ପୋଡ଼ାଗଲା ୯ କ୍ୱିଣ୍ଟାଲ୍ ଗଞ୍ଜେଇ
ଶେରଗଡ(ଆପ୍ର): ଗଜପତି ଜିଲ୍ଲାରୁ ବେଧଡ଼କ ଗଞ୍ଜେଇ କାରବାରକୁ ରୋକ ଲଗାଇବା ଲାଗି ବିଭିନ୍ନସ୍ଥାନରୁ ବିଭିନ୍ନ ସମୟରେ ଜବତ କରିଥିବା ଗଞ୍ଜେଇକୁ ଶନିବାର ଶେରଗଡ ସ୍ଥିତ ଅରଖପଦାରେ ଥିବା ଜୈବ ବର୍ଜ୍ୟବସ୍ତୁ ନଷ୍ଟ କାରଖାନାରେ ପୋଡ଼ି ନଷ୍ଟ କରାଯାଇଛି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୯୦୩ କେଜି ବା ୪୧ ପ୍ୟାକେଟ ଗଞ୍ଜେଇକୁ ପୋଡି ନଷ୍ଟ କରାଯାଇଥିବା ଗଜପତି ଏସ୍ପି ଜୟରାମ ଶତପଥୀ ପ୍ରକାଶ କରିଛନ୍ତି । ଗଞ୍ଜେଇ କାରବାରରେ ଲିପ୍ତ ବ୍ୟକ୍ତି ଏଥିରୁ ନିବୃତ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସ୍ପି ପରାମର୍ଶ ଦେଇଛନ୍ତି । ନଚେତ୍ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦେଇଛନ୍ତି । ଗଞ୍ଜେଇ ନଷ୍ଟ କାର୍ଯ୍ୟକ୍ରମ ଆସନ୍ତା ୨୦ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହି ସମୟ ମଧ୍ୟରେ ମୋଟ୍ ପ୍ରାୟ ୬ ହଜାର କେଜି ଗଞ୍ଜେଇ ନଷ୍ଟ କରାଯିବ ବୋଲି ଜଣାପଡ଼ିଛି । ଏହି ସମୟରେ ଏସ୍ପିଙ୍କ ସମେତ ଡିଏସପି ରାଜ କିଶୋର ଦାସ, ଡେପୁଟି କଲେକ୍ଟର ପ୍ରଭାସ ରଞ୍ଜନ ବେଉରା, ଅବକାରୀ ଏସ୍ପି ପ୍ରଭାତ ସେଠୀ, ରାଜ୍ୟ ପ୍ରଦୂଷଣ ବୋର୍ଡ ରାୟଗଡା ସେକ୍ସନ୍ ଅଫିସର ପ୍ରଭୁଦେବ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।