ଅଦ୍ୱିତୀୟ, ଅପରାଜେୟ
ଭୁବନେଶ୍ୱର, ୧୫ା୧୦ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ୨୨ ବର୍ଷ ଧରି ନିରଙ୍କୁଶ ଓଡ଼ିଶାର ଦାୟିତ୍ୱ ନିର୍ବାହ କରି ନିଜକୁ ଜଣେ ଅଦ୍ୱିତୀୟ ନେତା ଭାବେ ପ୍ରତିପାଦିତ କରିବାରେ ସେ ସକ୍ଷମ ହୋଇଛନ୍ତି । ଆଜି ତାଙ୍କର ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍ କ୍ଷମତାରେ ରହିଲା ପରେ ବି ନବୀନଙ୍କ ଜୀବନଶୈଳୀ ବେଶ୍ ସାମାନ୍ୟ । ସାମନ୍ତବାଦୀ ଚିନ୍ତାଧାରା ବା ସମ୍ଭ୍ରାନ୍ତ ଶ୍ରେଣୀୟ ଚାଲିଚଳଣ ତାଙ୍କୁ ସ୍ପର୍ଶ କରିପାରିନାହିଁ । ଧଳା ପାଇଜାମା କୁର୍ତ୍ତା, କୋହ୍ଲାପୁରୀ ଚପଲ୍ ପରିଧାନ କରିବା ସହ ଆଜି ଯାଏ ପୈତୃକ ଆମ୍ବାସଡ଼ର କାରକୁ ସଂରକ୍ଷିତ କରି ରଖିଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବହୁ ବିଳାସପୂର୍ଣ୍ଣ ଗାଡ଼ି ବ୍ୟବହାର କରୁଥିଲାବେଳେ ସେଥିରୁ ନିଜକୁ ଦୂରେଇ ରଖିଛନ୍ତି ନବୀନ । ତାଙ୍କ ଶାସନକାଳରେ ଓଡ଼ିଶା ପ୍ରଗତିର ନୂଆ ସୋପାନକୁ ଯାଇଥିବା କହିଲେ ଭୁଲ୍ ହେବନି ।
୧୯୯୯ ମହାବାତ୍ୟାରେ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାବେଳେ ପରବର୍ତ୍ତୀ ସମୟରେ ଦାୟିତ୍ୱ ନେଇଥିଲେ ନବୀନ । ଏକ ସଙ୍କଟପୂର୍ଣ୍ଣ ସମୟରେ ରାଜ୍ୟର ଭାର ସମ୍ଭାଳିବା ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ହେଲେ ସେ ଆହ୍ୱାନକୁ ଗ୍ରହଣ କରି ପ୍ରତିକୂଳ ପରିସ୍ଥିତିରୁ ଓଡ଼ିଶାକୁ ଉତ୍ତମ ସ୍ଥିତିକୁ ଆଣିବାରେ ନବୀନ ନିଭାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏକଦା ଦାରିଦ୍ର୍ୟତା ପାଇଁ ଜଣାଶୁଣା ଥିବା ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ଭାବେ ଗଣିତ ହେଉଛି । ଆଜି ଅନେକ କ୍ଷେତ୍ରରେ ବିକଶିତ ରାଜ୍ୟମାନଙ୍କ ସହ ସମକକ୍ଷ ହୋଇପାରିଛି ।
ରାଜ୍ୟର ବିକାଶ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତା ଯୋଗୁ ଆଜି ଦାରିଦ୍ର୍ୟ ହ୍ରାସ କରିବାରେ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇଛି । ନିଜସ୍ୱ ସମ୍ବଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଲାଗି ଯୋଜନା ପରେ ଯୋଜନା ପ୍ରସ୍ତୁତ କରିବାରେ ନବୀନ ସମଗ୍ର ଦେଶରେ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଏକାଧିକ ଯୋଜନା କେନ୍ଦ୍ର ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛି । ନିକଟରେ ଓଡ଼ିଶାରେ ନିବେଶ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଶ୍ୱର ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରୁଥିବାବେଳେ ଏନେଇ ଆସନ୍ତା ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଅନୁଷ୍ଠିତ ହେବ । ଓଡ଼ିଶାରେ ନୂଆ ଶିଳ୍ପ ଯୁୂଗର ଆରମ୍ଭ ସହ ଆର୍ଥôକ ଅଭିବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
