୧୨୫ ଷ୍ଟଲ୍ରେ ହାତ ତିଆରି ସାମଗ୍ରୀ
ଟେରାକୋଟା ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର (ବୁ୍ୟରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଶନିବାର ସନ୍ଧ୍ୟାରେ “ଟେରାକୋଟା ପ୍ରଦର୍ଶନୀ’ର ଶୁଭ ଉଦ୍ଘାଟନ କରିଛନ୍ତି । ଆମ ଓଡ଼ିଶା ଏକ ଉକ୍ରୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ । ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ ଗୋଟି ହସ୍ତଶିଳ୍ପକୁ ଆଧାର କରି ଏକ ଲକ୍ଷ ୫୦ ହଜାରରୁ ଊଦ୍ଧ୍ୱର୍ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ସ୍ତରୀୟ ପୁରସ୍କାରପ୍ରାପ୍ତ ହେବାର ଗୌରବ ଅର୍ଜନ କରିଛି । ଅଦ୍ୟାବଧି ୧୮୮ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ଏବଂ ତନ୍ମଧ୍ୟରୁ ୪ ଜଣ ପଦ୍ମ ପୁରସ୍କାର ଏବଂ ୧୩ ଜଣ ଶିଳ୍ପଗୁରୁ ଭାବେ ସମ୍ମାନିତ ହୋଇଛନ୍ତି । ଏତଦ୍ୱ୍ୟତୀତ ୩୧୨ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି ।
“ଟେରାକୋଟା ହସ୍ତଶିଳ୍ପ’ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ । ଏହାର ସାମଗ୍ରୀମାନ ପ୍ରାୟ ପ୍ରତି ଜିଲ୍ଲାରେ ପାରମ୍ପରିକ କୁମ୍ଭକାର ଏବଂ ପ୍ରଶିକ୍ଷଣ ପ୍ରାପ୍ତ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ହେଉଛି । ରାଜ୍ୟରେ ୧୦ ହଜାରରୁ ଊଦ୍ଧ୍ୱର୍ କାରିଗର ଟେରାକୋଟା କାମ କରି ବିଭିନ୍ନ ପାରମ୍ପରିକ, ଗୃହସଜ୍ଜା ଉପକରଣ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯିବା ସହ ଅନ୍ଲାଇନ୍ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ଏକାମ୍ର ହାଟରେ ୨୨ ତାରିଖ ପର୍ଯ୍ୟନ୍ତ ପଡ଼ିବ । ଏହି ଅବସରରେ ୧୨୫ ଷ୍ଟଲ ଖୋଲାଯାଇଥିବା ଜଣାପଡ଼ିଛି ।