ଠିକା ନିଯୁକ୍ତି ଉଚ୍ଛେଦ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର, ୧୬ା୧୦ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଠିକା ନିୟୁକ୍ତି ପ୍ରଥା ହଟାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରବିବାର ଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରୁ ଗ୍ରୁପ୍-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମ·ରୀ ମାନେ ସ୍ଥାୟୀ ହୋଇଛନ୍ତି । ରାଜ୍ୟରେ ୫୭ ହଜାରରୁ ଅଧିକ କର୍ମ·ରୀ ନିୟମିତ ହୋଇଛନ୍ତି । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ।
ଏଥି ସହିତ ଚୁକ୍ତିଭିତ୍ତିକ ନିଯୁକ୍ତି ଦିନଠାରୁ ଇନକ୍ରିମେଣ୍ଟ ଲାଗୁ ହେବ । ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାକୁ ବି ଗଣନା କରାଯିବ । ଇନକ୍ରିମେଣ୍ଟ ସହ ପଦୋନ୍ନତି ବି ମିଳିବ । ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଗତକାଲି ଅପରାହ୍ନ ୪.୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବ୍ରେଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ନିଷ୍ପତ୍ତି ହୋଇଥିଲା ।
