ବାରାଣସୀ କୋର୍ଟରେ ଆବେଦନ ଖାରଜ, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ହିନ୍ଦୁ ପକ୍ଷ

ଜ୍ଞାନବାପୀ: ଶିବଲିଙ୍ଗ ବନାମ ଜଳ ଫୁଆରା ବିବାଦ
ଲକ୍ଷ୍ନୌ(ଏଜେନ୍ସି): ଜ୍ଞାନବାପୀ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗ’ର କାର୍ବନ୍ ଡେଟିଂ କରାଯିବ ନାହିଁ । ଜ୍ଞାନବାପୀ ମସଜିଦ ବିବାଦକୁ ଦୃଷ୍ଟିରେ ରଖି ବିବାଦୀୟ ଅଞ୍ଚଳକୁ ସିଲ୍ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଥିବା ବେଳେ କୌଣସି ସାମଗ୍ରୀର କାର୍ବନ୍ ଡେଟିଂ ବା ସାଇଣ୍ଟିଫିକ୍ ଯା୍ଚ ପାଇଁ ଅନୁମତି ଦେବାର ଅର୍ଥ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶର ଅବମାନନା କରିବା । ଏହାକୁ ଦୃଷ୍ଟିରେ ରଖି ଯାଞ୍ଚ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ବାରାଣସୀ କୋର୍ଟ କହିଛନ୍ତି । ଜ୍ଞାନବାପୀ ପ୍ରସଙ୍ଗରେ ବାରାଣସୀ କୋର୍ଟଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା ରହିଥିବା ବେଳେ ଶୁକ୍ରବାର କୋର୍ଟ ଏପ୍ରକାର ରାୟ ଶୁଣାଇଛନ୍ତି । ଏଥିସହ ହିନ୍ଦୁ ପକ୍ଷ ଆଡୁ କରାଯାଇଥିବା ବୈଜ୍ଞାନିକ ଯାଞ୍ଚ୍ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ବାରାଣସୀ ଜିଲ୍ଲା ଜଜ୍ ଡ. ଅଜୟ କୃଷ୍ଣ ବିଶ୍ୱେଶ ଏହି ମାମଲାର ଶୁଣାଣି କରିଥିବା ବେଳେ ଏହି ରାୟ ଶୁଣାଇବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ ହେବ ବୋଲି ତାରିଖ ନିର୍ଘଣ୍ଟ କରିଛନ୍ତି । ପ୍ରକାଶ, ଜ୍ଞାନବାପୀ ପରିସର ଖନନ ସମୟରେ ଏଠାରୁ ମିଳିଥିବା ଏକ ବୃହତ୍ ପଥର ଖଣ୍ଡକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ଭାବେ ଅଭିହିତ କରୁଥିବା ବେଳେ ଇସଲାମିକ୍ ଗୋଷ୍ଠୀ ଏହାକୁ ଫୁଆରା (ଜଳ ଉତ୍ସ) ଭାବେ ଦର୍ଶାଯାଇଥିଲା । ଏହି ମାମଲା ପ୍ରଥମେ ସୁପ୍ରିମକୋର୍ଟକୁ ଯାଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ବାରାଣସୀ କୋର୍ଟରେ ଶୁଣାଣି ପାଇଁ ପଠାଇଦେଇଥିଲେ । ଏହି ସମୟରେ ୪ ହିନ୍ଦୁ ମହିଳା, ଖନନ କାଳରେ ମିଳିଥିବା ପଥର ଖଣ୍ଡରକୁ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ) ଦ୍ୱାରା କାର୍ବନ୍ ଡେଟିଂ କରାଇବାକୁ ଆବେଦନ କରିଥିଲେ । ଏହାଦ୍ୱାରା ଏହା ବାସ୍ତବରେ ଶିବଲିଙ୍ଗ ନା ଫୁଆରା ତାହା ସ୍ପଷ୍ଟ ହେବା ସହ ଏହାର ଆୟୁୂକାଳ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ ବୋଲି ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ।
ବାରାଣସୀ କୋର୍ଟରୁ ଏପ୍ରକାର ରାୟ ଆସିବା ପରେ ହିନ୍ଦୁ ପକ୍ଷ ବେଶ୍ ହତୋତ୍ସାହ ହୋଇପଡିଛନ୍ତି । ବାରାଣସୀ କୋର୍ଟ ରାୟ ବିରୋଧରେ ଏହି ମାମଲାକୁ ସୁପ୍ରିମକୋର୍ଟକୁ ନିଆଯିବ ବୋଲି ହିନ୍ଦୁ ପକ୍ଷ କହିଛି । ସୁପ୍ରିମକୋର୍ଟ ଏହି ମାମଲାରେ କଥିତ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସୁରକ୍ଷିତ ଏବଂ ସଂରକ୍ଷିତ ରଖିବାକୁ ପ୍ରଥମରୁ ରାଜ୍ୟ ପ୍ରଶାସନକୁ ନିଦେ୍ର୍ଦଶ ଦେଇସାରିଛନ୍ତି । ଏହିକ୍ରମେ ସୁପ୍ରିମକୋର୍ଟଙ୍କ ପୁନଃ ଦ୍ୱାରସ୍ଥ ହେବା ନେଇ ହିନ୍ଦୁ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଶିବମ୍ ଗୌଡ ଏବଂ ସୁଭାଷ ଚନ୍ଦନ ଚତୁର୍ବେଦୀ କହିଛନ୍ତି । ଅନ୍ୟପକ୍ଷେ ମୁସଲିମ୍ ପକ୍ଷ ବାରାଣସୀ କୋର୍ଟଙ୍କ ରାୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *