ଭାରତର ସ୍ଥିତି ପାକ୍ଠୁ ବି ଖରାପ

ନୂଆଦିଲ୍ଲୀ, ୧୫ା୧୦: ୨୦୨୨ ମସିହା ପାଇଁ ବିଶ୍ୱ କ୍ଷୁଧା ସୂଚକାଙ୍କ (ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ – ଜିଏଚ୍ଆଇ) ଜାରି ହୋଇଛି । ଏଥିରେ ଭାରତ ଗତବର୍ଷଠାରୁ ମଧ୍ୟ ୬ ପାହାଚ ତଳକୁ ଖସିଛି । ଏବର୍ଷ ଭାରତର ର୍ୟାଙ୍କିଙ୍ଗ୍ ହୋଇଛି ୧୦୭ । ଦକ୍ଷିଣ ଏସିଆରେ ଭାରତର ର୍ୟାଙ୍କିଙ୍ଗ୍ କେବଳ ଆଫଗାନିସ୍ତାନ ଠାରୁ ଭଲ ଅଛି । ପଡୋଶୀ ଦେଶମାନଙ୍କ ସ୍ଥିତି ଭାରତଠାରୁ ଭଲ ଥିବା ସୂଚକାଙ୍କରେ ଦର୍ଶାଯାଇଛି । ସୂଚକାଙ୍କରେ ପାକିସ୍ତାନର ର୍ୟାଙ୍କିଙ୍ଗ୍ ୯୯, ଶ୍ରୀଲଙ୍କାର ୬୪, ନେପାଳର ୮୧ ଏହି ତାଲିକାରେ ବାଂଲାଦେଶ ମଧ୍ୟ ଭାରତଠାରୁ ଆଗରେ ଅଛି । ବାଂଲାଦେଶର ରାଙ୍କିଙ୍ଗ୍ ୮୪ । ଆଫଗାନିସ୍ତାନ ଭାରତଠାରୁ ଦୁଇଅଙ୍କ ପଛରେ ଥାଇ ୧୦୯ତମ ର୍ୟାଙ୍କରେ ଅଛି ।
୧୨୧ ଦେଶର କ୍ଷୁଧା ସୂଚକାଙ୍କରେ ଭାରତର ର୍ୟାଙ୍କିଙ୍ଗ୍ କ୍ରମାଗତ ୨ ବର୍ଷ ହେଲା କମୁଛି । ଗତବର୍ଷ ଭାରତ ସୂଚକାଙ୍କର ୧୦୧ତମ ସ୍ଥାନରେ ଥିଲା । ଏ ବର୍ଷର ରାଙ୍କ ଅନୁଯାୟୀ ଦୁଇ ବର୍ଷ ଭିତରେ ଭାରତର ସ୍କୋର ୧୩ ପଏଣ୍ଟ୍ କମିଛି । ୨୦୧୯ ସୂଚକାଙ୍କ ତାଲିକାରେ ଭାରତ ୯୪ତମ ସ୍ଥାନରେ ଥିଲା ।
ଏହି ଇଣ୍ଡେକ୍ସ ପାଇଁ ଗଣନା ୧୦୦ ଅଙ୍କ ଆଧାରରେ କରାଯାଇଥାଏ ଏବଂ ର୍ୟାଙ୍କରୁ କ୍ଷୁଧା ସ୍ଥିତିର ଗମ୍ଭୀରତା ଜଣାପଡେ । ୨୦୨୨ରେ ଭାରତର ସ୍କୋର ୨୯.୧ ଯାହା ଗୁରୁତର ଶ୍ରେଣୀ ଅନ୍ତର୍ଭୁକ୍ତ । ଜିଏଚ୍ଆଇ ଜରିଆରେ ପ୍ରତିବର୍ଷ ବିଶ୍ୱ ସ୍ତରରେ ତଥା ଜାତୀୟ ଓ ଆଞ୍ଚଳିକ ସ୍ତରରେ କ୍ଷୁଧାର ସ୍ଥିତି ଆକଳନ ତଥା ତାହାକୁ ଟ୍ରାକ୍ କରାଯାଇଥାଏ । ଜିଏଚ୍ଆଇ ଗଣନା ଚାରିଟି ସଙ୍କେତକ ଯଥା କୁପୋଷଣ, ଶିଶୁମାନଙ୍କ ମଧ୍ୟରେ ଭୟଙ୍କର କୁପୋଷଣ (୫ରୁ କମ୍ ବର୍ଷ ବୟସର ଶିଶୁମାନଙ୍କ ଓଜନ ଉଚ୍ଚତା ହିସାବରେ କମ୍), ଶିଶୁଙ୍କ ବିକାଶରେ ବାଧା (ଯେଉଁ ଶିଶୁଙ୍କ ଓଜନ ବୟସ ଅନୁପାତରେ କମ୍) ଏବଂ ଶିଶୁ ମୃତୁ୍ୟହାର ଆଧାରରେ ହୁଏ । ଅବଶ୍ୟ ଭାରତରେ ଶିଶୁ ମୃତୁ୍ୟହାରରେ ସାମାନ୍ୟ ସୁଧାର ଆସିଛି । ୨୦୧୪-୨୦୨୨ ଭିତରେ ଶିଶୁ ମୃତୁ୍ୟହାର ୪.୬%ରୁ କମି ୩.୩% ହୋଇଛି । ସୂଚୀରେ ୧୭ଟି ଦେଶ ଏକସଙ୍ଗେ ଶୀର୍ଷ ସ୍ଥାନରେ ଅଛନ୍ତି ।
ସେଗୁୂଡ଼ିକ ମଧ୍ୟରେ ଚୀନ୍, ତୁର୍କୀ ଓ କୁଏତ୍ ଅନ୍ତର୍ଭୁକ୍ତ । ଏମାନଙ୍କ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ସ୍କୋର ୫ରୁ ମଧ୍ୟ କମ୍ ।
ଜିଏଚ୍ଆଇ-୨୦୨୨ରେ ଭାରତ ତଳେ ଅଛନ୍ତି ଜାମ୍ବିୟା, ଆଫଗାନିସ୍ତାନ, ତିମୋର-ଲେସ୍ତେ, ଗିନୀ-ବିସାଉ, ସିଏରା ଲିଓନୋ, ଲେସୋଥୋ, ଲାଇବିରିଆ, ନାଇଜର, ହାଇତୀ, ଚାଟ, ଡେମ୍ ଆଦି ଦେଶ । ଗିନୀ, ମୋଜାମ୍ବିକ୍, ଉଗାଣ୍ଡା, ଜିମ୍ବାୱେ, ବୁରୁଣ୍ଡୀ, ସୋମାଲିଆ, ଦକ୍ଷିଣ ସୁଡାଣ ଓ ସିରିଆ ସହିତ ଅନେକ ଦେଶର ର୍ୟାଙ୍କ ନିର୍ଦ୍ଧାରଣ କରାଯାଇପାରି ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *