ହିଜାବ: ଖଣ୍ଡିତ ରାୟ
ନୂଆଦିଲ୍ଲୀ, ୧୩ ।୧୦: ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦ ମାମଲାର ଶୁଣାଣି ୧୦ ଦିନ ଚାଲିବା ପରେ ଗୁରୁବାର ସୁପ୍ରିମ୍ ଫଇସଲା ଆସିବାର ଥିଲା । କିନ୍ତୁ ସୁପ୍ରିମ୍ କୋର୍ଟର ଦୁଇଜଣିଆ ଖଣ୍ଡପୀଠ ବିଭାଜିତ ଫଇସଲା (ସ୍ପ୍ଲିଟ୍ ଭର୍ଡିକ୍ଟ) ଶୁଣାଇଛନ୍ତି । ଏହି କାରଣରୁ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ବେଞ୍ଚର ନେତୃତ୍ୱ ନେଉଥିବା ଜଷ୍ଟିସ୍ ହେମନ୍ତ ଗୁପ୍ତା । ଏବେ ପ୍ରଧାନ ବିଚାରପତି ବୃହତ୍ତର ବେଞ୍ଚ (ତିନି ଜଜ୍ବିଶିଷ୍ଟ ପୀଠ) ବା ସମ୍ବିଧାନ ବେଞ୍ଚ ଗଠନ କରିବା ପରେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ମୁସଲିମ୍ ଛାତ୍ରୀଙ୍କ ହିଜାବ ପରିଧାନ ଉପରେ ଥିବା ନିଷେଧାଦେଶ ରହିବ ନା ହଟିବ ତାହା ସ୍ଥିର କରାଯିବ ।
ମାମଲା ନୂଆ ବେଞ୍ଚକୁ ହସ୍ତାନ୍ତର କରାଯିବ ନା ସମ୍ବିଧାନ ବେଞ୍ଚ ଗଠନ କରାଯିବ, ସେ ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି ୟୁ ୟୁ ଲଳିତ । ପ୍ରଧାନ ବିଚାରପତି ଲଳିତ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ସେବାନିବୃତ୍ତ ହେବେ । ତେଣୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଏ ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରନ୍ତି । ଫଳତଃ ନୂଆ ବେଞ୍ଚ ଗଠନରେ ମାସେ ଦୁଇମାସ ବିଳମ୍ବ ହୋଇପାରେ ।
ଜଷ୍ଟିସ୍ ଧୂଲିୟା ତାଙ୍କ ୭୩ ପୃଷ୍ଠାର ରାୟରେ ଲେଖିଛନ୍ତି- ହିଜାବ ଇସ୍ଲାମ୍ର ଅନିବାର୍ଯ୍ୟ ଅଂଶ କି ନୁହେଁ, ତାହା ଉପରେ ବିଚାର କରିବାର ଆବଶ୍ୟକତା ନ ଥିଲା । ଏହା କେବଳ ଏକ ପସନ୍ଦର ବିଷୟ । ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ମୁସଲିମ୍ ବାଳିକାଙ୍କ ଶିକ୍ଷା । ଏହା ସମ୍ବିଧାନର ଅନୁଚ୍ଛେଦ ୧୯ ଓ ୨୫ ସହ ଜଡ଼ିତ ମାମଲା । ପୁଅଙ୍କ ତୁଳନାରେ ଝିଅମାନେ ବହୁ କଷ୍ଟରେ ଶିକ୍ଷାଲାଭ କରିଥାନ୍ତି । ସ୍କୁଲ୍କୁ ଯିବା ପୂର୍ବରୁ ସେମାନଙ୍କୁ ଘରର ସବୁ କାମ ଦାମ ସାରିବାକୁ ପଡ଼େ । ସେମାନେ ଆମର ଆଶା, ଆମ ଭବିଷ୍ୟତ । ଜଣେ ପ୍ରି-ୟୁନିଭର୍ସିଟି ଛାତ୍ରୀଙ୍କୁ ସ୍କୁଲ୍ ଗେଟ୍ରେ ହିଜାବ ଓହ୍ଲାଇବା ପାଇଁ କୁହାଯିବା ଦ୍ୱାରା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ମର୍ଯ୍ୟାଦାରେ ଆଞ୍ଚ୍ ଆସିବ ।
