ଧାମନଗର ଆସନ: ସମସ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଧାମନଗର (ଆପ୍ର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ୧୪ ତାରିଖରେ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ଏଥିପାଇଁ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ବିଜେପିର ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ବିଜେଡ଼ିର ଅବନ୍ତୀ ଦାସ, ଓ ସ୍ୱାଧୀନ ପ୍ରାର୍ଥୀ ପୁର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନାମାଙ୍କନ କରିଛନ୍ତି । ନାମାଙ୍କନ ସମୟରେ ତିନି ପ୍ରମୁଖ ରାଜନୈତିକ ଦଳର ମାଳ ମାଳ ରାଜ୍ୟସ୍ତରୀୟ ନେତାଙ୍କୁ ଦେଖିବାକୁ ମିଳିଥିଲା । ଏସବୁ ନେତୃବୃୃନ୍ଦ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଧାମନଗର, ଭଦ୍ରକର ବିଭିନ୍ନ ହୋଟେଲ, କଲ୍ୟାଣମଣ୍ଡପ ଇତ୍ୟାଦିରେ ସଭାସମିତି କରି ରଣକୌଶଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେଡି ପ୍ରାର୍ଥି ଅବନ୍ତୀ ଦାସ ଶନିବାର ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଧରି ପ୍ରଚାର ଆରମ୍ଭ କରିଥିବା ଦେଖାଯାଇଛି ।
ବିଜେଡି ଯେ କୌଣସି ଉପାୟରେ ଉକ୍ତ ଆସନକୁ ଦଖଲ କରି ୨୦୧୯ ପରାଜୟର କ୍ଷତି ଭରଣା ଲକ୍ଷ୍ୟରେ ରହିଛି । ଗତ ଥର ଗୋଷ୍ଠୀ କନ୍ଦଳ କାରଣରୁ ଏହି ଆସନ ଅଳ୍ପ ଭୋଟ ବ୍ୟବଧାନରେ ବିଜେପି ହାତରୁ ଖସି ଯାଇଥିଲା । ଏଥର କିନ୍ତୁ ବିଜୟ ହାସଲ ଲକ୍ଷ୍ୟରେ ଦଳୀୟ ନେତୃବୃନ୍ଦ ପ୍ରସ୍ତୁତି ଚଳାଇଛନ୍ତିି । ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ମଧ୍ୟ ବିଜୟ ସମ୍ମାନର ବିଷୟ ହୋଇଛି । ବିଜୟ ହାସଲ କରି ବାପାଙ୍କ ଅଧୁରା ଲକ୍ଷ୍ୟ ପୂରଣ ପାଇଁ ସେ କାମ କରିବେ ବୋଲି କହିଛନ୍ତି । କଂଗ୍ରେସର ବାବା ହରେକୃଷ୍ଣ ସେଠୀ ମଧ୍ୟ ଜିତିବା ଲକ୍ଷ୍ୟ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ।
ଅପରପକ୍ଷରେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୧୭ତାରିଖରେ ଚିହ୍ନ ପାଇବା ପରେ ପ୍ର·ର ଆରମ୍ଭ କରିବେ ବୋଲି କହିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କ ପ୍ରଚାରରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ସଞ୍ଜୀବ ମଲିକ, ପ୍ରଣବ ରାୟ ପ୍ରମୁଖ ସାମିଲ ହୋଇଥିଲେ । ଫଳାଫଳକୁ ନେଇ ରାଜନୈତିକ ସ୍ତରରେ ଅଙ୍କକଷା ଆରମ୍ଭ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *