୍ୟା ୨୨.୮୯ କୋଟି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ନାଇଜିରିଆ ଯେଉଁଠି ଗରିବଙ୍କ ସଂଖ୍ୟା ୯.୬୭ କୋଟି । ୨୦୧୯-୨୧ରେ ଭାରତରେ ୯ କୋଟି ୭୦ ଲକ୍ଷ ପିଲା ଦାରିଦ୍ର୍ୟର କଷାଘାତରେ ପୀଡିତ ଥିଲେ । ବିହାର, ଝାଡଖଣ୍ଡ ଓ ଉତ୍ତରପ୍ରଦେଶରେ ୨୦୧୫-୧୬ ରୁ ୨୦୧୯-୨୧ ଭିତରେ ଗରିବ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଛି । ଗ୍ରାମାଞ୍ଚଳରେ ଗରିବଙ୍କ ଅନୁପାତ ୨୧.୨ ପ୍ରତିଶତ ଥିବା ସ୍ଥଳେ ସହରାଞ୍ଚଳରେ ତାହା ୫.୫ ପ୍ରତିଶତ । ୯୦ ପ୍ରତିଶତ ଗରିବ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି । ଭାରତର ଏମ୍ପିଆଇ ମୂଲ୍ୟ ଓ ଦାରିଦ୍ର୍ୟ ସ୍ଥିତି ଉଭୟରେ ଅର୍ଦ୍ଧାଧିକ ହ୍ରାସ ଘଟିଛି ।
କୋଭିଡ୍ ମହାମାରୀ ଏବଂ ଖାଦ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି କାରଣରୁ ଭାରତୀୟମାନଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି । କୁପୋଷଣ ଓ ବିଦୁ୍ୟତ୍ ସଙ୍କଟ ଭଳି ଚାଲେଞ୍ଜ୍ରୁ ବର୍ତ୍ତିବା ତଥା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସୁଧାର ଆଣିବା ପାଇଁ ଏକୀକୃତ ନୀତିଗୁଡିକ ଉପରେ ଜୋର ଦିଆଯିବା ଆବଶ୍ୟକ ବୋଲି ଜାତିସଂଘ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।
ୟୁଏନ୍ଡିପି ରିପୋର୍ଟ ଅନୁଯାୟୀ, ୧୧୧ ଦେଶର ୧୯.୧ ପ୍ରତିଶତ ଲୋକ ଦାରିଦ୍ର୍ୟ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧେ ଅର୍ଥାତ୍ ୫୯ କୋଟିରୁ ଅଧିକ ଲୋକଙ୍କ ବୟସ ୧୮ବର୍ଷରୁ କମ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *