ସତ୍ୟାଗ୍ରହ ପଦଯାତ୍ରାରେ ଶତାଧିକ କୃଷକ
୧୦୭ରେ ମାମଲା କରି ଚାଷୀଙ୍କୁ ଅଟକାଇଲା ପ୍ରଶାସନ
ବଡ଼ଚଣା (ଆପ୍ର): ଚାଷୀଙ୍କ ଉତ୍ପାଦିତ ଜିନିଷର ଉପଯୁକ୍ତ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ସମ୍ମାନ ଓ ମାସିକ ୫ ହଜାର ପେନ୍ସନ୍ ଦାବି ନେଇ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଭୁବନେଶ୍ୱରକୁ ୭ଦିନିଆ ସତ୍ୟାଗ୍ରହ ପଦଯାତ୍ରା କରାଯାଇଛି । ଏନେଇ ଗୁରୁବାର ଧାନମଣ୍ଡଳ ଠାରେ ଶହ ଶହ ଚାଷୀ ଏକତ୍ରିତ ହୋଇଥିବା ବେଳେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆସନ୍ତାକାଲି ଧାନମଣ୍ଡଳ ଠାରୁ ଭୁବନେଶ୍ୱରକୁ ପଦଯାତ୍ରା କରାଯିବ ।
ଭୁବନେଶ୍ୱର ଠାରେ ସାଧାରଣ ସଭାର ଆୟୋଜନ କରାଯାଇ ଦୀର୍ଘ ଦିନ ହେଲା କୃଷକଙ୍କ ନ୍ୟାଯ୍ୟ ଦାବି ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବହେଳାକୁ ସମାଲୋଚନା କରାଯିବ ଏବଂ ଦାବିପ୍ରତି ପଦକ୍ଷେପ ଗ୍ରହଣ କରାନଗଲେ ଆନେ୍ଦାଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଧାନମଣ୍ଡଳ ମେଲଣ ପଡ଼ିଆ ଠାରେ ଅକ୍ଷୟ କୁମାରଙ୍କ ସହ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଓ ଏସ୍ପି ରାହୁଲ ପିଆର୍ ଆଲୋଚନା କରି ପଦଯାତ୍ରା ବନ୍ଦ କରିବା ଏବଂ ବରିଷ୍ଠ ପ୍ରଶାସକ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର କୃଷକ ନେତା ତାଙ୍କ କଥାରେ ଅଟଳ ରହିବା ସହ ସରକାର କୃଷକମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁନାହାନ୍ତି ବୋଲି କହିଥିଲେ । ଏଣୁ ଏହି ପଦଯାତ୍ରା ଭୁବନେଶ୍ୱରରେ ହିଁ ସମାପ୍ତ ହେବ ବୋଲି ସେ କହିଛନ୍ତି । ତେବେ ଧାନମଣ୍ଡଳ ଠାରେ ଶତାଧିକ ଚାଷୀଙ୍କ ଉପସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଛାମୁଆ କୃଷକ ନେତାମାନଙ୍କୁ ଦର୍ପଣ ତହସିଲ ପକ୍ଷରୁ ୧୦୭ରେ କେସ୍ ରୁଜୁ କରି ଅଟକ ରଖିଥିଲା । ଫଳରେ କୃଷକମାନଙ୍କ ମଧ୍ୟରେ ଏହି ଅନ୍ୟାୟ ଗିରଫଦାରୀକୁ ନାପସନ୍ଦ କରାଯିବା ସହ ଆନେ୍ଦାଳନକୁ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି । ଶୁକ୍ରବାର ଠାରୁ ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।