କେବଳ ସେତିକି ନୁହେଁ, କ୍ଷମତାରେ ବହୁବର୍ଷ ରହିବା ପରେ ବି ନବୀନ କଳଙ୍କଠାରୁ ବେଶ୍ ଦୂରରେ ରହି ପାଲଟିଛନ୍ତି ଜଣେ ନିଷ୍କଳଙ୍କ ରାଜନେତା । ଦୁର୍ନୀତି ବିରୋଧରେ ଅଭିଯୋଗ ଆସିବା ମାତ୍ରେ, ଯିଏ ବି ହୋଇଥାଉ ନା କାହିଁକି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି ମୁଖ୍ୟମନ୍ତ୍ରୀ । ଏହାର ଅନେକ ନଜିର୍ ବିଗତ ବର୍ଷମାନଙ୍କରେ ଦେଖିବାକୁ ମିଳିଛି । ନବୀନ ସବୁବେଳେ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ବା ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିଆସିଛନ୍ତି । କେବେ ବି ପକ୍ଷପାତିତା, ପ୍ରିୟାପ୍ରୀତି ତୋଷଣା ତାଙ୍କ ଠାରେ ଦେଖିବାକୁ ମିଳିନି । ଓଡ଼ିଶା ସ୍ୱଚ୍ଛ ନେତୃତ୍ୱ ଦେଇ ନିଆରା ଉଦାହରଣ ସୃଷ୍ଟି କରିପାରିଛନ୍ତି ସେ ।
ସେହିପରି ମହିଳା ସଶକ୍ତି କରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟକୁୂ ପଛରେ ପକାଇଛି । ସେ ନିର୍ବାଚନ ହେଉ କି ଉଦ୍ୟୋଗ ଅଥବା ଚାଷ, ସବୁଠି ମହିଳାଙ୍କୁ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରିଛନ୍ତି । ମିଶନ ଶକ୍ତି ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି । ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ସାମଗ୍ରୀର ଚାହିଦା ସମଗ୍ର ବିଶ୍ୱରେ ବଢ଼ଇବାକୁ ଲାଗିଛି । ଏହାକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଭାରତୀୟ ଡାକ ସହଯୋଗର ହାତ ବଢ଼ାଇଛି ।
ସେହିଭଳି ଅନ୍ୟ ରାଜ୍ୟ ଅପେକ୍ଷା କେତେକ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇ ଦେଶକୁ ଭିନ୍ନବାର୍ତ୍ତା ଦେଇଆସିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍ ମହାମାରୀକୁ ନେଇ ଯେତେବେଳେ ପୂରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିଲା, ସେତେବେଳେ ନବୀନ ଆପଣାଇଥିବା ଷ୍ଟ୍ରାଟେଜି ବା ରଣକୌଶଳକୁ ଆଜି ପୂରା ବିଶ୍ୱ ପ୍ରଶଂସା କରୁଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏଥିପାଇଁ ରାଜ୍ୟ ସରକାରଙ୍କ କୋଭିଡ୍ ବିରୋଧୀ ରଣନୀତିକୁ ତାରିଫ୍ କରିଥିଲା । ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟର ହେଉ ବା ଜିଲ୍ଲାସ୍ତରରେ ଖୁବ୍ କମ୍ ଦିନ ମଧ୍ୟରେ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ୍ ଅବା ଲକ୍ଡାଉନ୍/ସଟ୍ଡାଉନ୍/କଣ୍ଟେନମେଣ୍ଟ୍ ଜୋନ୍ ଆଦି ନିର୍ଦ୍ଧାରଣ; ଏସବୁ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ଅପେକ୍ଷା ଦୁଇପାଦ ଆଗରେ ରହିଥିଲା । ଫଳସ୍ୱରୂପ ରାଜ୍ୟରେ କୋଭିଡ୍ଜନିତ ମୃତୁ୍ୟସଂଖ୍ୟାକୁ ଯଥାସମ୍ଭବ ହ୍ରାସ କରିବା ଓ ଆରୋଗ୍ୟ ହାର ବୃଦ୍ଧିରେ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ଓଡ଼ିଶା ।
