ନାଟୋ ସୀମାରେ ପରମାଣୁ ଷ୍ଟ୍ରାଇକ୍ ଫୋର୍ସ

ଲଣ୍ଡନ, ୧୫ା୧୦: ପରମାଣୁ ଅସ୍ତ୍ର ପ୍ରୟୋଗ ସହ ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଇ ଆସୁଥିବା ରୁଷ୍ ରାଷ୍ଟ୍ରପତି ବ୍ଲାଦିମୁର ପୁତିନ୍ ନାଟୋ ସୀମାର ଅନତିଦୂରରେ ପରମାଣୁ ବୋମାବର୍ଷୀ ୧୧ଟି ଅତିଶକ୍ତିଶାଳୀ ଜେଟ୍ ମୁତୟନ କରିଛନ୍ତି । ଆମେରିକୀୟ ସାଟେଲାଇଟ୍ ଅପରେଟର ପ୍ଲାନେଟ୍ ଲାବ୍ସ୍ ନରୱେ ସୀମାଠାରୁ ୨୦ ମାଇଲ୍ଠାରୁ କମ୍ ଦୂରତାରେ ରୁଷୀୟ ଟିୟୁ-୧୬୦ ଓ ଟିୟୁ-୯୫ ସୁପରସୋନିକ୍ ଯୁଦ୍ଧ ବିମାନ ରଖାଯାଇଥିବା ସନ୍ଧାନ ନେଇଛି । ଅକ୍ଟୋବର ୭ ତାରିଖର ସାଟେଲାଇଟ୍ ଫଟୋରୁ ପରମାଣୁ ବୋମାବର୍ଷୀ ୭ଟି ଟିୟୁ-୧୬୦ ଓ ଚାରିଟି ଟିୟୁ- ୯୫ ଜେଟ୍ ରୁଷିଆର କଲ୍ସ୍କାଇ ଉପଦ୍ୱୀପ ସ୍ଥିତ ଓଲେନ୍ୟା ଏୟାରବେସ୍ରେ ଥିବା ସ୍ପଷ୍ଟ ହୋଇଛି । ଏହାର ଦୁଇ ଦିନ ପରେ ଉତ୍ତୋଳିତ ଆଉ ଏକ ଫଟୋରେ ଗୋଟିଏ ଟିୟୁ-୧୬୦ ଜେଟ୍ ରନ୍ୱେରେ ଟେକ୍ ଅଫ୍ ପାଇଁ ପ୍ରସ୍ତୁତ ଥିବା ଦେଖାଯାଇଛି ।
ଟିୟୁ- ୧୬୦ ଜେଟ୍ ଏପର୍ଯ୍ୟନ୍ତ ନିର୍ମିତ ସବୁ ଯୁଦ୍ଧ ବିମାନ ମଧ୍ୟରେ ସବୁଠାରୁ ବଡ଼ ଓ ଓଜନଦାର ।
ଏଗୁଡିକ ଏକାଦିକ୍ରମେ ୭୫ ହଜାର ମାଇଲ୍ ଉଡିବାକୁ ସକ୍ଷମ । ୧୨ଟି ସର୍ଟ-ରେଞ୍ଜ୍ ପରମାଣୁ କ୍ଷେପଣାସ୍ତ୍ର ବହନ କରିବାରେ ଏହି ବିମାନ ସକ୍ଷମ । ବିୟର୍ସ ନାମରେ ପରିଚିତ ଟିୟୁ-୯୫ ଜେଟ୍ ପୁତିନଙ୍କ ବାୟୁସେନାର ଅନ୍ୟତମ ବୃହତ୍ତମ ଯୁଦ୍ଧ ବିମାନ । ଏହା ସାହାଯ୍ୟରେ କ୍ରୁଜ୍ କ୍ଷେପଣାସ୍ତ୍ର ଓ ବିଶାଳ ପରମାଣୁ ବୋମା ନିକ୍ଷେପ କରାଯାଇପାରେ ।
ଚଳିତମାସ ପ୍ରାରମ୍ଭରେ ଇର୍ସାଇଲ୍ର ଗୁଇନ୍ଦା କମ୍ପାନୀ ଇମେଜ୍ସାଟ୍ ଇଣ୍ଟରନାସନାଲ୍ ଫିନ୍ଲାଣ୍ଡ୍ ସୀମା ନିକଟ ଏକ ଏୟାରବେସ୍ରେ ରୁଷୀୟ ପରମାଣୁ ବୋମାବର୍ଷୀ ବିମାନ ଥିବା ଠାବ କରିଥିଲା । ଜେରୁଜଲମ୍ ପୋଷ୍ଟ ସମ୍ବାଦପତ୍ରରୁ ମିଳିଥିବା ସାଟେଲାଇଟ୍ ଫଟୋ ଅନୁଯାୟୀ ଏହି ବାୟୁସେନା ଘାଟିରେ ଅଗଷ୍ଟ ୨୧ ତାରିଖ ଦିନ ଚାରିଟି ଟିୟୁ-୧୬୦ ଓ ୨୫ ତାରିଖ ଦିନ ତିନିଟି ଟିୟୁ-୯୫ ବୋମାବର୍ଷକ ଥିଲା ।
ଏହି ସବୁ ପ୍ରମାଣରୁ ଆଶଙ୍କା ଜାତ ହୋଇଛି ଯେ, ରୁଷିଆର ଏକଛତ୍ରବାଦୀ ଶାସକ ପୁତିନ ଧମକ ମୁତାବକ ପରମାଣୁ ଆକ୍ରମଣ ପାଇଁ ପୂରାପୂରୀ ପ୍ରସ୍ତୁତ ହୋଇଗଲେଣି । ବିଭିନ୍ନ ପ୍ରତିରକ୍ଷା ସୂତ୍ର ଅନୁଯାୟୀ ପୁତିନ ସିଧାସଳଖ ୟୁକ୍ରେନ୍ ଉପରେ ଷ୍ଟ୍ରାଇକ୍ ନ କରି ୟୁୂକ୍ରେନ୍ ସୀମାବର୍ତ୍ତୀ କୌଣସି ସ୍ଥାନରେ ଗୋଟିଏ ପରମାଣୁ ବୋମା ନିକ୍ଷେପ କରି ପଶ୍ଚିମ ଦେଶମାନଙ୍କୁ ବିଶ୍ୱଯୁଦ୍ଧର ବାର୍ତ୍ତା ଦେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *