ଆସୁଛି ବଡ଼ ବର୍ଷା

ଆସନ୍ତା ସପ୍ତାହରେ ଲଘୁଚାପ
ଭୁବନେଶ୍ୱର, ୧୪ା୧୦ (ବୁ୍ୟରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବାବେଳେ ଆସନ୍ତା ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି । ଏହି ଲଘୁଚାପର ପ୍ରଭାବ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପରେ ଅଧିକ ପଡ଼ିବ ଓ ଓଡ଼ିଶା ଉପରେ ସେତେଟା ପ୍ରଭାବ ରହିବ ନାହିଁ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ଏହି ସ୍ଥିତିରେ ଆସନ୍ତା ୧୮ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ ରୂପ ନେବ । ଯାହାଫଳରେ ଆସନ୍ତା ୨୨ରୁ ୨୪ ତାରିଖ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୂତାବକ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ସୃଷ୍ଟ ଲଘୁଚାପଟି ଆଗକୁ ବଢ଼ିବ । ସୃଷ୍ଟ ଘୁର୍ଣ୍ଣିବଳୟ ଅବପାତର ରୂପ ନେବାର ଆଶଙ୍କା ଥିବାରୁ ଏହା ଏକ ଲଘୁ ବାତ୍ୟାର ରୂପ ନେଇପାରେ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି । ସେପଟେ ଶୁକ୍ରବାର ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଗୁଜୁରାଟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଅପସାରଣ ହୋଇଛି । ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ମୌସୁମୀ ଅପସାରଣ ଆରମ୍ଭ ହୋଇଛି । ଆଗାମୀ ସପ୍ତାହକ ମଧ୍ୟରେ ଓଡ଼ିଶାରୁ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବ ବୋଲି ଆକଳନ କରାଯାଉଛି । ମୁଖ୍ୟକଥା ହେଲା ଯଦି ଲଘୁଚାପଟି ମୌସୁମୀ ଅପସାରଣ ପରେ ସୃଷ୍ଟି ହୁଏ ତେବେ ଏହା ଅଧିକ ଘନିଭୂତ ହେବ । ମୌସୁମୀ ଅପସାରଣ ପ୍ରକ୍ରିୟା ଲଘୁଚାପକୁ ଅଧିକ କ୍ରିୟଶୀଳ କରିବା ସହ ବାତ୍ୟାର ରୂପ ମଧ୍ୟ ଦେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆଲୋଚନା କରୁଛନ୍ତି । ଆଗାମୀ ତିନିଦିନ ମଧ୍ୟରେ ପୂର୍ବ-ଭାରତର ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି । ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଅମଳ ଉପଯୋଗୀ ପନିପରିବା ତଥା ଫସଲ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ସତର୍କ ଜାରି କରାଯାଇଛି ।
ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଏବେ ଦକ୍ଷିଣ ଭିଏତନାମ ଓ ଦକ୍ଷିଣପୂର୍ବ ଥାଇଲାଣ୍ଡରେ ଏକ ଅବପାତ ସୃଷ୍ଟି ହୋଇଛି । ଆସନ୍ତା ୨ ଦିନରେ ଏହା ଥାଇଲାଣ୍ଡ ଓ ମିଅାଁମାର ଆଡ଼କୁ ଗତି କରି ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହି ଘୂର୍ଣ୍ଣିବଳୟ ୧୭ ତାରିଖ ବେଳକୁ ମଧ୍ୟ ବଙ୍ଗୋପସାଗରରେ ପ୍ରବେଶ କରିବ ଓ ୧୮ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨-୩ ଦିନ ଏହା ସମୁଦ୍ର ମଧ୍ୟରେ ହିଁ ରହିବ ଓ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରି ୨୨ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପୁଡୁଚେରୀରେ ୧୮ ତାରିଖ ପରଠାରୁ ବର୍ଷା ପରିମାଣ ବଢିବ । ୨୧ରୁ ୨୩ ଅକ୍ଟୋବର ମଧ୍ୟରେ ଏସବୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସ୍କାଏମେଟ୍ କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *