୯,୫ଠଠ ଜଣ ଦେଲେ ଭୋଟ୍
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ, ୧୭ା୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୋମବାର ଅପରାହ୍ନରେ ୪ଟା ସୁଦ୍ଧା ମତଦାନ ଶେଷ ହୋଇଛି । ମୋଟ ୯୯୦୦ ପିସିସି ଡେଲିଗେଟ୍ଙ୍କ ମଧ୍ୟରୁ ୯୫୦୦ ଜଣ ଅର୍ଥାତ୍ ୯୬ ପ୍ରତିଶତ ମତଦାନ କରିଛନ୍ତି ବୋଲି ନିର୍ବାଚନ ପ୍ରଭାରୀ ମଧୁସୂଦନ ମିସ୍ତ୍ରୀ କହିଛନ୍ତି । ମଙ୍ଗଳବାର ସୁଦ୍ଧା ସବୁ ରାଜ୍ୟରୁ ବାଲଟ୍ ବକ୍ସ ନୂଆଦିଲ୍ଲୀ ଆସିଯିବ । କଂଗ୍ରେସ ମୁଖ୍ୟାଳୟରେ ୧୯ ତାରିଖ ଦିନ ଭୋଟ୍ ଗଣତି ହେବ ।
ଦଳର ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶୀ ଥରୁର୍ ପ୍ରାର୍ଥୀ ହୋଇଛନ୍ତି । ବିଭିନ୍ନ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଖଡ୍ଗେ ହିଁ ପରବର୍ତ୍ତୀ ଅଧକ୍ଷ ହେବେ । କାରଣ ଅନେକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଖଡ଼ଗେଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତାବ ପାସ୍ ହୋଇଥିଲା । ଏପରିକି ଥରୁର୍ଙ୍କ ଗୃହରାଜ୍ୟ କେରଳରେ ମଧ୍ୟ ଖଡ଼ଗେଙ୍କ ସ୍ଥିତି ମଜବୁତ୍ ଥିଲା ।
ଦଳ ଗଠନର ୧୩୭ ବର୍ଷର ଇତିହାସରେ ଏହା ଷଷ୍ଠ ନିର୍ବାଚନ । ପୂର୍ବରୁ ୧୯୯୮ରେ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା । ସୋମବାର ଏଆଇସିସି ମୁଖ୍ୟାଳୟ ବୁଥ୍ରେ ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମେତ ୮୭ଜଣ ଭୋଟ୍ ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ସମେତ ୪୦ଜଣ କର୍ଣ୍ଣାଟକର ବଲାରୀ ବିଶ୍ରାମ ଶିବିରରେ ଗଠିତ ବୁଥ୍ରେ ଭୋଟ୍ ଦେଇଥିଲେ ।