ଇକୋ ରି-ଟ୍ରିଟ୍ ପାଇଁ ମୁହାଣ ଖୋଳା ଆରମ୍ଭ
କୋଣାର୍କ (ଆପ୍ର): ଡିସେମ୍ବର ପ୍ରଥମ ସପ୍ତାହରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ୪ର୍ଥ ଥର ପାଇଁ ଇକୋ ରି-ଟ୍ରିଟ୍ ଆରମ୍ଭ ହେବ । ଏଥିନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ବେଳାମାର୍ଗରୁ ଇକୋ ରି-ଟ୍ରିଟ୍ ପର୍ଯ୍ୟନ୍ତ ରାସ୍ତା ମରାମତି, ନୂଆ ମୁହାଣ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଇକୋ ରି-ଟ୍ରିଟ ପାଇଁ ମୁଖ୍ୟ ସମସ୍ୟା ପାଲଟିଥିବା ରାମଚଣ୍ଡୀ ମୁହାଣର ଦକ୍ଷିଣ ଦିଗ ପଟକୁ ୨୬୦ ମିଟର ଆଗକୁ ଡୋଜିଙ୍ଗ ମେସିନ୍ ସାହାଯ୍ୟରେ ଖୋଳାଯାଉଛି । ଏଥିପାଇଁ ଓଡ଼ିଶା ନିର୍ମାଣ ନିଗମକୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି କାର୍ଯ୍ୟ ପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ସମୁଦ୍ର ଉଚ୍ଚ ଜୁଆର ମାଡ଼ ରୋକିବା ପାଇଁ ଏନ୍ଆଇଟି ଚେନ୍ନାଇର ବୈଜ୍ଞାନିକଙ୍କ ସ୍ଥିତି ଅନୁଧ୍ୟାନ ପରେ ସୁଚିନ୍ତିତ ପରାମର୍ଶକ୍ରମେ ଏହି ନୂଆ ମୁହାଣ ଦୁଇଶହ ମିଟର ଚଉଡ଼ାରେ ଖୋଳାଯିବ । ଫଳରେ ମୁହାଣ ଦେଇ କୁଶଭଦ୍ରା ନଦୀ ଜଳ ସମୁଦ୍ରରେ ମିଶିବ ଓ ପୁରୁଣା ମୁହାଣକୁ ପୋତାଯାଇ ସୁରକ୍ଷା ପାଚେରି ନିର୍ମାଣ ହେବ । ୧୬୫ ମିଟର ଲମ୍ବ ପର୍ଯ୍ୟନ୍ତ ପଥର ପ୍ୟାକିଂ ଦିଆଯିବ ଓ ଏହି ସୁରକ୍ଷା ପାଚେରି ଯେଭଳି ଇକୋ ରି-ଟ୍ରିଟ୍ ପ୍ରତି ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଡିସେମ୍ବର ପୂର୍ବରୁ ଏହି କାର୍ଯ୍ୟ ସାରିବା ନେଇ ଓସିସି ପକ୍ଷରୁ ନିଯୁକ୍ତ ଠିକାଦାରକୁ ନିଦେ୍ର୍ଦଶ ଦିଆଯାଇଛି ।