ମୋଦିଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

ହିନ୍ଦୀ ଭାଷା ବିବାଦ
ଚେନ୍ନାଇ/ ଭୋପାଳ (ଏଜେନ୍ସି): ହିନ୍ଦୀ ଭାଷାରେ ପ୍ରସ୍ତୁତ ଏମ୍ବିବିଏସ୍ ଡିଗ୍ରୀର ପାଠ୍ୟକ୍ରମକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଶୁଭାରମ୍ଭ କରିଛନ୍ତି । ମଧ୍ୟପ୍ରଦେଶର ଲାଲ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଉଦେ୍ଦଶ୍ୟରେ ଶାହା ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ହିନ୍ଦୀ ଭାଷାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିବାକୁ ଚାହୁଁଥିବା ବେଳେ ଦେଶର କେତେକ ପ୍ରାନ୍ତ ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି । ଏସବୁ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ୍କେ ଷ୍ଟାଲିନ୍ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।
ଷ୍ଟାଲିନ୍ ନିଜ ଚିଠିରେ ଦର୍ଶାଇଛନ୍ତି ଯେ, ଦେଶରେ ହିନ୍ଦୀ ଅପେକ୍ଷା ଅନ୍ୟ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ରହିଛି । ସୁତରାଂ ହିନ୍ଦୀକୁ ବାଧ୍ୟତାମୂଳକ କରିବାର ଜିଦ୍କୁ ସରକାର ପରିହାର କରିବା ଉଚିତ୍ । ଏଥିସହ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ ନେତୃତ୍ୱାଧୀନ ସଂସଦୀୟ କମିଟିର ପ୍ରସ୍ତାବକୁୂ ମଧ୍ୟ ବିରୋଧ କରିଛନ୍ତି । ଷ୍ଟାଲିନ୍ଙ୍କ କହିବାନୁସାରେ, ଦେଶର ସମସ୍ତ ବୈଷୟିକ, ଅଣବୈଷୟିକ ଶିକ୍ଷାନୁଷ୍ଠାନ ସମେତ ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଏପରିକି କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ପ୍ରଚଳିତ ପାଠ୍ୟକ୍ରମରେ ହିନ୍ଦୀ ମାଧ୍ୟମକୁ ସାମିଲ କରାଯିବା ନେଇ ସଂସଦୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରସ୍ତାବ ଦେଇଛି । ଏତଦ୍ବ୍ୟତୀତ କେତେକ ନିର୍ଦ୍ଦିଷ୍ଟ ସରକାରୀ ପଦବୀ ପାଇଁ ଆଶାୟୀଙ୍କ ଉଦେ୍ଦଶ୍ୟରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ପାଇଁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟ ଆଞ୍ଚଳିକ ଭାଷାଭାଷୀ ରାଜ୍ୟ ଉପରେ ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଭାବେ ଲଦି ଦେବାକୁ କେନ୍ଦ୍ର ଚେଷ୍ଟା କରୁଥିବା ଷ୍ଟାଲିନ୍ ଅଭିଯୋଗ କରିଛନ୍ତି । ପ୍ରକାଶ, ଆଇଆଇଟି, ଆଇଆଇଏମ, ଏମ୍ସ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ଇଂରାଜୀ ବଦଳରେ ହିନ୍ଦୀ ଭାଷାର ପ୍ରଚଳନ କରାଯିବା ଉଚିତ୍ ବୋଲି ପ୍ରସ୍ତାବ କରାଯାଇଛି ।
ଷ୍ଟାଲିନ୍ଙ୍କ ଅନୁସାରେ, ଏମିତି ପ୍ରୟାସ ସମାଜ ପାଇଁ ବିଭାଜନକାରୀ ସାବ୍ୟସ୍ତ ହେବ । ଏପ୍ରକାର ଉଦ୍ୟମ ଅଣ ହିନ୍ଦୀ ଭାଷାଭାଷୀ ପକ୍ଷେ କ୍ଷତିକାରକ । କେବଳ ତାମିଲନାଡୁ ନୁହେଂ ବରଂ ମାତୃଭାଷାକୁ ସମ୍ମାନ ଦେଉଥିବା କୌଣସି ରାଜ୍ୟ ପାଇଁ ଏହା ଗ୍ରହଣୀୟ ନୁହେଁ । ସମ୍ବିଧାନର ଅଷ୍ଟମ ସୂଚୀରେ ତାମିଲ ସମେତ ମୋଟ୍ ୨୨ଟି ଭାଷାକୁ ସାମିଲ୍ କରାଯାଇଛି । ଏସମସ୍ତ ଭାଷାର ସ୍ୱତନ୍ତ୍ରତା ରହିଛି । ଆହୁରି ଅନେକ ଭାଷା ଏହି ସୂଚୀ ଅନ୍ତର୍ଗତ ସାମିଲ ହେବା ଉଚିତ୍ ବୋଲି ସେ କହିଛନ୍ତି । ଏହି ଅବସରରେ ଷ୍ଟାଲିନ୍ ଇତିହାସରେ ଘଟିଥିବା ଘଟଣାର ସ୍ମୃତି ଚାରଣ କରିଛନ୍ତି । ସେ କହିଛନ୍ତି, ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବାକୁ ତାମିଲନାଡୁ ପ୍ରଥମରୁ ହିଁ ବିରୋଧ କରିଆସୁଛି । ୧୯୬୫ରେ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ତାମିଲନାଡୁରେ ବ୍ୟାପକ ପ୍ରତିବାଦ କରାଯାଇଥିଲା । ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିବା ଜବାହରଲାଲ ନେହରୁ ପ୍ରତିଶ୍ରୁତି ଦେଇଥିଲେ, ଯେପର୍ଯ୍ୟନ୍ତ, ଅଣ ହିନ୍ଦୀଭାଷୀ ନ ଚାହିଁଛନ୍ତି, ସେପର୍ଯ୍ୟନ୍ତ ଇଂରାଜୀ ଅନ୍ୟତମ ସରକାରୀ ଭାଷା ଭାବେ ବ୍ୟବହୃତ ହେବ । ୧୯୬୮ ଏବଂ ୧୯୭୬ରେ ଏନେଇ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ମୋଦି ସରକାର ହିନ୍ଦୀ ଭାଷାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି । ଷ୍ଟାଲିନ କହିଛନ୍ତି, ପ୍ରତିଟି ଭାଷାରେ ନିଜର ବିଶିଷ୍ଟତା ଏବଂ ଭାଷାର ସଂସ୍କୃତି ବେଶ୍ ମହତ୍ୱ ରଖୁଥିବା କେନ୍ଦ୍ର ସରକାର ଭୁଲି ଯାଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *