୧୧ କେଭି ଲାଗି ଟ୍ରକ୍ ସହ ଜଳିଗଲେ ମାଲିକ
ପାଣିକୋଇଲି (ଆପ୍ର): ବିଦୁ୍ୟତ୍ ବିଭାଗର ଅବହେଳା ଯୋଗୁ ଓହଳି ରହିଥିବା ଉଚ୍ଚଶକ୍ତିସଂପନ୍ନ ୧୧ କେଭି ତାରରେ ଲାଗି ଟ୍ରକ୍ ସହିତ ଏହାର ମାଲିକ ଜଳିଯାଇଛନ୍ତି । ଏହି ଅଘଟଣ ପାଣିକୋଇଲି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ୧୪ ଚକିଆ ଟ୍ରକ ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି ।
ଟ୍ରକ ମାଲିକ ହେଉଛନ୍ତି ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ହାଟସାହି ଗାଁର ସୁରେଶ ଦାସ । ସେହି ପଞ୍ଚାୟତ ସିଙ୍ଗଡା ଗ୍ରାମର ଜଣେ ବ୍ୟକ୍ତି ଏହାକୁ ଚଳାଉଥିଲେ । କିନ୍ତୁ ସେ ଘରୁ ଆସିବାରେ ଡେରି କରିବାରୁ ସୁରେଶ ତାଙ୍କୁ ଡାକିବାକୁ ଅପରାହ୍ଣ ପ୍ରାୟ ୨ଟା ସମୟରେ ଯାଇଥିଲେ । ଡ୍ରାଇଭର୍ଙ୍କ ସହିତ ସେ ଟ୍ରକରେ ବସି ସିଙ୍ଗଡାରୁ ଜାତୀୟ ରାଜପଥ ଉପରକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସିଙ୍ଗଡା ଛକରେ ବିପଦପୂର୍ଣ୍ଣ ଭାବେ ଓହଳି ରହିଥିବା ୧୧ କେଭି ତାର ଟ୍ରକ କ୍ୟାବିନରେ ଲାଗିବା ଆଶଙ୍କା କରି ସୁରେଶ କ୍ୟାବିନ ଉପରେ ଚଢ଼ି ବାଉଶଁ ସହାୟତାରେ ତାର ଟେକିବାକୁ ଉଦ୍ୟମ କରିଥିଲେ । ମାତ୍ର ସେ ବାଉଁଶରେ ତାର ଟେକିବା ସମୟରେ ଟ୍ରକ୍ ଗଡ଼ିଯିବାରୁ ତାର ଖସି ଯାଇ ସୁରେଶଙ୍କ ଦେହରେ ଲାଗି ଯାଇଥିଲା । ଫଳସ୍ୱରୂପ ସୁରେଶ ଜଳିଯାଇଥିଲେ । ଏଥି ସହିତ ଉକ୍ତ ଟ୍ରକ୍ ( ଓଡି ୩୪ଏମ ୧୯୨୬)ରେ ନିଅାଁ ଲାଗିଯାଇଥିଲା ।
ଟ୍ରକ ଜଳିଯାଉଥିବା ଦେଖି ସ୍ଥାନୀୟ ଲୋକେ ଜମା ହୋଇଥିଲେ । ଖବରପାଇ ପାଣିକୋଇଲି ପୁଲିସ ଓ ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚିଥିଲେ । ଦମକଳ ବାହିନୀ ନିଅାଁକୁ ଆୟତ କରି କ୍ୟାବିନ ଉପରୁ ଦଗ୍ଧୀଭୂତ ସୁରେଶଙ୍କୁ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିସôାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପାଣିକୋଇଲି ପୁଲିସ ପହଞ୍ଚି ପଞ୍ଚନାମା କରି ଶବ ବ୍ୟବଚ୍ଛେଦ କରାଇଛି । ଏ ନେଇ ଏକ ମାମଲା ରୁଜୁ ହୋଇଛି ।