ଶେଷରେ ଶାମୀଙ୍କ ଏଣ୍ଟ୍ରି
ଟି-୨୦ ବିଶ୍ୱକପ୍-୨୦୨୨
ସିରାଜ ଓ ଠାକୁର ଷ୍ଟାଣ୍ଡ୍ବାଇ
ପର୍ଥ, ୧୪ା୧୦ (ଏଜେନ୍ସି): ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏଁ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଲାଗି ଆହତ ପେସର୍ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଭାବେ ମହମ୍ମଦ ଶାମୀଙ୍କୁ ଭାରତୀୟ ଟିମ୍ରେ ସାମିଲ୍ କରାଯାଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଶୁକ୍ରବାର ଏହି ଘୋଷଣା କରିଛି । ଏହାଛଡ଼ା ପେସର୍ ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ଷ୍ଟାଣ୍ଡ୍ବାଇ ଖେଳାଳି ତାଲିକାରେ ରଖାଯାଇଛି । ବୁମ୍ରା ଆଘାତ ଜନିତ କାରଣରୁ ବିଶ୍ୱକପ୍ ଟିମ୍ରୁ ବାଦ୍ ପଡ଼ିଥିଲେ । ଷ୍ଟାଣ୍ଡ୍ବାଇ ତାଲିକାରେ ଥିବା ଦୀପକ ଚାହର ବି ଆହତ ହୋଇଥିଲେ । ଚାହର ଆହତ ହେବା ଓ ଶାମୀ ମୁଖ୍ୟ ଟିମ୍ରେ ସାମିଲ୍ ହେବା ପରେ ସିରାଜ ଓ ଠାକୁରଙ୍କ ପାଇଁ ସ୍ଥାନ ସୃଷ୍ଟି ହୋଇଥିଲା । ଏହି ଦୁଇ ପେସର୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଉତ୍ତମ ପ୍ରଦର୍ଶନ କରିଥିଲେ । ସିରାଜ ଦିନିକିଆ ଶୃଙ୍ଖଳାର ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ । ଶାମୀ ଦୀର୍ଘ ଦିନ ହେଲା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ଏସିଆ କପ୍ରେ ତାଙ୍କୁ ଅଣଦେଖା କରି ଟିମ୍ରେ ନିଆଯାଇ ନ ଥିଲା । ଟି-୨୦ ବିଶ୍ୱକପ୍ ଲାଗି ତାଙ୍କୁ ମୁଖ୍ୟ ଟିମ୍ରେ ସାମିଲ୍ କରା ନ ଯାଇ ଷ୍ଟାଣ୍ଡ୍ବାଇ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କାରଣରୁ ଚୟନକାରୀଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ଏହାପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳା ପାଇଁ ତାଙ୍କୁ ଟିମ୍ରେ ନିଆଯାଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ । ସେ ସୁସ୍ଥ ହୋଇ ଖେଳିବା ପାଇଁ ଫିଟ୍ ହେବା ବେଳକୁ ଟିମ୍ ପାଖରେ ଆଉ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ନ ଥିଲା । ତେଣୁ ସେ ବିନା ମ୍ୟାଚ୍ ପ୍ରାକ୍ଟିସ୍ରେ ଅଷ୍ଟ୍ରେଲିଆ ଯାଇଛନ୍ତି । ସେଠାରେ ହେବାକୁ ଥିବା ଦୁଇଟି ୱାର୍ମଅପ୍ ମ୍ୟାଚ୍ ଜରିଆରେହିଁ ସେ ଅଭ୍ୟାସ କରିପାରିବେ । ଶାମୀ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି । ସେ ବ୍ରିସ୍ବେନ୍ ଠାରେ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ସହ ଯୋଗ ଦେବେ । ଶାମୀ ଗତବର୍ଷ ଟି-୨୦ ବିଶ୍ୱକପ୍ର ଅଂଶବିଶେଷ ଥିଲେ । ଏହା ପରଠାରୁ ସେ ଆଉ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନ ଥିଲେ । ତେବେ ସେ ଆଇପିଏଲ୍ରେ ଚମକ୍ପ୍ରଦ ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ତାଙ୍କ ଟିମ୍ ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍ ହୋଇଥିଲା । ବୁମ୍ରାଙ୍କ ସ୍ଥାନରେ ଜଣେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ଥିଲା । ଶାମୀ ସେହି ସ୍ଥାନ ପୂରଣ କରିବା ପାଇଁ ଉପଯୁକ୍ତ ଖେଳାଳି । ସେ ଏ ଯାବତ୍ ୧୭ ଟି-୨୦ ଆନ୍ତର୍ଜାତିକ ଖେଳି ୧୮ ୱିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆର ବାଉନ୍ସିଂ ପିଚ୍ ଶାମୀଙ୍କୁ ସୁହାଇବ ବୋଲି ଆଶା କରାଯାଉଛି ।