କମୁଛି ଗହମ ଷ୍ଟକ୍
ନୂଆଦିଲ୍ଲୀ, ୧୪ ।୧୦: ଗୋଟିଏ ପଟେ ଅସମୟରେ ବର୍ଷା ଯୋଗୁ ଚାଷୀଙ୍କ ନିଦ ହଜିଯାଇଥିବାବେଳେ ଅନ୍ୟପଟେ ସରକାରୀ ଏଜେନ୍ସିମାନଙ୍କ ପାଖରେ ଥିବା ଗହମ-ଚାଉଳ ଷ୍ଟକ୍ ଦ୍ରୁତବେଗରେ କମିବାରେ ଲାଗିଛି । ଅକ୍ଟୋବର ୧ ସୁଦ୍ଧା ଷ୍ଟକ୍ ୫ ବର୍ଷର ନିମ୍ନସ୍ତରକୁ କମିଯାଇଛି । ଷ୍ଟକ୍ ତ ବଫର୍ ଷ୍ଟକ୍ର ନିମ୍ନସ୍ତରରୁ ସାମାନ୍ୟ ଅଧିକ, ଯାହାକି ୬ ବର୍ଷର ନିମ୍ନସ୍ତରରେ । ଏହି ପରିପ୍ରେକ୍ଷୀରେ ଖୁଚୁରା ମହଙ୍ଗା ହାର ୭.୪୧% ହେବା ଚିନ୍ତାର କାରଣ ହୋଇଛି ।ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ରୁ ପ୍ରାପ୍ତ ସୂଚନା ଆଧାରରେ ଏକ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି ଯେ କେବଳ ଏଫ୍ସିଆଇ ନୁହେଁ, ଅନ୍ୟାନ୍ୟ ସରକାରୀ ଏଜେନ୍ସି ପାଖରେ ଗହମ ଓ ଚାଉଳ ଷ୍ଟକ୍ କମିଚାଲିଛି । ଅକ୍ଟୋବର ୧ ବେଳକୁ ସରକାରୀ ଗୋଦାମଗୁଡ଼ିକରେ ସର୍ବମୋଟ ୫୧୧.୩୬ ଲକ୍ଷ ଟନ୍ ଚାଉଳ ଓ ଗହମ ଥିଲା । ୨୦୧୭ ଅକ୍ଟୋବରରେ ୪୩୩.୩୬ ଲକ୍ଷ ଟନ୍କୁ ଷ୍ଟକ୍ କମିଯାଇଥିଲା । ତେବେ ବର୍ଷକ ପୂର୍ବେ ୮୧୬ ଲକ୍ଷ ଟନ୍ ଗହମ-ଚାଉଳ ମହଜୁଦ ଥିଲା ।