ମାର୍ଚ୍ଚ ସୁଦ୍ଧା ୫ଜି
ଭୁବନେଶ୍ୱର, ୧୬ା୧୦ (ବୁ୍ୟରୋ): ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ ୫ଜି ସେବା ଉପଲବ୍ଧ ହେବ । ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଏହି ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ ସହରରେ ଏହି ସେବା ଉପଲବ୍ଧ ହେବ । ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ମୋବାଇଲ ସେବା ମିଳିବ । ୨୦୨୩ ଡିସେମ୍ବର ସୁଦ୍ଧା ୫ଜିରେ କଭର ହେବ ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ । ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ ସହରରେ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶାର ୮ ସହରକୁ ଏହା ସେବା ଉପଲବ୍ଧ ରହିବ । ବର୍ତ୍ତମାନ ସ୍ଥିତିରେ ଉକ୍ତ ସହର ଗୁଡ଼ିକର ନାମ କୁହାଯିବ ନାହିଁ ବୋଲି କହିଛନ୍ତି ଅଶ୍ୱିନୀ ।
ସେବା ଦ୍ୱାରା ଇଣ୍ଟରନେଟ ୟୁଜର୍ସ ବହୁ କ୍ଷେତ୍ରରେ ଲାଭବାନ ହେବେ ।
୫ଜି ଇଣ୍ଟରନେଟ ବ୍ୟବହାର ଦ୍ୱାରା ଟେଲିକମ ଗ୍ରାହକ ୪ଜି ଠାରୁ ୧୦ ଗୁଣା ଅଧିକ ସେବା ପାଇବେ । ଯେଉଁ ଫାଇଲକୁ ଡାଉନଲୋଡ଼ କରିବା ଲାଗି ୨ଏ ନେଟୱର୍କରେ ୫୬ ଘଣ୍ଟା, ୩ଜି ନେଟୱର୍କରେ ୨ ଘଣ୍ଟା, ୪ଜି ନେଟୱର୍କରେ ୪୦ ମିନିଟ ଲାଗୁଥିଲା ସେହି କ୍ଷେତ୍ରରେ ୫ଜି ବ୍ୟବହାର ଦ୍ୱାରା ଉକ୍ତ ଫାଇଲଟି ମାତ୍ର ୩୫ ସେକେଣ୍ଡରେ ଡ଼ାଉନଲୋଡ଼ ହୋଇପାରିବ । ଇଣ୍ଟରନେଟ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି ।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୫ଜି ସେବା ଶରୀର ଉପରେ କମ ପ୍ରଭାବ ପକାଇବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ଅନୁସାରେ ଆମେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଏଥିରୁ ବିକିରଣ ହେଉଥିବା ରଶ୍ମି ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ମାତ୍ର ୫ଜି ଇଣ୍ଟରନେଟ ବ୍ୟବହାର ଦ୍ୱାରା ଏହା ୧୦ ଗୁଣ କମ ପ୍ରଭାବ ପକାଇବ । ଗତ ସେପ୍ଟେମ୍ବର ମସିହାରେ ଏ ନେଇ ରେଳମନ୍ତ୍ରୀ ସୂଚନା ଦେଇଥିଲେ ।
ଚଳିତ ମାସ (ଅକ୍ଟୋବର) ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଭାରତରେ ୫ଜି ସେବା ଲଞ୍ଚ କରିଛନ୍ତି । ଫଳରେ ଭାରତର ଡିଜିଟାଲ ଯୋଗାଯୋଗ ସେବା ଏକ ନୂଆ ଶିଖରକୁ ଛୁଇଁଥିଲା । ପ୍ରଥମ ପର୍ଯ୍ୟାୟରେ ୫ଜି ନେଟୱର୍କକୁ ଦେଶର ୧୩ ପ୍ରମୁଖ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ।