ଲିଙ୍ଗ ପରିବର୍ତ୍ତନ ପାଇଁ ଦେବେ ୨.୫ ଲକ୍ଷ
ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଗେହଲଟ୍ ସରକାରଙ୍କ ଆଉ ଏକ ବଡ଼ ଯୋଜନା
ଜୟପୁର (ଏଜେନ୍ସି): ରାଜସ୍ଥାନର ଗେହଲଟ୍ ସରକାର ରାଜ୍ୟରେ ଥିବା ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆଉ ଏକ ବଡ଼ ଯୋଜନା ହାତକୁ ନେବାକୁ ଯାଉଛନ୍ତି । ରାଜ୍ୟ ସରକାର ଟ୍ରାନ୍ସଜେଣ୍ଡର୍ସଙ୍କ ଲିଙ୍ଗ ପରିବର୍ତ୍ତନ ସର୍ଜରୀ (ପୁରୁଷରୁ ମହିଳା, ମହିଳାରୁ ପୁରୁଷ ଏବଂ ନନ୍ ଜେନେଟାଇଲ) ପାଇଁ ୨.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବେ । ଯେଉଁ ଟ୍ରାନ୍ସଜେଣ୍ଡର ନିଜ ଇଚ୍ଛାନୁସାରେ ଲିଙ୍ଗ ପରିବର୍ତ୍ତନ କରାଇବାକୁ ଚାହିଁବେ ସେମାନେ ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ନେଇପାରିବେ । ଏପରି ହେଲେ ଅର୍ଥାତ୍ ଟ୍ରାନ୍ସଜେଣ୍ଡରଙ୍କ ଲିଙ୍ଗ ପରିବର୍ତ୍ତନ କରିବା ଦିଗରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ ହେବ ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରାୟ ୨ଠହଜାର ଟ୍ରାନ୍ସଜେଣ୍ଡର ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ସ୍ଥାୟୀ ଭାବେ ନିଜ ଲିଙ୍ଗ ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି । ଏମାନଙ୍କୁ ଏଦିଗରେ ସହାୟତା କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନେତୃତ୍ୱାଧୀନ ସରକାର ଏପ୍ରକାର ନିଷ୍ପତ୍ତି ନେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୧ଠ କୋଟିର ‘ଉତ୍ଥାନ୍ କୋଷ’ ମଧ୍ୟ ଗଠନ କରାଯାଇଛି । ରାଜ୍ୟ ସାମାଜିକ ନ୍ୟାୟ ଏବଂ ଅଧିକାର ବିଭାଗର ଡେପୁଟି ଡାଇରେକ୍ଟର (ଉପାଧ୍ୟକ୍ଷ) ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ଯେକୌଣସି ଟ୍ରାନ୍ସଜେଣ୍ଡର ସାମାଜିକ ଅଧିକାର ଏବଂ ନ୍ୟାୟ ବିଭାଗ ଅନ୍ତର୍ଗତ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଲିଙ୍ଗଗତ ସର୍ଜରୀ ପାଇଁ ୨.୫ଲକ୍ଷ ଆର୍ଥିକ ସହାୟତା ଯୋଗାଇଦିଆଯିବ ନଚେତ୍ ସର୍ଜରୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ମାଗଣା କରିଦିଆଯିବ ।
ସୂଚନାଯୋଗ୍ୟ ଗେହଲଟ୍ ସରକାର ପ୍ରଥମରୁ ହିଁ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିଆସୁଛନ୍ତି । ବ୍ୟବସାୟିକସ୍ତରରେ, ଆତ୍ମନିର୍ଭରଶୀଳ ହେବା କ୍ଷେତ୍ରରେ, ଉଚ୍ଚ ଶିକ୍ଷା ଦିଗରେ, ପରିଚୟ ପତ୍ର ସହ ଅନ୍ୟାନ୍ୟ କ୍ଷେତ୍ରରେ ଗେହଲଟ୍ ସରକାର ଟ୍ରାନ୍ସଜେଣ୍ଡରଙ୍କୁ ସୁବିଧାସୁଯୋଗ ଦେଇଆସୁଛନ୍ତି । ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଯେଉଁଠି ସ୍କଲାରସିପ୍, ମାଗଣା ରହଣି ସହ ପୁରା ଖର୍ଚ୍ଚ ସରକାର ବହନ କରୁଛନ୍ତି ଅନ୍ୟପକ୍ଷେ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଋଣ ବ୍ୟବସ୍ଥା ସହ ୨୫% ସବ୍ସିଡି ଦିଆଯିବାର ମଧ୍ୟ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆସନ୍ତା ନଭେମ୍ବର ୨ଠକୁ ଗେହଲଟ୍ ସରକାର ରାଜ୍ୟବ୍ୟାପୀ ଟ୍ରାନ୍ସଜେଣ୍ଡର୍ସ ଦିବସ ଭାବେ ପାଳନ କରିବାକୁ ଯାଉଛନ୍ତି ।