ଆଇବିଏମ୍ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର, ୧୬ା୧୦ (ବୁ୍ୟରୋ): ଜନସେବାରେ ୨୫ ବର୍ଷ ଉତ୍ସର୍ଗ କରିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଜନ୍ମଦିନ ମଧ୍ୟ ଅନ୍ୟଦିନ ପରି ଏକ ସାଧାରଣ ଦିନ । ସବୁଦିନ ପରି ଶୁକ୍ରବାର ମଧ୍ୟ ଏକ କର୍ମମୟ ଦିନ । ଜନ୍ମଦିନ ନିଜେ ନ ମନାଇବା ସହ ତାଙ୍କ ଜନ୍ମ ଦିନରେ କେହି ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟ ନବୀନ ନିବାସ ନ ଆସିବା ପାଇଁ ଘୋଷଣା କରିଥିଲେ । ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣୀ ରହିବେ ବୋଲି କରିଥିଲେ । ତେବେ ଜନ୍ମ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଟେକ୍ ଜିଆ ଆଇବିଏମର ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିବା ପରେ ହାଇଦ୍ରାବାଦରେ ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ଗସ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ଉପସ୍ଥିତ ଥିଲେ । ମେକ୍ ଇନ୍ ଓଡ଼ିଶା ଉପକ୍ରମ କ୍ରମରେ ଆଇବିଏମ୍ ଓଡ଼ିଶା ଆସିଛି । ସେପ୍ଟେମ୍ବର ମାସରେ ଆଇବିଏମ୍ ଓଡ଼ିଶାରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଥିଲା । ଘୋଷଣାର ମାତ୍ର ମାସକ ପରେ ଓଡ଼ିଶାରେ ଆଇବିଏମ୍ ତା’ର କାର୍ଯ୍ୟାଳୟ ଖୋଲିଛି । ଓଡ଼ିଶା ସରକାରଙ୍କ ଶିଳ୍ପନୀତିକୁ ଏଥିପାଇଁ ପ୍ରଶଂସା କରାଯାଉଛି ।
ଓ-ହବ୍ଠାରେ ଆଇବିଏମ୍ର କ୍ଲାଏଣ୍ଟ ଇନାଭେସନ୍ ସେଣ୍ଟର (ସିଆଇସି)ର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତରୁ ବିଶ୍ୱସ୍ତରୀୟ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ କମ୍ପାନୀ ଏହାର କ୍ଷମତା ବୃଦ୍ଧି କରିବାକୁ ଚାହୁଁଥିବାରୁ ଇନୋଭେସନ୍ ସେଣ୍ଟରର ୫୦୦ କର୍ମଚାରୀଙ୍କ ପାଇଁ କ୍ଷମତା ରହିବ । ଏହା କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ କମ୍ପାନୀକୁ ଓଡିଶାର ବୈଷୟିକ ଶିକ୍ଷାଗତ ଇକୋସିଷ୍ଟମରୁ ସ୍ନାତକ ନିଯୁକ୍ତି ସହ ସମ୍ଭାବ୍ୟ ପ୍ରତିଭାକୁ ବ୍ୟବହାର କରିବାରେ ସକ୍ଷମ କରିବ । ଓଡ଼ିଶା ଅନେକ କ୍ଷେତ୍ରରେ ନିଜର ସଫଳତାର କାହାଣୀ ଲେଖିଛି । ନୂତନ ଚିନ୍ତାଧାରା, ନବସୃଜନ ଏବଂ ଉଦ୍ୟୋଗ ଗ୍ରହଣ କରି ଏକ ନୂତନ ଓଡିଶା ପ୍ରତି ନୂତନ ଆତ୍ମବିଶ୍ୱାସ ସହ ଏହା ଆଗକୁ ବଢ଼ୁଛି । ଓଡ଼ିଶା ବର୍ତ୍ତମାନ ଭାରତର ଏକ ଟେକ୍ନୋଲୋଜି ଉତ୍ସ ହବ୍ ଭାବରେ ଦ୍ରୁତ ଗତିରେ ଉଭା ହେଉଛି ।
ଭୁବନେଶ୍ୱରରେ ଉପଲବ୍ଧ ଥିବା ବ୍ୟାପକ ପରିସରକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାଂଶ ଆଇଟି କମ୍ପାନୀ ଭୁବନେଶ୍ୱରରେ ପାଦ ଦେଇଛନ୍ତି । ଏଠାରେ ଉପଲବ୍ଧ ସକ୍ଷମ ପରିବେଶ, ସୁବିଧା ସେବା ଏବଂ ବିଶାଳ ପ୍ରତିଭା ଓଡ଼ିଶାକୁ ଏକ ପସନ୍ଦ ସ୍ଥଳରେ ପରିଣତ କରିଛି । ଆଇବିଏମ୍ ଖୋଲିବା ଦ୍ୱାରା ରାଜ୍ୟରେ ଦ୍ରୁତ ପରିବର୍ତ୍ତନ ହେଉଥିବା ଆଇଟି ଇକୋସିଷ୍ଟମରେ ନୂଆ ମୁହୂର୍ତ୍ତ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଇଟି ମନ୍ତ୍ରୀ ତୁଷାରକାନ୍ତୀ ବେହେରା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଆମେ ଶିଳ୍ପ ସହ ଜଡିତ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ଇକୋସିଷ୍ଟମ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ସଚିବ ମନାଜ କୁମାର ମିଶ୍ର ଆଇବିଏମ୍କୁ ଧନ୍ୟବାଦ ଜଣାଇ ଏହା ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ଦୃଢ଼ କରିବ ଏବଂ ଓଡିଶାର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବାଲି କହିଥିଲେ ।