୧୯୪୬ ଅକ୍ଟୋବର ୧୬ରେ ପ୍ରବାଦପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ୨ଠ ବର୍ଷ ଲଗାତର ମୁଖ୍ୟମନ୍ତ୍ରୀ ପଦରେ ରହି ଓଡ଼ିଶା ରାଜନୀତି ଇତିହାସରେ ଏକ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛନ୍ତି । ପିଲାଦିନୁ ଆଦୌ ରାଜନୀତିରେ ରୁଚି ରଖୁନଥିବା ନବୀନ, ବିଜୁ ବାବୁଙ୍କ ଅବର୍ତ୍ତମାନ କାଳରେ ନିଜର ବନ୍ଧୁ ଓ ବିଜୁପ୍ରେମୀଙ୍କ ଅନୁରୋଧକୁ ରକ୍ଷା କରି ରାଜନୀତିରେ ପାଦ ଦେଇଥିଲେ । ତାଙ୍କ ୨୦ ବର୍ଷର ରାଜନୀତି ଜୀବନକାଳ ଭିତରେ ବହୁ ଘାତ ପ୍ରତିଘାତ ଥିଲେ ବି ସେ ନିଜକୁ ଜଣେ ଅନନ୍ୟ ଜନସେବକ ଭାବେ ଜନମାନସରେ ପ୍ରତିଷ୍ଠିତ କରିପାରିଛନ୍ତି ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅଣକଂଗ୍ରେସ ରାଜନୀତି ମଙ୍ଗ ସମ୍ଭାଳିବା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । କଂଗ୍ରେସ ଛାଡ଼ିବା ପରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଓଡ଼ିଶାରେ ଯେଉଁ ଅଣକଂଗ୍ରେସ ରାଜନୀତିର ଶକ୍ତି ଛିଡ଼ା କରିଥିଲେ ସେ ଶକ୍ତି ଖଣ୍ଡବିଖଣ୍ଡିତ ହେବା ଆରମ୍ଭ କରିଥିଲା । କଟକରେ ଜନ୍ମ ହୋଇଥିଲେ ବି ନବୀନ ପଟ୍ଟନାୟକଙ୍କ ସ୍କୁଲ ଶିକ୍ଷାଠାରୁ ଆରମ୍ଭ କରି କଲେଜ ଶିକ୍ଷା ସବୁ ବାହାର ରାଜ୍ୟରେ ହିଁ ଶେଷ ହୋଇଥିଲା । ପ୍ରସିଦ୍ଧ ଓଏଲ୍ହମ୍ ଅଏସ୍ ସ୍କୁଲ, ଡେରାଡୁନ୍ର ଡୁନ୍ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ ପରେ ସାଲୱାଡ୍ର ଲରେନ୍ସ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିରୋରୀ ମଲ୍ କଲେଜରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଇଂରାଜୀ, ହିନ୍ଦୀ ଆଉ ଫ୍ରେଞ୍ଚ୍ ଭାଷା କହିବାରେ ଦକ୍ଷତା ଅର୍ଜନ କରିଥିବା ନବୀନ ଅଣକଂଗ୍ରେସ ରାଜନୀତି ମଙ୍ଗ ଧରିବା ପାଇଁ ସବୁକ୍ଷେତ୍ରରୁ ଅନୁରୋଧ ଆସିଥିଲା । ଏପରିକି ତାଙ୍କ ମା’ ଜ୍ଞାନ ପଟ୍ଟନାୟକ ନବୀନଙ୍କୁ ଏହି ଗୁରୁଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଥିଲେ । ନିଜ ମା’, ବନ୍ଧୁ ଓ ବିଜୁପ୍ରେମୀଙ୍କ କଥାକୁ ରଖି ୧୯୯୭ରେ ପ୍ରଥମେ ରାଜନୀତିରେ ପାଦ ଦେଲେ ଆଉ ଆସିକା ନିର୍ବାଚନମଣ୍ଡଳୀରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୯୦ ଦଶକରେ ସମଗ୍ର ଦେଶରେ ଜନତାଦଳ ଖଣ୍ଡ ବିଖଣ୍ଡିତ ହେବାକୁ ଆରମ୍ଭ କରିଥିଲା । ଏହି ସମୟରେ ଓଡ଼ିଶାରେ ଅଣକଂଗ୍ରେସ ଶକ୍ତି ଲୋପ ନ ପାଉ ଏହି ଚିନ୍ତାଧାରାକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ଗଠନ କରିଥିଲେ । ଏନ୍ଡିଏରେ ସାମିଲ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମେ ଇସ୍ପାତ୍ ଓ ଖଣି ବିଭାଗ ଦାୟିତ୍ୱ ସମ୍ଭାଳିଥିଲେ । ରାଜନୀତିରେ ନୂଆ କରି ପାଦ ଥାପିଥିବା ନବୀନ ଦକ୍ଷତାର ସହ ମନ୍ତ୍ରୀ ପଦ ତୁଲାଇ ନିଜ ପ୍ରତିଭାର ପରଚିୟ ଦେଇଥିଲେ ।
ଏହା ପରେ ସେ ୨୦୦୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ୧୯୯୯ ମହାବାତ୍ୟାରେ ସମଗ୍ର ଉପକୂଳ ଓଡ଼ିଶା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ରାଜ୍ୟର ଆର୍ଥିକ ସ୍ଥିତିି ଦେବାଳିଆ ହୋଇଥିଲା । ଏଭଳି ସ୍ଥିତିରେ ରାଜ୍ୟ ଭାର ନେଇ ଏକ ମେଣ୍ଟ ସରକାରକୁ ସଫଳତାର ସହ ସେ ଚଳାଇଥିଲେ । ୨୦୦୦ ନିର୍ବାଚନ ପରଠାରୁ ନବୀନ ଓ ତାଙ୍କ ନେତୃତ୍ୱାଧୀନ ବିଜେଡି କେବେ ପରାଜୟର ସ୍ୱାଦ ଚାଖିନାହାଁନ୍ତି । ତାଙ୍କର ପ୍ରଭାବଶାଳୀ ନେତୃତ୍ୱ ଓ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାର ସମର୍ପଣ ଭାବ ଯୋଗୁଁ ଆଜି ସମଗ୍ର ରାଜ୍ୟରେ ତାଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ ସୃଷ୍ଟି ହୋଇଛି । ଓଡ଼ିଶାକୁ କ୍ଷୁଧାମୁକ୍ତ କରିବା ପାଇଁ ଗରିବ ଲୋକଙ୍କ ଏକଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିବା ସହ ସାମାଜିକ ଓ ଭିତ୍ତିଭୂମି କ୍ଷେତ୍ରରେ ଅନେକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଥିଲେ । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କୃଷି, ଶିଳ୍ପ, ଶିକ୍ଷା ଆଦିର ସମଭାଗିତାରେ ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଓଡ଼ିଶା ଆଜି ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଭାରତବର୍ଷରେ ପରିଗଣିତ ହେଉଛି । ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଥିବା ଓଡ଼ିଶାକୁ ବିକଶିତ କରି ନିଜସ୍ୱ ସମ୍ବଳରେ ଏନ୍ତୁଡ଼ିଶାଳରୁ ମଶାଣି ଯାଏ ଯୋଜନା କରିଛନ୍ତି । ଅଳ୍ପ କଥା କହୁଥିବା ନବୀନ କାର୍ଯ୍ୟରେ ଅନେକ ଜିନିଷ କରିଦେଖାନ୍ତି । ନିଜ ବିରୋଧୀଙ୍କୁ କେବେ ବି ବ୍ୟକ୍ତିଗତ ଭାବେ ଆକ୍ଷେପ ନକରିବା ହେଉଛି ତାଙ୍କ ଚରିତ୍ରର ଏକ ବଡ଼ ବିଶେଷତା । ରାଜନୈତିକ ପ୍ରତିହିଂସା କିମ୍ବା ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ବିଦ୍ୱେଷ ମନୋଭାବ କେବେ ଦେଖିବାକୁ ମିଳିନାହିଁ । ଏସବୁ ଦୃଷ୍ଟିକୋଣରୁ ଏବେ ନବୀନ ସମଗ୍ର ଦେଶରେ ଜଣେ ନିଆରା ରାଜନୈତିକ ବ୍ୟକ୍ତି ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *