ଚତୁର୍ମୁଖୀ ଲଢ଼େଇ!

ଭୁବନେଶ୍ୱର/ଭଦ୍ରକ, ୧୪ା୧୦ (ବୁ୍ୟରୋ/ଆପ୍ର): ଧାମନଗର ଉପନିର୍ବାଚନ ଏବେ ଏକ ରୋଚକ ମୋଡ଼ରେ ପହଞ୍ଚôଛି । ଉପନିର୍ବାଚନ ପୂର୍ବରୁ ୨୦୧୯ ଭଳି ଧାମନଗର ବିଜେଡି ୨ ଫାଳ ହୋଇଛି । ବରିଷ୍ଠ ନେତା ରାଜୁ ଦାସ ଶୁକ୍ରବାର ସ୍ୱାଧୀନ ପ୍ରାର୍ଥୀ ଭାବେ ଭଦ୍ରକ ଉପ ଜିଲ୍ଲାପାଳଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିରୁ ଟିକେଟ୍ ଆଶାୟୀ ଥିବା ରାଜୁଙ୍କୁ ଟିକେଟ୍ ନ ମିଳିବାରୁ ସେ ନିଜ ସମର୍ଥକଙ୍କ ସହ ଆଲୋଚନା କରି ନାମାଙ୍କନପତ୍ର ଦାଖଲ କରିଥିବା କହିଛନ୍ତି । ରାଜୁ ଓ ଅବନ୍ତୀଙ୍କୁ ମିଶାଇ ଉପନିର୍ବାଚନ ପାଇଁ ଧାମନଗରରେ ମୋଟ ୪ ଜଣ ପ୍ରାର୍ଥୀ ହୋଇଛନ୍ତି । ଧାମନଗରରେ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ହେବା ନେଇ ରାଜନୀତିଜ୍ଞମାନେ ମତ ରଖିଥିବାବେଳେ ରାଜୁ ଦାସଙ୍କ ୱାଇଲ୍ଡକାର୍ଡ ଏଣ୍ଟ୍ରି ଲଢ଼େଇର ରୋମାଞ୍ଚ ବଢ଼ାଇଛି । ରାଜୁ ଓ ତାଙ୍କ ସମର୍ଥକଙ୍କ ବିନା ବିଜେଡି କିପରି ନିର୍ବାଚନ ଲଢ଼ିବ ଏବଂ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏହାର କି ଫାଇଦା ନେବେ, ସେନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କହିଛନ୍ତି, ବିଦ୍ରୋହର କିଛି ଫରକ ପଡ଼ିବ ନାହିଁ । ବିଜେଡି ଦଳ ଲୋକଙ୍କ ଦଳ । ଲୋକଙ୍କ ପାଇଁ ଦଳ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ପାଇଁ ପ୍ରାର୍ଥୀ ବାଛିଛନ୍ତି । ଜନସାଧାରଣ ତାଙ୍କ ଉପରେ ନିଜ ଆର୍ଶୀବାଦ ଦେବେ ବୋଲି କହିଛନ୍ତି । ସେହିପରି ବିଧାୟକ ବୈମକେଶ ରାୟ ମଧ୍ୟ ଏନେଇ ମତ ରଖିଛନ୍ତି । ଧାମନଗରରେ ବିଜେଡି ସ୍ଥିତି ବହୁତ ଭଲ ଅଛି । ଦଳ ବିପୁଳ ପରିମାଣରେ ବିଜୟ ହାସଲ କରିବ । କୌଣସି ବିଦ୍ରୋହର କିଛି ପ୍ରଭାବ ପଡ଼ିବନାହିଁ ବୋଲି ସେ କହିଛନ୍ତି । ସେପଟେ ଉଭୟ ବିରୋଧୀ ବିଜେଡିର ଫାଟର ଫାଇଦା ନେବେ ବୋଲି ପ୍ରକାଶ କରିଛନ୍ତି । ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କାହାର ଦୁର୍ବଳତାକୁ ନିଜ ସବଳତା କରାଇବା ଆମର ଲକ୍ଷଣ ନୁହେଁ । ବିଜେପି ଏକ ସାଙ୍ଗଠନିକ ଦଳ । ଧାମନଗରବାସୀଙ୍କ ପାଇଁ ବିଜେପି କାମ କରିଛି । ଉପନିର୍ବାଚନରେ ଲୋକେ ତାର ପ୍ରମାଣ ଦେବେ । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି, ବିଜେଡିରେ ସୃଷ୍ଟ ଅନ୍ତକନ୍ଦଳର ସିଧାସଳଖ ଲାଭ କଂଗ୍ରେସକୁ ମିଳିବ । କଂଗ୍ରେସ ସମର୍ଥିତ ପ୍ରାର୍ଥୀ ହରେକୃଷ୍ଣ ଲୋକଙ୍କ ସୁବିଧା ଅସୁବିଧାରେ ଛିଡ଼ା ହୋଇଛନ୍ତି । ଲୋକଙ୍କ ସମର୍ଥନ ତାଙ୍କ ସହ ଅଛି ବୋଲି ସେ କହିଛନ୍ତି । ସୂଚନାଥାଉ କି, ଅବନ୍ତୀ ଏକ ବିରାଟ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସି ନାମାଙ୍କନ ଭରିଥିଲେ । ଭଦ୍ରକର ନେହେରୁ ଷ୍ଟାଡିୟମ୍ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ବିଜେଡ଼ିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅମର ଶତପଥୀ, ସାଂସଦ ସୁଲତା ଦେ, ସାଂସଦ ମୁନା ଖାନ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବିଧାୟକ ଅଶୋକ ବଳ, ବିଧାୟକ ସୁନନ୍ଦା ଦାସଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *