ହଟିଲା ଚୁକ୍ତି ନିଯୁକ୍ତି ପ୍ରଥା

ଭୁବନେଶ୍ୱର, ୧୫ା୧୦ (ବୁ୍ୟରୋ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ମୁଖ୍ୟମନ୍ତ୍ରୀ କାଲି ୭୭ ବର୍ଷରେ ପାଦ ଦେବେ । ତେବେ ଜନ୍ମ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ଯାହା ରାଜ୍ୟର ୫୭ ହଜାରୁ ଉର୍ଦ୍ଧ୍ୱ ପରିବାରେ ଖୁସିର ଲହର ଖେଳାଇଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି । ଚୁକ୍ତିଭିତ୍ତିିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମ·ରୀ ନିୟମିତ ହେବେ । ରାଜ୍ୟ ତହବିଲରୁ ଏନେଇ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।
ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ମୋଟ ୯ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ନିଷ୍ପତ୍ତି ହୋଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଘୋଷଣା କରିଥିଲେ । ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶାବାସୀଙ୍କ ଆଶୀର୍ବାଦରେ ସେ ୨୦୦୦ ମସିହାରେ ଓଡିଶା ମା’ର ସେବାର ସୁଯୋଗ ପାଇଥିଲେ । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ।
ସେତେବେଳେ ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା ।
ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ଏହି ସମୟରେ ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା ବାତ୍ୟା ମରୁଡି ଲାଗି ରହିଥିଲା, ଗରିବୀ ମଧ୍ୟ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ । ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ? ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟିଂ କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥିସହ ଆଜିଠୁ ରାଜ୍ୟରେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସରକାରୀ କର୍ମ·ରୀମାନେ ସମସ୍ତେ ଭଲ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ସେ ନିବେଦନ କରିଛନ୍ତି । ଦାୟିତ୍ୱ ପାଳନ କରିବାବେଳେ, ୫-ଟି ଉପକ୍ରମ, ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ । ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *