ଗରିବଙ୍କ ପେଟକୁ ନାତ, ପ୍ରଶାସନ ଚୁପ୍

୯ ମାସ ହେଲା ଗହମ ପାଇନାହାନ୍ତି ଜିଲ୍ଲାବାସୀ
ପୁରୀ (ବୁ୍ୟରୋ): ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇଥାଏ ଗହମ । ଏପରିକି ଘରେ ଗହମ ଥିଲେ ତାହାକୁ ଅଟା କରି ରୁଟି ଖାଇଥାନ୍ତି । ଦୀର୍ଘ ୯ ମାସ ହେଲା ଗହମ ଦେଖିବାକୁ ସ୍ୱପ୍ନ ପାଲଟିଛି । ସେମାନଙ୍କ ଘରେ ରୁଟି ଦେଖିବା ବଡ଼ କଷ୍ଟସାଧ୍ୟ ହୋଇପଡ଼ିଛି । ଏପରିକି ସେମାନେ ଦୋକାନରୁ କିଲୋ ପ୍ରତି ୩୫ଟଙ୍କା ଦେଇ ଗହମ କିଣିବା ସମ୍ଭବ ହୋଇପାରୁ ନାହିଁ । ଫଳରେ ଏହାକୁ ନେଇ ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଉକ୍ତ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେଇ ଚୁପ୍ ବସି ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ଅନ୍ୟପକ୍ଷରେ ପ୍ରଶାସନ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସାଧାରଣ ଓ ଗରିବ ଲୋକଙ୍କ ଲାଗି ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ସୂଚନାଥାଉକି, ୯ମାସ ଧରି ଗହମ ପାଉନାହାନ୍ତି ଜିଲ୍ଲାର ଲକ୍ଷ ଲକ୍ଷ ରାସନକାର୍ଡଧାରୀ । ଏନେଇ କାର୍ଡଧାରୀମାନେ ବାରମ୍ବାର ଡିଲର୍ ଦ୍ୱାରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ଲାଗିଲେଣି । ରାସନକାର୍ଡଧାରୀମାନେ ଶସ୍ତାରେ ଗହମ ପାଇବାରୁ ବଞ୍ଚିତ ହୋଇ ବଜାରରୁ ଅଧିକ ଦାମ୍ରେ କିଣୁଛନ୍ତି । ଏଥିପାଇଁ ଗରିବ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡୁଛି ।
ଅନ୍ୟପଟେ ଡିଲର କହୁଛନ୍ତି ଯେ, ଏନେଇ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଛି, ହେଲେ ସେମାନେ କିଛି କହୁନାହାନ୍ତି । ଗତ ଫେବ୍ରୁଆରୀରୁ ଜିଲ୍ଲାକୁ ଗହମ ଯୋଗାଣ ବନ୍ଦ ରହିଛି । ପୂର୍ବରୁ ଖୋର୍ଦ୍ଧା ଜଟଣୀ ଏଫ୍ସିଆଇରୁ ଏହି ଗହମ ଆସୁଥିଲା । ହେଲେ ସେଠାରେ ପରିବହନ କାର୍ଯ୍ୟକୁ ନେଇ ବିବାଦ ଉପୁଜିବା ଯୋଗୁଁ ପୁରୀ ଜିଲ୍ଲାକୁ ଗହମ ଯୋଗାଣ ହୋଇପାରୁ ନ ଥିବା ଜଣାପଡିଛି । ଏନେଇ ଆଜିପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ସବୁ ଜାଣିଶୁଣି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଚୁପ୍ ବସି ରହିଛନ୍ତି । କେବେ ଜିଲ୍ଲାର ରାସନକାର୍ଡଧାରୀଙ୍କୁ ଗହମ ମିଳିବ ତାହା ସ୍ପଷ୍ଟ ହୋଇପାରିନି । ଫଳରେ ଜିଲ୍ଲାର ୩ଲକ୍ଷ ୬୭ହଜାର ପରିବାର ରାସନ ପାଉଥିବାବେଳେ ଗହମ ନ ମିଳିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ଖାଉଟିମାନେ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *