ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ
ଦିନରେ ପୁଞ୍ଜିପତିଙ୍କୁ ଭେଟିବେ, ସନ୍ଧ୍ୟାରେ ରୋଡ୍ ଶୋ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରଠାରୁ ୩ ଦିନିଆ ହାଇଦ୍ରାବାଦ୍ ଗସ୍ତରେ ଯାଇଛି ।ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରୋଶଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ଓ ମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ବିଭାଗୀୟ ଅଧିକାରୀ ହାଇଦ୍ରାବାଦ୍ ଗସ୍ତ କରିଛନ୍ତି । ରବିବାର ସନ୍ଧ୍ୟାରୁ ହିଁ ପୁଞ୍ଜିପତିଙ୍କ ସହ ୱାନ୍ ଓୁ ୱାନ୍ ଆଲୋଚନା ଆରମ୍ଭ ହୋଇଥିବାବେଳେ ମୁଖ୍ୟ ଶାସନ ସଚିବ ପ୍ରାରମ୍ଭିକ ଭାବେ ପୁଞ୍ଜିପତିଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତାକାଲି ଦିନ ତମାମ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରମୁଖ ପୁଞ୍ଜିପତିଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ । ସନ୍ଧ୍ୟାରେ ରୋଡ୍ ଶୋରେ ଭାଗ ନେଇ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବାକୁ ସାମୁହିକ ଭାବେ ନିମନ୍ତ୍ରଣ ଦେବେ ବୋଲି ସୂଚନା ମିଳିଛି ।
ସୂଚନାଥାଉ କି, ରାଜ୍ୟ ସରକାର ଏବଂ ଫିକିର ମିଳିତ ଆନୁକୂଲ୍ୟରେ ସେଠାର ଚଳିତ ବର୍ଷର ଷଷ୍ଠ ନିବେଶକ ସମ୍ମିଳନୀ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ଏହି ସମ୍ମିଳନୀରେ ମୁଖ୍ୟତଃ ହେଲ୍ଥ୍ ଏବଂ ଫାର୍ମା, ଆଇଟି, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କମ୍ପାନୀର ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ହେବ । ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ହାଇଦ୍ରାବାଦରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛି । ଆଗକୁ କୋଲକାତା ଓ ଚେନ୍ନାଇରେ ମଧ୍ୟ ନିବେଶକ ସମ୍ମିଳନୀ କରାଯିବ ବୋଲି ସୂଚନା ମିଳିଛି ।
ପୂର୍ବରୁ ଏହି ଉପରୋକ୍ତ ୬ ନିବେଶକ ସମ୍ମିଳନୀ ଦ୍ୱାରା ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପଥ ପରିଷ୍କାର ହୋଇଛି । ହାଇଦ୍ରାବାଦରେ ହେବାକୁ ଥିବା ସମ୍ମେଳନ ମଧ୍ୟ ରାଜ୍ୟରେ ଚାଲିଥିବା ଶିଳ୍ପାନୟନ କ୍ଷେତ୍ରରେ ପ୍ରମୁଖ ଅଂଶ ଗ୍ରହଣ କରିବ ବୋଲି ଆଶା କରାଯାଉଛି । ସବୁଠି ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତି, ନିବେଶକଙ୍କ ସହ ଆଲୋଚନା କରୁଛନ୍ତି । ଏହା ଦ୍ୱାରା ସେମାନଙ୍କୁ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳୁଛି ଯାହାର ପରିଣାମ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।