ଏହା ଅନୁଚ୍ଛେଦ ୧୯(୧) ଓ ୨୧ରେ ତାଙ୍କୁ ଦିଆଯାଇଥିବା ମୌଳିକ ଅଧିକାରର ହନନ । ହାଇକୋର୍ଟ ଏ ଅଧିକାରକୁ ଭୁଲ୍ରେ ବୁ୍ୟତ୍ପନ୍ନ ଅଧିକାର (ଡେରିଭେଟିଭ୍ ରାଇଟ୍) ଦର୍ଶାଇଛନ୍ତି । ହିଜାବ ପିନ୍ଧିବା ଧାର୍ମିକ ଅଭ୍ୟାସର ବିଷୟ ହୋଇ ଥାଇପାରେ ଏବଂ ମଧ୍ୟ ହୋଇ ହୋଇ ନଥାଇପାରେ । ତଥାପି ଏହା ଅନ୍ତରାତ୍ମା, ବିଶ୍ୱାସ ଓ ଅଭିବ୍ୟକ୍ତିର ବିଷୟ । ଏହି ଦୃଷ୍ଟିରୁ ହିଜାବ ଉପରେ ପ୍ରତିବନ୍ଧକ ଲାଗିବା ଆବଶ୍ୟକ ବୋଲି କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ସହ ମୁଁ ‘ସମ୍ମାନପୂର୍ବକ ଅସହମତ’ ।
ଅନ୍ୟପକ୍ଷରେ ଜଷ୍ଟିସ୍ ଗୁପ୍ତା ତାଙ୍କ ରାୟରେ କହିଛନ୍ତି, କର୍ଣ୍ଣାଟକ ସରକାରଙ୍କ ଆଦେଶ କେବଳ ଛାତ୍ରୀମାନଙ୍କ ୟୁନିଫର୍ମ ପରିଧାନକୁ ସୁନିଶ୍ଚିତ କରାଇବା ଲାଗି ଉଦ୍ଦିଷ୍ଟ । ଏହି ଆଦେଶରେ ମୁସଲିମ୍ ଛାତ୍ରୀଙ୍କ ଶିକ୍ଷା ବନ୍ଦ କରିବା କଥା ନାହିଁ । ଜଷ୍ଟିସ୍ ଗୁପ୍ତା କର୍ଣ୍ଣାଟକ ହାଇକୋର୍ଟଙ୍କ ଫଇସଲାରେ ସମ୍ମତ ହୋଇଛନ୍ତି । ହାଇକୋର୍ଟ ରାୟ ବିରୋଧରେ ପିଟିସନ୍ ଦେଇଥିବା ପକ୍ଷମାନଙ୍କୁ ସେ ୧୧ଟି ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ- ସମ୍ବିଧାନର ଅନୁଚ୍ଛେଦ ୧୯, ୨୧ ଓ ୨୫ ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ପୋଷାକ ଚୟନ ଅଧିକାର ଦିଆଯାଇପାରିବ କି? ଅନୁଚ୍ଛେଦ ୨୫ର ସୀମା କ’ଣ? ବ୍ୟକ୍ତିଗତ ସ୍ୱାଧୀନତା ଓ ନିଜତାର ଅଧିକାର ବ୍ୟାଖ୍ୟା କିଭଳି କରାଯାଇପାରିବ? ହିଜାବ ପରିଧାନକୁ ନିଷିଦ୍ଧ କରାଯିବା ଧର୍ମୀୟ ସ୍ୱାଧୀନତାର ଉଲ୍ଲଙ୍ଘନ କି?
ସୁପ୍ରିମ୍ କୋର୍ଟରେ ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ମୁସଲିମ୍ ଛାତ୍ରୀମାନେ ଭାରତର ନାଗରିକ । ଡ୍ରେସ୍ କୋଡ୍ ନିୟମ ଲାଗୁ କରାଯିବା ଦ୍ୱାରା ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି । ହାଇକୋର୍ଟର ତିନିଜଣିଆ ପୀଠ କୋରାନ୍ରେ ମୁସଲିମ୍ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ଅନିବାର୍ଯ୍ୟ ନୁହେଁ ବୋଲି ଦର୍ଶାଇଥିଲେହେଁ ସେମାନଙ୍କ ଧାର୍ମିକ ଓ ବ୍ୟକ୍ତିଗତ ସ୍ୱାଧୀନତା ପ୍ରତି ଧ୍ୟାନ ନ ଦେଇ ହିଜାବ ବ୍ୟାନ୍ ସପକ୍ଷରେ ଫଇସଲା ଦେଇଛନ୍ତି ।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡ୍ଭୋକେଟ୍ ରାଜୀବ ଧୱନ୍, ଦୁଷ୍ୟନ୍ତ ଦବେ, ସଞ୍ଜୟ ହେଗ୍ଡ଼େ ଓ କପିଲ୍ ଶିବଲ୍ ପକ୍ଷ ରଖିଥିଲେ ଏବଂ ସରକାରଙ୍କ ତରଫରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ତର୍କ ବାଢ଼ିଥିଲେ ।