ୱାର୍ମଅପ୍ରେ ଭାରତର ଅପ୍ରତ୍ୟାଶିତ ବିଜୟ
ଟି-୨୦ ବିଶ୍ୱକପ୍
ବ୍ରିସ୍ବେନ୍, ୧୭ା୧୦ (ଏଜେନ୍ସି): ଟି-୨୦ ବିଶ୍ୱକପ୍ରେ ସୋମବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ନିଜ ପ୍ରଥମ ୱାର୍ମଅପ୍ ମ୍ୟାଚ୍ରେ ୬ ରନ୍ରେ ବିଜୟ ହାସଲ କରିଛି ଭାରତ । ପେସର୍ ମହମ୍ମଦ ଶାମୀଙ୍କ ଘାତକ ଶେଷ ଓଭର୍ ଟିମ୍କୁ ଅପ୍ରତ୍ୟାଶିତ ବିଜୟ ଦେଇଛି । ଏତଦ୍ଭିନ୍ନ ଓପନର୍ ଲୋକେଶ ରାହୁଲ ଓ ମଧ୍ୟକ୍ରମ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଧୂଆଁଦାର ଅର୍ଦ୍ଧଶତକ ଲଗାଇ ଏହି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
୧୯ ଓଭର୍ ସୁଦ୍ଧା ମୁକାବିଲା ଅଷ୍ଟ୍ରେଲିଆ ସପକ୍ଷରେ ଥିଲା । କିନ୍ତୁ ଶେଷ ଓଭର୍ରେ ବଦଳି ଯାଇଥିଲା ଦୃଶ୍ୟପଟ । ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୧୧ ରନ୍ ଆବଶ୍ୟକ ଥିଲା । ପେସର୍ ମହମ୍ମଦ ଶାମୀଙ୍କୁ ଶେଷ ଓଭର୍ ପକାଇବା ପାଇଁ ବଲ୍ ଦିଆଯାଇଥିଲା । ଏଥିରେ ଶାମୀ ୪ ରନ୍ ଦେଇ ୩ ୱିକେଟ୍ ନେଇଥିଲେ ଏବଂ ଗୋଟିଏ ରନ୍ଆଉଟ୍ ବି କରିଥିଲେ । ଶେଷ ୪ ବଲ୍ରୁ ଏହି ଆତଙ୍କ ଖେଳାଇଥିଲେ ଶାମୀ ଏବଂ ୧୮୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଅଷ୍ଟ୍ରେଲୀୟ ଟିମ୍ ପୂରା ୨୦ ଓଭର୍ ଖେଳି ୧୮୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ର ଶେଷ ୬ ୱିକେଟ୍ ମାତ୍ର ୯ ରନ୍ ମଧ୍ୟରେ ପଡ଼ିଥିଲା ।
ମିଚେଲ୍ ମାର୍ଶ ଓ ଆରୋନ୍ ଫିଞ୍ଚ୍ଙ୍କ ଓପନିଂ ଯୋଡ଼ି ୬୮ (୩୪ ବଲ୍ରୁ) ରନ୍ର ବିସ୍ଫୋରକ ଭାଗୀଦାରୀ କରିଥିଲେ । ମାର୍ଶ (୧୫ ବଲ୍ରୁ ୩୫)ଙ୍କୁ ଆଉଟ୍ କରି ଭୁବନେଶ୍ୱର କୁମାର ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବ୍ୟାଟର୍ ଷ୍ଟିଭେନ୍ ସ୍ମିଥ୍ ମାତ୍ର ୧୧ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ୱିକେଟ୍ ଯୁଜବେନ୍ଦ୍ର ଚହଲଙ୍କ ଖାତାକୁ ଯାଇଥିଲା ।
ଏହାପରେ ଅଧିନାୟକ ଫିଞ୍ଚ୍ କ୍ରିଜ୍ରେ ଯୋଗ ଦେଇଥିବା ଗ୍ଲେନ୍ ମ୍ୟାକ୍ସ୍ୱେଲ୍ (୨୩)ଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୮ ରନ୍ ଯୋଗ କରିଥିଲେ । ମ୍ୟାକ୍ସି, ଭୁବିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏଠାରୁ ଟିମ୍ର ସଙ୍କଟ ଆରମ୍ଭ ହୋଇଯାଇଥିଲା । ନୂଆ ବ୍ୟାଟର୍ ମାର୍କସ୍ ଷ୍ଟୋଇନିସ୍ (୭)ଙ୍କୁ ଅର୍ଶଦୀପ ସିଂହ ସଅଳ ପାଭିଲିଅନ୍ ପଠାଇଥିଲେ ।
ଟିମ୍ର ସ୍କୋର୍ ୧୭୧ ହୋଇଥିବା ବେଳେ ଫିଞ୍ଚ୍ ବ୍ୟକ୍ତିଗତ ୭୬ (୫୪ ବଲ୍ରୁ) ରନ୍ରେ ହର୍ଷଲ ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପ୍ରଥମ ଚାରି ବ୍ୟାଟର୍ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଭାରତ ପକ୍ଷରୁ ଶାମୀ ୩, ଭୁବି ୨ ଏବଂ ଅର୍ଶଦୀପ, ହର୍ଷଲ ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଓପନର୍ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ପ୍ରଥମରୁ ଦୃଢ଼ତାର ସହ ଖେଳି ୭୮ ରନ୍ର ଭାଗୀଦାରୀ କରିଥିଲେ । ରାହୁଲ ୩୩ ବଲ୍ରୁ ୫୭ (୬ ଚୌକା ଓ ୩ ଛକା ସହାୟତାରେ) ରନ୍ କରି ମ୍ୟାକ୍ସୱେଲ୍ ଓ ରୋହିତ ୧୫ ରନ୍ କରି ଅଗରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ବିରାଟ କୋହଲି ୧୯ ରନ୍ର ଇନିଂସ୍ ଖେଳି ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (୨) ବି ନିରାଶ କରିଥିଲେ । ତାଙ୍କ ୱିକେଟ୍ ରିଚାର୍ଡସନ୍ଙ୍କ ଖାତାକୁ ଯାଇଥିଲା ।
ଅନ୍ୟପଟେ, ସୂର୍ଯ୍ୟକୁମାର ଦମ୍ଦାର ବ୍ୟାଟିଂ କରିଥିଲେ । ତେବେ ଦିନେଶ କାର୍ତ୍ତିକ ୨୦ କରି ରିଚାର୍ଡସନ୍ଙ୍କ ଶିକାର ହୋଇଥିଲେ । ଶେଷ ଓଭର୍ରେ ରିଚାର୍ଡସନ୍ ପ୍ରଥମେ ସୂର୍ଯ୍ୟକୁମାର ୩୩ ବଲ୍ରୁ ୫୦ (୬ ଚୌକା ଓ ୧ ଛକା ସହାୟତାରେ) ଏବଂ ଏହାପରେ ରବିଚନ୍ଦ୍ରନ୍ ଅଶ୍ୱିନ (୬)ଙ୍କୁ ଆଉଟ୍ କରିଥିଲେ । ଅକ୍ଷର ପଟେଲ୍ ୬ ରନ୍ କରି ଅପରାଜିତ ଥିଲେ ।