ହିମାଚଳରେ ନିର୍ବାଚନ ରଣଭେରୀ
ନୂଆଦିଲ୍ଲୀ, ୧୪ ।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୨ ତାରିଖ ଦିନ ହେବ । କିନ୍ତୁ ୨୬ ଦିନ ପରେ, ଡିସେମ୍ବର ୮ ତାରିଖ ଦିନ ଫଳ ଘୋଷଣା କରାଯିବ । ଏହି ୨୬ ଦିନ ଭିତରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ଫଳ ଗୋଟିଏ ଦିନରେ ଘୋଷିତ ହୋଇପାରେ । ୨୦୧୭ରେ ମଧ୍ୟ ହିମାଚଳ ଓ ଗୁଜରାଟ ନିର୍ବାଚନ ଭିନ୍ନ ଭିନ୍ନ ଦିନରେ ହୋଇ ଗୋଟିଏ ଦିନରେ ଫଳ ଘୋଷଣା କରାଯାଇଥିଲା । ଗତଥର ହିମାଚଳ ପ୍ରଦେଶରେ ଭୋଟିଂ ଓ କାଉଣ୍ଟିଂ ମଧ୍ୟରେ ଥିଲା ୭୦ ଦିନ ଅନ୍ତର, ୨୦୧୨ରେ ତାହା ଥିଲା ୮୧ ଦିନ । ତେବେ ନିର୍ବାଚନ ଆୟୋଗଙ୍କ ଏହି ଫଇସଲାକୁ କଂଗ୍ରେସ ସମାଲୋଚନା କରିଛି । ଦଳର ବରିଷ୍ଠ ନେତା ଜୟରାମ ରମେଶ ସୋସଲ ମିଡିଆରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ବଡ଼ ପ୍ରତିଶ୍ରୁତି ଓ ନୂଆ ଯୋଜନାର ଲୋକାର୍ପଣ ପାଇଁ ଗୁଜରାଟରେ ନିର୍ବାଚନକୁ ଅଧିକ ସମୟ ଦିଆଗଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଶୁକ୍ରବାର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରି କହିଛନ୍ତି, ଏଥର ହିମାଚଳରେ ପ୍ରାୟ ୫୫ ଲକ୍ଷ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ୨୦୨୩ ଜାନୁଆରୀ ୮ ତାରିଖ ଦିନ ୬୮ ଆସନବିଶିଷ୍ଟ ହିମାଳଚ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ଏଥର ନିର୍ବାଚନର ଏକ ବିଶେଷତ୍ୱ ହେଉଛି ଡୋର୍ ଷ୍ଟେପ୍ ଭୋଟିଂ । ଏହି ବ୍ୟବସ୍ଥା ଅନୁଯାୟୀ ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧ, ଦିବ୍ୟାଙ୍ଗ ଓ କୋଭିଡ୍ ପଜିଟିଭ୍ ମତଦାତା ଘରେ ଥାଇ ଫର୍ମ-୧୨ଡି ଜରିଆରେ ଭୋଟ୍ ଦେଇପାରିବେ । ନାମାଙ୍କନ ଦିନ ପର୍ଯ୍ୟନ୍ତ ନୂଆ ମତଦାତା ଭୋଟର୍ ଲିଷ୍ଟରେ ତାଲିକାଭୁକ୍ତ ହୋଇପାରିବେ ।