ପାକିସ୍ତାନ ଏକ ବିପଜ୍ଜନକ ଦେଶ

ନୂଆଦିଲ୍ଲୀ (ଏଜେନ୍ସି): ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଶେଷରେ ପାକିସ୍ତାନ ବିରୋଧରେ ନିଜ ସ୍ୱରକୁ ସ୍ପଷ୍ଟ କରିଛନ୍ତି । ବାଇଡନ୍, ପାକିସ୍ତାନକୁ ବିଶ୍ୱର ଅନ୍ୟତମ ବିପଦ୍ଜନକ ରାଷ୍ଟ୍ର ଭାବେ ଅଭିହିତ କରିଛନ୍ତି । ଡେମୋକ୍ରାଟିକ ପାର୍ଟି କଂଗ୍ରେସର ଅଭିଯାନ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଚୀନ୍, ରୁଷ୍ ସହ ଆମେରିକାର ବିଦେଶ ନୀତି ତଥା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ପରମାଣୁ ଆକ୍ରମଣ ଆଶଙ୍କା ଉପରେ ଚର୍ଚ୍ଚା କରିବା ଅବସରରେ ବାଇଡନ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ବାଇଡନ୍ କହିଛନ୍ତି, ବର୍ତ୍ତମାନ ସମୟରେ ପାକିସ୍ତାନ ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ଦେଶ ପାଲଟିଥିବା ସେ ଭାବୁଛନ୍ତି । ପାକିସ୍ତାନ ପାଖରେ ପର୍ଯ୍ୟାପ୍ତ ଆଣବିକ ଅସ୍ତ୍ର ଗଚ୍ଛିତ ରହିଛି, କିନ୍ତୁ କୌଣସି ସୁରକ୍ଷା ବିନା ଏସବୁ ରଖାଯାଇଛି । ପାକିସ୍ତାନର ଆଣବିକ ଅସ୍ତ୍ରର ସୁରକ୍ଷାକୁ ନେଇ ପାଶ୍ଚାତ୍ୟ ଦେଶ ସବୁବେଳେ ଚିନ୍ତା ପ୍ରକଟ କରି ଆସିଛନ୍ତି । ପାକିସ୍ତାନର ଏସବୁ ଆଣବିକ ଅସ୍ତ୍ର ଆତଙ୍କବାଦୀ କିମ୍ବା ଜିହାଦୀଙ୍କ ହାତରେ ପଡିଯାଇପାରେ ବୋଲି ବିଶ୍ୱ ସମୁଦାୟ ସର୍ବଦା ଆଶଙ୍କାରେ ରହୁଛି । ଏତଦ୍ବ୍ୟତୀତ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ଭାବେ ପାକିସ୍ତାନ ନିଜ ଭାବମୂର୍ତ୍ତିକୁ ମଧ୍ୟ ବିଶ୍ୱ ଦରବାରରେ ମଳିନ କରିଛି ବୋଲି ବାଇଡନ୍ କହିଛନ୍ତି ।
ଅନ୍ୟପକ୍ଷେ ବାଇଡନ୍ଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ପାକିସ୍ତାନ ଉତ୍କ୍ଷିପ୍ତ ହୋଇପଡ଼ିଛି । ଫଳତଃ ଇସଲାମାବାଦ୍ରେ ଅବସ୍ଥିତ ଆମେରିକୀୟ ଉଚ୍ଚାୟୁକ୍ତଙ୍କୁ ସମନ୍ ଜାରି କରିବା ନେଇ ପାକିସ୍ତାନ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏପରି ହେଲେ ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କ ପ୍ରଭାବିତ ହେବା ଅନୁମାନ କରାଯାଉଛି । ଜିଓ ନୁ୍ୟଜ୍ ରିପୋର୍ଟ ଅନୁସାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଶନିବାର କହିଛନ୍ତି ଯେ, ଆମେରିକାର ଆଣବିକ ସାମର୍ଥ୍ୟ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତିଙ୍କ ବିବୃତି ପରେ ଆମେରିକାର ରାଷ୍ଟ୍ରଦୂତଙ୍କୁ ସମନ୍ ପୂର୍ବକ ଡକାଇ କୈଫିୟତ୍ ତଲବ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ରିପୋର୍ଟସ ଅନୁସାରେ ପାକିସ୍ତାନ ପାଖରେ ସମ୍ପ୍ରତି ୧୬ଠରୁ ଅଧିକ ପରମାଣୁ ବୋମା ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀଙ୍କୁ ଅପମାନିତ ହେବାକୁ ପଡିଛି । ଆମେରିକାରେ ରହୁଥିବା ପାକ୍ ନାଗରିକମାନେ ବିମାନବନ୍ଦର ଠାରେ ତାଙ୍କୁ ଚୋର ଚୋର କହି ସ୍ଲୋଗାନବାଜି କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *