୧୮ରେ ଓଡ଼ିଶା ଆସିବେ ୪ ରାଷ୍ଟ୍ରଦୂତ
ଶିଳ୍ପାୟନ ନେଇ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪ା୧୦ (ବୁ୍ୟରୋ): ଓଡ଼ିଶାକୁ ଦେଶର ଶିଳ୍ପାନୟର କେନ୍ଦ୍ରସ୍ଥଳ ରୂପେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦ୍ୟମ ଜାରି ରଖିଛନ୍ତି । ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୁଡ଼ାନ୍ତ ହୋଇଥିବାବେଳେ ୧୬ରେ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶସନ ସଚିବ, ଶିଳ୍ପ ସଚିବଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ହାଇଦ୍ରାବାଦ୍ ଗସ୍ତ କରିବେ । ୧୬ ତାରିଖ ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ୍ରେ ପହଞ୍ଚିବେ । ୧୭ରେ ପୁଞ୍ଜିପତିଙ୍କ ସହ ଦିନ ତମାମ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ସନ୍ଧ୍ୟାରେ ରୋଡ୍ ସୋ କରିବା ସହ ଓଡ଼ିଶା ଆସି ନିବେଶ କରିବାକୁ ଆମନ୍ତ୍ରଣ କରିବେ । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରେ ମେକ୍ ଇନ୍ ସଡ଼ିଶା କନ୍କ୍ଲେଭ୍ ହେବାର ଅଛି । ଏଥିରେ ଯୋଗ ଦେଇ ଓଡ଼ିଶାରେ ନିବେଶ ପାଇଁ ଭିତ୍ତିଭୂମୀ ପରିଖିବେ ବୋଲି ଜଣାପଡ଼ିଛି । ୧୮ରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ ଏବଂ ସନ୍ଧ୍ୟାରେ ସୁଇଜଲାଣ୍ଡ, ଫ୍ରାନ୍ସ, ୟୁଏଇ, ଗୁଆଟେମାଲାର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି । ୪ ଦେଶର ରାଷ୍ଟ୍ରଦୂତ ଆସନ୍ତା ୧୮ରେ ଓଡ଼ିଶା ଆସୁଛନ୍ତି । ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ଏକ ବଡ଼ ବାଟ ଫିଟିବା ନେଇ ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିମନ୍ତ୍ରଣ ପରେ ରାଷ୍ଟ୍ରଦୂତମାନେ ଓଡ଼ିଶା ଆସୁଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରଦୂତଙ୍କୁ ବୁଝାଇଥିଲେ । ମେକ ଇନ ଓଡ଼ିଶା ସଂସ୍କରଣ-୩ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ପର୍ଯ୍ୟାୟକ୍ରମେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।