ଭାରତକୁ ସପ୍ତମ ମୁକୁଟ
ମହିଳା ଏସିଆ କପ୍
ସିଲହଟ, ୧୫ା୧୦ (ଏଜେନ୍ସି): ମହିଳା ଏସିଆ କପ୍ରେ ସପ୍ତମ ଥର ମୁକୁଟ ହାସଲ କରିଛି ଭାରତ । ଶନିବାର ଖେଳାଯାଇଥିବା ଏକତରଫା ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା ଟିମ୍ ୮ ୱିକେଟ୍ରେ ଶ୍ରୀଲଙ୍କାକୁ ମାତ୍ ଦେଇଛି । ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିବା ରେଣୁକା ସିଂହ ଠାକୁର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟରେ ୯୪ ରନ୍ କରିବା ସହ ମୋଟ୍ ୧୩ ୱିକେଟ୍ ନେଇଥିବା ଦୀପ୍ତି ଶର୍ମା ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
ଶ୍ରୀଲଙ୍କା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତୀୟ ବୋଲର୍ଙ୍କ ପ୍ରଭାବଶାଳୀ ବୋଲିଂ ଆଗରେ ତାସ୍ଘର ଭଳି ଭୁଶୁଡ଼ି ପଡ଼ିଥିଲା ଶ୍ରୀଲଙ୍କା ଇନିଂସ୍ । ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ମାତ୍ର ୬୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଜବାବରେ ଭାରତୀୟ ଟିମ୍ ୮.୩ ଓଭର୍ରେ ମାତ୍ର ୨ ୱିକେଟ୍ ହରାଇ ୭୧ ରନ୍ କରି ବିଜୟୀ ହୋଇଥିଲା ।
୬୬ ରନ୍ର ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ର ଓପନିଂ ଯୋଡ଼ି ଶେଫାଲୀ ବର୍ମା ଓ ସ୍ମୃତି ମାନ୍ଧାନାଙ୍କ ମଧ୍ୟରେ ୩୨ ରନ୍ର ଭାଗୀଦାରୀ ହୋଇଥିଲା । ଇନ୍-ଫର୍ମ ଶେଫାଲୀ କିନ୍ତୁ ଆଜି ଫ୍ଲପ୍ ହୋଇଥିଲେ । ସେ ମାତ୍ର ୫ ରନ୍ କରି ଇନୋକା ରଣବୀରାଙ୍କ ବଲ୍ରେ ଷ୍ଟମ୍ପ୍ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଜେମିମା ରୋଡ୍ରିଗ୍ସ (୨) ମଧ୍ୟ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ସେ କବିଶା ଦିଲହାରିଙ୍କ ଶିକାର ହୋଇଥିଲେ । ଏହାପରେ ସ୍ମୃତି ଅଧିନାୟକ ହରମନପ୍ରୀତ କୌରଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ ।
ସ୍ମୃତି ଏକ ଛକା ଲଗାଇ ମ୍ୟାଚ୍ ଫିନିଶ୍ କରିଥିଲେ । ସେ ୨୫ ବଲ୍ରୁ ୫୧ ରନ୍ କରି ଅଧିନାୟିକା ହରମନପ୍ରୀତ ସିଂହ (୧୧)ଙ୍କ ସହ ଅପରାଜିତ ଥିଲେ । ତାଙ୍କ ଇନିଂସ୍ରେ ୬ ଚୌକା ଓ ୩ ଛକା ରହିଥିଲା ଏବଂ ଷ୍ଟ୍ରାଇକ୍ରେଟ୍ ଥିଲା ୨୦୪ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍ ଶୀର୍ଷ ଓ ମଧ୍ୟକ୍ରମ ବ୍ୟାଟର୍ଙ୍କ ବିଫଳତା ଯୋଗୁଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ୧୬ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଟିମ୍ ପକ୍ଷରୁ ଇନୋକା ରଣବୀରା ସର୍ବାଧିକ ୧୮ ଓ ଅଚିନି କୁଳସୂର୍ଯ୍ୟ ୬ ରନ୍ କରି ଅପରାଜିତ ଥିଲେ । ଓସାଦୀ ରଣସିଙ୍ଘେ ୧୩, ଅଧିନାୟିକା ଚମାରୀ ଆଟାପାଟ୍ଟୁ ୬ ରନ୍ କରିଥିଲେ । ରଣବୀରା ଓ ରଣସିଙ୍ଗେଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
ଭାରତ ପକ୍ଷରୁ ରେଣୁକା ସିଂହ ୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏହାଛଡ଼ା ରାଜେଶ୍ୱରୀ ଗାଏକୱାଡ଼ ଓ ସ୍ନେହ ରାଣା ୨ ଲେଖାଏଁ ୱିକେଟ୍ ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସେମିଫାଇନାଲ୍ରେ ଅନୁରୂପ ଢଙ୍ଗରେ ଥାଇଲାଣ୍ଡକୁ ମାତ୍ ଦେଇଥିବା ବେଳେ ଶ୍ରୀଲଙ୍କା ୧ ରନ୍ରେ ପାକିସ୍ତାନକୁ ହରାଇ ଫାଇନାଲ୍ରେ ସ୍ଥାନ ପାଇଥିଲା ।
ଭାରତ ଏଥି ପୂର୍ବରୁ ମହିଳା ଏସିଆ କପ୍ର ଦିନିକିଆ ଫର୍ମାଟ୍ରେ ୨୦୦୪, ୨୦୦୫, ୨୦୦୬, ୨୦୦୮ ଏବଂ ଟି-୨୦ ଫର୍ମାଟ୍ରେ ୨୦୧୨, ୨୦୧୬, ୨୦୧୮ରେ ଫାଇନାଲ୍ରେ ସ୍ଥାନ ପାଇଥିଲା । କେବଳ ୨୦୧୮ ସଂସ୍କରଣକୁ ଛାଡ଼ିଦେଲେ, ଫାଇନାଲ୍ ଖେଳିଥିବା ସମସ୍ତ ସଂସ୍କରଣରେ ଭାରତୀୟ ଟିମ୍ ବିଜୟୀ ହୋଇଥିଲା । ୨୦୧୮ ଫାଇନାଲ୍ରେ ଭାରତ ଫାଇନାଲ୍ରେ ବାଂଲାଦେଶ ଠାରୁ ହାରି ଯାଇଥିଲା ।