ଗୋଟିଏ ସିଲିଣ୍ଡରରୁ ୩ ଶିଶୁଙ୍କୁ ଅମ୍ଳଜାନ
ାା ପୁଣି ଚର୍ଚ୍ଚାରେ ଏମ୍କେସିଜି ମେଡିକାଲ୍ ।ା
ବ୍ରହ୍ମପୁର (ବୁ୍ୟରୋ): ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଅବସ୍ଥାପିତ ଏମ୍କେସିଜି ଭେଷଜ ମହାବିଦ୍ୟାଳୟ ଓ ବଡ ଡାକ୍ତରଖାନାରେ ଶନିବାର ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଗୋଟିଏ ଅମ୍ଳଜାନ ସିଲିଣ୍ଡରରୁ ୩ ଶିଶୁଙ୍କୁ ଅମ୍ଳଜାନ ସଂଯୋଗ କରାଯାଇ ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ସ୍ଥାନାନ୍ତର କରିବା ଦୃଶ୍ୟ ଉପସ୍ଥିତ ରୋଗୀ ଓ ସମ୍ପର୍କୀୟଙ୍କୁ ଚକ୍କିତ କରିଛି । ଜଣେ ଆଟେଣ୍ଟାଣ୍ଟ ଅମ୍ଳଜାନ ସିଲିଣ୍ଡରକୁ ରାସ୍ତାରେ ଟାଣି ଟାଣି ନେଉଥିବା ବେଳେ ୩ଜଣ ମହିଳା ନବଜାତ ଶିଶୁକୁ ଧରି ପଛେ ପଛେ ଯିବାର ଦୃଶ୍ୟ ଅତ୍ୟନ୍ତ ଅଶୋଭନୀୟ ଥିଲା ।
ତେବେ ଶରୀର ଦୁର୍ବଳ ଥିବାରୁ ଏମ୍କେସିଜିରେ ଶିଶୁରୋଗ ବିଭାଗ ତଥା ଏସ୍ଏନ୍ସିୟୁ (ନବଜାତ ସ୍ୱତନ୍ତ୍ର ଯତ୍ନ କେନ୍ଦ୍ର)ରେ ଚିକିତ୍ସିତ ୪ଜଣ ଶିଶୁଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ରହିଥିବା ଡାକ୍ତର ଆଶଙ୍କା ପ୍ରକାଶକରି ୪ ଶିଶୁଙ୍କୁ ସୁପର୍ ସ୍ପେଶିଆଲିଟି କୋଠାରେ ଥିବା ହୃଦରୋଗ ବିଭାଗକୁ ନେଇ ସେମାନଙ୍କ ଇକୋ କରିବାକୁ ପରାମର୍ଶ ଦେଇଥିଲେ । ୪ଜଣ ଶିଶୁଙ୍କ ମଧ୍ୟରେ ୩ଜଣ ଶିଶୁଙ୍କ ଶରୀରରେ ଅମ୍ଳଜାନସ୍ତର କମ୍ ଥିବାରୁ ଏସ୍ଏନ୍ସିୟୁରେ ପ୍ରଥମ ଦିନ ହିଁ ସେମାନଙ୍କ ଅମ୍ଳଜାନ ଯୋଗାଣ ହେଉଥିଲା । ସେହି କ୍ରମରେ ଶନିବାର ୩ ଶିଶୁଙ୍କୁ ହୃଦରୋଗ ବିଭାଗକୁ ନେଇ ଇକୋ କରାଇବାକୁ ଡାକ୍ତର ସଜବାଜ ହୋଇଥିଲେ । ଫଳରେ ଏମ୍ଏନ୍ସିୟୁରୁ ବାହାରିବା ବେଳେ ଗୋଟିଏ ଅମ୍ଳଜାନ ସିଲିଣ୍ଡରରୁ ୩ଜଣ ନବଜାତକଙ୍କୁ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା କରାଯାଇ ବାହାରକୁ ଅଣାଯାଇଥିଲା । ଶିଶୁଙ୍କ ପରିବାର ଲୋକେ ଶିଶୁଙ୍କୁ ଅଲଗା ଅଲଗା ନିଜ କୋଳରେ ଧରିଥିବା ବେଳେ ଅମ୍ଳଜାନ ସିଲିଣ୍ଡରରୁ ଲମ୍ବିଥିବା ପାଇପ୍ ଶିଶୁଙ୍କ ନାକକୁ ସଂଯୋଗ କରାଯାଇଥିଲା । ଏହି ଦୃଶ୍ୟ ଦେଖି ଏମ୍କେସିଜିରେ ଉପସ୍ଥିତ ଶହ ଶହ ରୋଗୀ ଓ ସମ୍ପର୍କୀୟ ଆଶ୍ଚର୍ଯ୍ୟ ହୋଇ ନିଜ ମୋବାଇଲରେ ଫଟୋ ଉତ୍ତୋଳନ କରିଥିଲେ । ଏପରିକି ହୃଦରୋଗ ବିଭାଗରେ ଥିବା ଡାକ୍ତରମାନେ ଏଭଳି ଦୃଶ୍ୟ ଦେଖି ଶିଶୁଙ୍କ ପରିବାର ଲୋକ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏସ୍ଏନ୍ସିୟୁ ବିଭାଗରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହା ନିଦେ୍ର୍ଦଶରେ ଓ କେଉଁଭଳି ପରିସ୍ଥିତିରେ ଏଭଳି କାର୍ଯ୍ୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।