ନାଟୋ-ରୁଷ୍ ପରମାଣୁ ମହାଭ୍ୟାସ
ୱାଶିଂଟନ୍/ମସ୍କୋ, ୧୪ ।୧୦: ୟୁକ୍ରେନ୍ ଯୁଦ୍ଧ ଜାରି ରହିବା ଭିତରେ ରୁଷ୍ ଓ ନାଟୋ ମଧ୍ୟରେ ଉତ୍ତେଜନା ଖୁବ୍ ବଢ଼ିଛି । ରୁଷ୍ ରାଷ୍ଟ୍ରପତି ପୁତିନ୍ ଏକାଧିକ ବାର ପରମାଣୁ ଆକ୍ରମଣ ସଙ୍କେତ ଦେବା ପରେ ନାଟୋ ମେଣ୍ଟର ୧୪ ଦେଶ ଏବଂ ରୁଷ୍ ଉଭୟ ପକ୍ଷ ପରମାଣୁ ଯୁଦ୍ଧ ଲଢ଼ିବା ପାଇଁ ପୃଥକ୍ ଭାବେ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି । ନାଟୋ ମେଣ୍ଟର ପରମାଣୁ ମହାଭ୍ୟାସ ବହୁତ ବ୍ୟାପକ ହେବ । ଏହାର ନାମ ଦିଆଯାଇଛି ‘ଷ୍ଟିଡ୍ଫାଷ୍ଟ୍ ନୁନ୍’ । ସେଥିରେ ବି-୫୨ ନୁ୍ୟକ୍ଲିୟର୍ ବମ୍ବର୍ ମଧ୍ୟ ଭାଗ ନେବ ବୋଲି ହ୍ୱାଇଟ୍ ହାଉସ୍ ପ୍ରବକ୍ତା ଜନ୍ କିର୍ବୀ ସୂଚନା ଦେଇଛନ୍ତି । ଆମେରିକାର ଏହି ବିମାନ ପୃଥିବୀର ଯେକୌଣସି ସ୍ଥାନରେ ପରମାଣୁ ବୋମା ନିକ୍ଷେପ କରିବାରେ ସକ୍ଷମ । ନାଟୋ ମହାସଚିବ ଜନ୍ ଷ୍ଟୋଲ୍ଟେନ୍ବର୍ଗ କହିଛନ୍ତି, ଏହି ଯୁଦ୍ଧାଭ୍ୟାସ ଯୋଜନା ବହୁପୂର୍ବରୁ ପ୍ରସ୍ତୁତ ହୋଇଥିଲା । ଏହାକୁ ରଦ୍ଦ କଲେ ରୁଷ୍ର ଆକ୍ରମକତା ବିରୋଧରେ ନାଟୋର ପ୍ରତିବଦ୍ଧତା ନେଇ ଭୁଲ୍ ବାର୍ତ୍ତା ଯିବ । ନାଟୋର ଜବାବରେ ରୁଷ୍ ଆରମ୍ଭ କରିବାକୁ ଯାଉଛି ‘ଗ୍ରୋମ୍’ ନାମକ ପରମାଣୁ ଯୁଦ୍ଧାଭ୍ୟାସ । ଗତ ଫେବ୍ରୁଆରୀ ପରେ ଏହା ହେବ ରୁଷ୍ର ଦ୍ୱିତୀୟ ଯୁଦ୍ଧାଭ୍ୟାସ । ଚଳିତ ମାସରେ ‘ଗ୍ରୋମ୍’ ଆରମ୍ଭ ହୋଇପାରେ ।